ଭାରତୀୟ ସେନାର ଅଧାରୁ ଅଧିକ ଯବାନ ତୀବ୍ର ମାନସିକ ଚାପରେ ଅଛନ୍ତି : ରିପୋର୍ଟ

ନୂଆଦିଲ୍ଲୀ : ଭାରତୀୟ ସେନା ଏକ ଶକ୍ତିଶାଳୀ ଓ ଶୃଙ୍ଖଳିତ ସେନା ଭାବେ ସାରା ବିଶ୍ବରେ ପରିଚିତ  । ତେବେ  ଭାରତୀୟ ସେନା ସମ୍ପର୍କରେ ଆସିଥିବା ଏକ ଗବେଷଣା ରିପୋର୍ଟ ଚିନ୍ତା ସୃଷ୍ଟି କରିଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ସେନାର ପ୍ରାୟ ଅଧାରୁ ଅଧିକ ଯବାନ ତୀବ୍ର ମାନସିକ ଚାପରେ ଅଛନ୍ତି ।

ୟୁନାଇଟେଡ ସର୍ଭିସ ଇନଷ୍ଟିଚ୍ୟୁସନ ଅଫ ଇଣ୍ଡିଆ (ୟୁଏସଆଇ) ପକ୍ଷରୁ ଜାରି ଏକ ରିପୋର୍ଟରେ କୁହାଯାଇଛି ଯେ ବିଭିନ୍ନ ସାମରିକ ଓ ଅଣସାମରିକ କାରଣରୁ ଭାରତୀୟ ସେନାର ଯବାନମାନେ ତୀବ୍ର ମାନସିକ ଚାପରେ ରହୁଛନ୍ତି । ଏହି କାରଣରୁ ବର୍ଷକୁ ଶତ୍ରୁ ଆକ୍ରମଣରେ ଯେତିକି ଯବାନ ମରୁନାହାନ୍ତି ତାଠାରୁ ଅଧିକ ଯବାନ ଆତ୍ମହତ୍ୟା, ନିଜ ସାଥୀ ଯବାନଙ୍କ ହତ୍ୟା ଓ ଅନ୍ୟାନ୍ୟ ଅଣସାମରିକ କାରଣରୁ ପ୍ରାଣହରାଉଛନ୍ତି । ଏଦିଗରେ ସରକାର ତୁରନ୍ତ ଜରୁରୀ ପଦକ୍ଷେପ ଗ୍ରହଣ ନ କଲେ ସ୍ଥିତି ଆହୁରି ଖରାପ ଆଡ଼କୁ ଗତି କରିବ ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ୟୁଏସଆଇରେ ସିନିୟର ରିସର୍ଚ୍ଚ ଫେଲୋ ଥିବା କର୍ନେଲ ଏ.କେ.ମୋର କହିଛନ୍ତି ଯେ ସବୁବେଳେ ଆତଙ୍କବାଦ ନିରୋଧୀ ଓ ଅନୁପ୍ରବେଶ ନିରୋଧୀ ଅଭିଯାନ ଚାଲୁ ରହିବା ଯବାନମାନଙ୍କ ମାନସିକ ଚାପ ଓ ଅବସାଦର ମୁଖ୍ୟ କାରଣ ।

ଯବାନଙ୍କ ମାନସିକ ଚାପ କମ କରିବାକୁ ସେନା ପକ୍ଷରୁ ଗତ କିଛି ବର୍ଷ ହେଲା ଅନେକ ପଦକ୍ଷେପ ନେଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁନାହିଁ ବୋଲି ରିପୋର୍ଟରେ କୁହାଯାଇଛି ।

ସମ୍ବନ୍ଧିତ ଖବର