ମୁମ୍ବାଇ: ମହାରାଷ୍ଟ୍ରର କୋଭିଡ୍‌ ପୀଡ଼ିତମାନଙ୍କଠାରୁ ଅଭିନବ କରୋନାଭୂତାଣୁର ଜୈବିକ ଅନୁକ୍ରମ ଅନୁଧ୍ୟାନ ପାଇଁ ପଠାଯାଇଥିବା ୫୦ ପ୍ରତିଶତ ନମୁନାରେ ଭାରତୀୟ ପ୍ରଜାତିର ଦ୍ବୈତ ରୂପାନ୍ତରିତ କରୋନାଭୂତାଣୁର ସତ୍ତା ରହିଥିବା ଜଣାଯାଇଛି। ବି.୧.୬୧୭ ନାମକ ଏହି ସାର୍ସ-କୋଭ୍‌-୨ କରୋନାଭୂତାଣୁ ଅତି କ୍ଷିପ୍ର ଏବଂ ମାତ୍ରାଧିକ ସଂକ୍ରମଣଶୀଳ ହୋଇଥିବା ବେଳେ ଏବେ ଏହାର ଉପସ୍ଥିତି ବିଶେଷଜ୍ଞମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ସୂଚନା ଥାଉ କି, ଏହି ଭାରତୀୟ ପ୍ରଜାତିର ରୂପାନ୍ତରିତ ଭୂତାଣୁ ପ୍ରଥମେ ଦିଲ୍ଲୀ ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଜିନୋମିକ୍ସ ଆଣ୍ଡ୍‌ ଇଣ୍ଟିଗ୍ରେଟିଭ୍‌ ବାୟୋଲୋଜି(ଆଇଜିଆଇବି) ପରୀକ୍ଷାଗାରରେ ଟିହ୍ନଟ ହୋଇଥିଲା।

Advertisment

ଏଥିରେ କରୋନାଭୂତାଣୁ ଏକାବେଳକେ ଏଲ୍‌୪୫୨ଆର୍ ଏବଂ ଇ୪୮୪କେ ନାମକ ଦୁଇ ପ୍ରକାରର ରୂପାନ୍ତରକୁ ଆପଣେଇପାରୁଛି ଯାହା ଆଣ୍ଟିବଡିଠାରୁ ମଧ୍ୟ ଖସି ପଳାଇବାର ସାମର୍ଥ୍ୟ ଯୋଗାଉଛି। ଅପରପକ୍ଷେ, ପଠାଯାଇଥିବା ନମୁନାଗୁଡ଼ିକ ମଧ୍ୟରୁ ସର୍ବାଧିକ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରୁ ଯାଇଥିବା ବେଳେ ସେଠାରେ ପୂର୍ବରୁ ଏହି ପ୍ରଜାତି ବାହାରିନଥିବା ଅନ୍ୟତମ ଚିନ୍ତାର କାରଣ ହୋଇଛି। ସୂଚନାନୁଯାୟୀ, ଦେଶର ୧୦ଟି ଜାତୀୟ ପରୀକ୍ଷାଗାରରେ ମୋଟ ୧୩,୬୧୪ଟି ନମୁନାର ଜୈବିକ ଅନୁକ୍ରମ ଅନୁଧ୍ୟାନ କରାଯାଇଥିବା ବେଳେ ଏ ସଂକ୍ରାନ୍ତ ସବିଶେଷ ବିବରଣୀ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇନାହିଁ। ତେବେ ସେଥିରେ ୧,୧୦୯ଟି ନମୁନାରେ ୟୁକେ ପ୍ରଜାତି(ବି.୧.୧.୭), ୭୯ଟି ନମୁନାରେ ଦକ୍ଷିଣ ଆଫ୍ରିକା ପ୍ରଜାତି(ବି.୧.୩୫୧) ଓ ଗୋଟିଏ ନମୁନାରେ ବ୍ରାଜିଲ ପ୍ରଜାତି(ପି.୧)ର ରୂପାନ୍ତରିତ କରୋନାଭୂତାଣୁ ମିଳିଥିବା ଜଣାଯାଇଛି।