ନୂଆଦିଲ୍ଲୀ: ବିହାରର ବୈଶାଳୀ ଜିଲ୍ଲାର ଲାଲଗଞ୍ଜସ୍ଥିତ ଏକ୍ସିସ ବ୍ୟାଙ୍କରୁ ପାଖାପାଖି ୧କୋଟି ଟଙ୍କା ଲୁଟ ହୋଇଥିବାର ଘଟଣା ସାମ୍ନାକୁ ଆସିଛି। ଏହି ଲୁଟ ଘଟଣା ଗତଅଗଷ୍ଟ ୧ ତାରିଖରେ ଘଟିଥିଲା।

Advertisment

ଏହି ଲୁଟ ଘଟଣାକୁ ନେଇ ପୁଲିସ କହିଛି କି, ଅଗଷ୍ଟ ୧ ତାରିଖ ସକାଳେ ବ୍ୟାଙ୍କ ଖୋଲାଯାଇଥିଲା। ଏହି ସମୟରେ ଜଣେ ମହିଳା ରେକି କରୁଥିବା ଦେଖିବାକୁ ମିଳିଥିଲା। ଏହାର କିଛି ସମୟ ପରେ ୪ଜଣ ଲୁଟେରା ବ୍ୟାଙ୍କ ଭିତରେ ପଶି ଏକକୋଟିରୁ ଅଧିକ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ଏହି ଘଟଣାର ସିସିଟିଭି ଫୁଟେଜ ବି ସାମ୍ନାକୁ ଆସିଛି। ତେବେ ପ୍ରାଥମିକ ତଦନ୍ତରୁ ଜଣେ ପୁଲିସକର୍ମଚାରୀଙ୍କ ପୁଅ ଏଥିରେ ସାମିଲ ଥିବା ଜଣାପଡ଼ିଛି। ଯିଏକି ଲୁଟ ଟଙ୍କାରେ ନିଜର ସ୍ତ୍ରୀ ପାଇଁ ଜମି କିଣିଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ଲାଲଗଞ୍ଜର ଏକ୍ସିସ ବ୍ୟାଙ୍କ କର୍ମଚାରୀ କର୍ମ‌କ୍ଷେତ୍ରରେ ପହଞ୍ଚିବା ପରେ କାମ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିଲେ।  ଏହି ସମୟରେ ଲୁଟେରା ଗ୍ୟାଙ୍ଗ ବ୍ୟାଙ୍କରେ ପ୍ରବେଶ କରିଥିଲେ। ସର୍ବପ୍ରଥମେ ଜଣେ ଲୁଟେରା ନିଜର ମହିଳା ସାଥୀଙ୍କ ସହ ମୁଖ୍ୟଦ୍ବାରରେ ଲାଗିଥିବା ଏଟିଏମ ଟିକଟରେ ପହଞ୍ଚିଥିଲା। ଏଟିଏମରୁ ଟଙ୍କା ଉଠାଇବା ବାହାନରେ ବ୍ୟାଙ୍କ ଉପରେ ନଜର ପକାଇ କର୍ମଚାରୀମାନେ କ’ଣ କରୁଛନ୍ତି କ’ଣ ନାହିଁ ତାକୁ ଧ୍ୟାନ ଦେଇଥିଲା। ଏହାପରେ ଜଣକପରେ ଜଣେ ଏପରି ଭାବେ ୪ଜଣ ଲୁଟେରା ବ୍ୟାଙ୍କ ଭିତରେ ପ୍ରବେଶ କରି ୮ମିନିଟ ଭିତ‌ରେ କ୍ୟାସ ରୁମ ଖାଲି କରି ଦେଇଥିଲେ। ଏକକୋଟିରୁ ଅଧିକ ଟଙ୍କା ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଏହି ଘଟଣାର ତଦନ୍ତ କରି ବ୍ୟାଙ୍କ ଲୁଟରେ ସାମିଲ ଥିବା ଲୁଟେରାଙ୍କୁ ପୁଲିସ ଗିରଫ କରିଥିଲା। ତାଙ୍କ ପାଖରୁ ପାଖାପାଖି ୧୫ଲକ୍ଷ ଟଙ୍କା ଜବତ କରିଥିଲା। ଯାଞ୍ଚ ସମୟରେ ଏହି ଲୁଟ ଘଟଣାର ମାଷ୍ଟରମାଇଣ୍ଡ ଜଣେ ପୁଲିସ କର୍ମଚାରୀଙ୍କ ପୁଅ ଥିବା ଜଣାପଡ଼ିଥିଲା। ଯିଏକି ଏଯାବତ ଫେରାର ରହିଛି। ସେ ଲୁଟ ଟଙ୍କାରେ ନିଜ ସ୍ତ୍ରୀ ପାଇଁ ଜମି କିଣିଥାଏ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ପାଇଛି।