ହଲ୍‌ଦୱାନିର ଉଚ୍ଛେଦ ମାମଲା: ଶାହିନବାଗ୍‌ ସହ ତୁଳନା କାହିଁକି?

ନୂଆଦିଲ୍ଲୀ: ହଲ୍‌ଦୱାନିର ବନଭୁଲପୁରାରେ ଭାରତୀୟ ରେଳବାଇର ୭୮ ଏକର ଜମିରେ ଜବରଦଖଲ କରି ରହୁଥିବା ୪,୩୬୫ ପରିବାରକୁ ଉଚ୍ଛେଦ ମାମଲା ନେଇ ରାଜନୀତି ସରଗରମ ହୋଇଛି। ହାଇକୋର୍ଟଙ୍କ ରାୟ ଆଧାରରେ ୪ ହଜାର ଘର, ସ୍କୁଲ୍‌, ମନ୍ଦିର, ବ୍ୟାଙ୍କ, ମସଜିଦ୍‌ ଆଦି ଭଙ୍ଗାଯାଇଥାନ୍ତା। କିନ୍ତୁ ଏହି ଜବରଦଖଲ ଉଚ୍ଛେଦ ରାୟ ଉପରେ ସୁପ୍ରିମ୍‌କୋର୍ଟ ରୋକ୍‌ ଲଗାଇଛନ୍ତି ଏବଂ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ହଲଦୱାନି ସହରରେ ବ୍ୟାପକ ଆନ୍ଦୋଳନ ହୋଇଛି। ଏହି ଆନ୍ଦୋଳନକୁ ଦିଲ୍ଲୀର ଶାହିନ ବାଗ୍‌ ଆନ୍ଦୋଳନ ସହ ତୁଳନା‌ କରାଯାଇଛି। ବିଜେପି ଶାସିତ ରାଜ୍ୟ ଉତ୍ତରାଖଣ୍ଡରେ ଅନେକ ବିରୋଧୀ ଦଳ ନେତା ଆନ୍ଦୋଳନକାରୀଙ୍କୁ ସମର୍ଥନ କରିଛନ୍ତି। ବୁଧବାର ଦିନ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ହରିଶ ରାୱତ ଡେରାଡୁନ ସ୍ଥିତ ତାଙ୍କ ବାସଭବନରେ ୧ ଘଣ୍ଟାର ନିରବ ପ୍ରତିବାଦ କରିଛନ୍ତି। ହରିଶ ରାୱତ କହିଛନ୍ତି, ଏଭଳି ଯୋଜନାବଦ୍ଧ ଉଚ୍ଛେଦ ଶିଶୁ, ଗର୍ଭବତୀ ମହିଳା ଏବଂ ବୟସ୍କ ଲୋକଙ୍କ ସ‌ମେତ ୫୦ ହଜାରରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିବ।

ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ଯେ ସେମାନେ ରହୁଥିବା ଅଞ୍ଚଳ ରେଳବାଇର ନୁହେଁ। ଅଧିକାଂଶ ପ୍ରଭାବିତ ଲୋକ ମୁସଲମାନ ବୋଲି ଜଣାପଡ଼ିବା ପରେ ଏଆଇଏମ୍‌ଆଇଏମ୍‌ ସଭାପତି ଅସଉଦ୍ଦିନ ଅୱେସି କହିଛନ୍ତି, ସରକାରୀ ଶିକ୍ଷାନୁ‌ଷ୍ଠାନକୁ କିଭଳି ବେଆଇନ ନିର୍ମାଣ ବୋଲି କୁହାଯାଇପାରିବ। ଜମାତ ଏ ଇସଲାମୀ ହିନ୍ଦ୍‌ର ଏକ ବିବୃତି ଅନୁଯାୟୀ କେବଳ ୨୯ ଏକର ଜମି ବିବାଦୀୟ ହୋଇଥିବା ବେଳେ ରେଳବାଇ ଦ୍ବାରା ୭୮ ଏକର ଜମିରେ ରହୁଥିବା ଲୋକଙ୍କୁ ଉଚ୍ଛେଦ ନୋଟିସ ପଠାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ହଲ୍‌ଦୱାନିର ୭୮ ଏକର ଜମିରେ ୫ଟି ୱାର୍ଡ ରହିଛି। ଅଞ୍ଚଳରେ ୯୦ ପ୍ରତିଶତ ବାସିନ୍ଦା ହେଉଛନ୍ତି ମୁସଲିମ। ଅଧିକାଂଶ ପରିବାର ୧୯୧୦ରୁ ଏହି ଅଞ୍ଚଳରେ ରହୁଛନ୍ତି। ଅଞ୍ଚଳରେ ୨୫ ହଜାର ଭୋଟର ଅଛନ୍ତି। ଏହା ସହିତ ଅନେକ ଗର୍ଭବତୀ, ବୟସ୍କ ଏବଂ ୧୫ ହଜାର ଶିଶୁ ମଧ୍ୟ ଅଛନ୍ତି। ଲୋକଙ୍କୁ ଜାନୁଆରି ୯ ସୁଦ୍ଧା ଘର ଛାଡ଼ିବାକୁ କୁହାଯାଇଥିଲା। କିନ୍ତୁ ଏହାକୁ ବିରୋଧ କରି ବ୍ୟାପକ ‌ଆନ୍ଦୋଳନ ହୋଇଛି। କେବଳ ମୁସ୍‌ଲିମ ବହୁଳ ଅଞ୍ଚଳ ହୋଇଥିବାରୁ ଉଚ୍ଛେଦ କରାଯାଉଛି ‌ବୋଲି ମଧ୍ୟ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର