କରାଚି: ପାକିସ୍ତାନରେ ଜଣକ ପରେ ଜଣେ ଭାରତ-ବିରୋଧୀ ଆତଙ୍କବାଦୀ ନିପାତ ହେବାରେ ଲାଗିଛନ୍ତି। ଏବେ ହାଫିଜ ସୟିଦର ଆଉ ଜଣେ ଘନିଷ୍ଠ ସହଯୋଗୀ କରାଚିରେ ନିହତ ହୋଇଛି। ଲସ୍କର-ଏ-ତୋଇବା ପାଇଁ ପାଣ୍ଠି ସଂଗ୍ରହ କରିଥିବା ଅବଦୁଲ ରହମାନ ଉପରକୁ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି ଚଳାଇଥିଲେ। ଅବଦୁଲ ରହମାନ ଅହଲ-ଏ-ସୁନ୍ନତ ବାଲ ଜମାତର ସ୍ଥାନୀୟ ନେତା ଥିଲା। ସେ କରାଚିରେ ଲସ୍କର ପାଇଁ ପାଣ୍ଠି ସଂଗ୍ରହ କରୁଥିଲା।
ନିଜ ବାପା ଓ ଅନ୍ୟମାନଙ୍କ ସହ ଥିବା ବେଳେ ହାଫିଜର ଘନିଷ୍ଠ ସହଯୋଗୀ ଉପରେ ଏହି ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ତା’ ବାପାଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ରହମାନର ମୃତ୍ୟୁ ଘଟିଥିଲା।
ପାକିସ୍ତାନରେ ଗୋଟିଏ ପଟେ ବିଏଲ୍ଏ ଓ ତେହରିକ-ଏ-ତାଲିବାନ ବଲୁଚିସ୍ତାନରେ ପାକିସ୍ତାନୀ ସେନାକୁ ଟାର୍ଗେଟ କରୁଛନ୍ତି। ଅନ୍ୟପଟେ ଜଣକ ପରେ ଜଣେ ଆତଙ୍କବାଦୀ ନିପାତ ହେଉଛନ୍ତି। ହାଫିଜ ସୟିଦର ଘନିଷ୍ଠ ସହଯୋଗୀକୁ ଟାର୍ଗେଟ କରିଥିବା ବ୍ୟକ୍ତିଙ୍କୁ କେହି ଦେଖି ନ ଥିଲେ କି ଚିହ୍ନି ପାରି ନ ଥିଲେ। ନିକଟରେ କ୍ୱେଟାରେ ଜମିୟତ-ଉଲେମା-ଏ-ଇସଲାମ ମୁଖ୍ୟ ମୁଫତି ଅବଦୁଲ ବାକି ନୁରଜାଇକୁ ଅଜ୍ଞାତ ଆତତାୟୀମାନେ ଗୁଳି କରି ହତ୍ୟା କରିଥିଲେ। କ୍ୱେଟା ବିମାନବନ୍ଦର ନିକଟରେ ନୁରଜାଇକୁ ଗୁଳି କରାଯାଇଥିଲା, ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲା ଓ ଡାକ୍ତରଖାନାରେ ତା’ର ମୃତ୍ୟୁ ଘଟିଥିଲା। ତା’ ପୂର୍ବରୁ ପଞ୍ଜାବ ପ୍ରଦେଶର ଝେଲମ୍ ଅଞ୍ଚଳରେ ଲସ୍କର-ଏ-ତୋଇବାର ଶୀର୍ଷ କମାଣ୍ଡର ଜିଆ-ୟୁର୍ ରେହମାନ ଓରଫ ନଦୀମ ଓରଫ କାତାଲ ସିନ୍ଧିକୁ ଗୁଳି କରି ହତ୍ୟା କରାଯାଇଥିଲା। ନଦୀମ ହାଫିଜ୍ ସୟିଦର ବିଶ୍ୱସ୍ତ ସହଯୋଗୀ ଥିଲା। ସେ ଜମ୍ମୁ-କଶ୍ମୀରର ପୁଞ୍ଚ-ରାଜୌରୀ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲା।