ହଜ ଯାତ୍ରାରେ ଏଯାବତ ୧୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ଅଛନ୍ତି ନିଖୋଜ

ନୂଆଦିଲ୍ଲୀ: ପ୍ରବଳ ଗରମରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। ଏହି ଗରମ ହେତୁ ଅନେକ ଲୋକଙ୍କ ଜୀବନ ବି ଚାଲି ଯାଇଥିବାର ଖବର ସାମ୍ନାକୁ ଆସିଛି। ସାଉଦି ଆରବରେ ବି ପ୍ରବଳ ଗରମ ପଡ଼ିଛି। ଏହାରି ଭିତରେ ମକ୍କାରେ ଗତ ଶୁକ୍ରବାର ହଜ ଯାତ୍ରା ଆରମ୍ଭ ହୋଇଯାଇଛି।

ସାଉଦି ଆରବରେ ଆୟୋଜିତ ହୋଇଥିବା ହଜ ଯାତ୍ରାରେ ସାମିଲ ହେବାକୁ ଆସିଥିବ‌ା ୧୪ଜଣଙ୍କ ମୃତ୍ୟୁ ହୋଇଥିବା ଗତ ରବିବାର ଅଧିକାରୀ ସୂତ୍ରରୁ ପ୍ରକାଶ ପାଇଛି। ସମସ୍ତ ମୃତକ ଜାର୍ଡନର ଥିବା ଜଣାପଡ଼ିଛି। ଏ ସମସ୍ତଙ୍କ ମୃତ୍ୟୁ ପ୍ରବଳ ଗରମ ହେତୁ ହୋଇଥିବା କୁହାଯାଉଛି।

ଜାର୍ଡନର ସରକାରୀ ନ୍ୟୁଜ ଏଜେନ୍ସି ସୂତ୍ରରୁ ପ୍ରକାଶ, ଜାର୍ଡନର ବିଦେଶ ମନ୍ତ୍ରାଳୟ ଦେଇଥିବା ସୂଚନା ଅନୁସାରେ ସାଉଦି ଆରବରେ ଆୟୋଜିତ ହୋଇଥିବା ହଜ ଯାତ୍ରାରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବା  ବେଳେ ଅନ୍ୟ ୧୭ଜଣ ଏଯାବତ ନିଖୋଜ ଅଛନ୍ତି। ଖବର ଲେଖାହେଲା ପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କରେ କୌଣସି ପ୍ରକାର ସୂଚନା ମିଳି ପାରି ନଥିଲା। ଏହି ଘଟଣା ପୂର୍ବରୁ ଅତ୍ୟଧିକ ଗରମ ହେତୁ ୬ଜଣଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ ପାଇଥିଲା।

ନିଖୋଜ ଥିବା ୧୭ଜଣ ଲୋକଙ୍କ ପତ୍ତା ଲଗାଇବାକୁ ଚେଷ୍ଟା କରାଯାଉଛି। ଏଥିସହିତ ୧୪ଜଣ ମୃତକଙ୍କ ମୃତଦେହକୁ ଜାର୍ଡନ ‌ପଠାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ସାଉଦି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ, ରବିବାର ମକ୍କା ସହରରେ ୪୭ଡିଗ୍ରି ସେଲସିୟସ ତାପମାତ୍ରା ଓ ମୀନା ସହରରେ ୪୬ଡିଗ୍ରି ସେଲସିୟସ ତାପମାତ୍ରା ରହିଥିଲା।

ସମ୍ବନ୍ଧିତ ଖବର