ନୂଆଦିଲ୍ଲୀ: ଭାରତରେ ପାଖାପାଖି ୫୦ କୋଟି ଛାତ୍ରଛାତ୍ରୀ ଘରୋଇ ବିଦ୍ୟାଳୟମାନଙ୍କରେ ନାମ ଲେଖାଇଛନ୍ତି, ଯାହା କି ମୋଟ ଛାତ୍ରଛାତ୍ରୀଙ୍କର ପ୍ରାୟ ୫୦ ପ୍ରତିଶତ ବୋଲି ଜଣାଯାଇଛି। ଅପରପକ୍ଷେ, ସରକାରୀ ବିଦ୍ୟାଳୟରେ ନାମଲେଖା ୧୯୭୮ ମସିହାରେ ୭୪.୧ ପ୍ରତିଶତ ରହିଥିବା ବେଳେ ୨୦୧୭ରେ ତାହା ୫୨.୨ ପ୍ରତିଶତକୁ ଖସି ଆସିଛି। ତେବେ ସରକାରୀ ତଥ୍ୟକୁ ଭିତ୍ତି କରି ମିଳିଥିବା ନିର୍ଯାସ ଅନୁଯାୟୀ, ସରକାରୀ ବିଦ୍ୟାଳୟଠୁ ଭଲ କରି ମଧ୍ୟ ଆକାଂକ୍ଷିତ ଶିକ୍ଷାପ୍ରଦ ଫଳାଫଳ ହାସଲ କରିବା ଲାଗି ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆହୁରି ଅନେକ ବାଟ ଯିବାକୁ ହେବ ବୋଲି କୁହାଯାଇଛି।

Advertisment

ଏ ଦିଗରେ ସେଣ୍ଟ୍ରାଲ ସ୍କୋୟାର ଫାଉଣ୍ଡେସନ କରିଥିବା ଅଧ୍ୟୟନ ଅନୁସାରେ, ଘରୋଇ ବିଦ୍ୟାଳୟର ସାଢ଼େ ୪୫ ପ୍ରତିଶତ ପିଲା ସେମାନଙ୍କ ମାସିକ ଦେୟ ୫୦୦ ଟଙ୍କାରୁ କମ୍‌ ଦେଉଥିଲେ ବି ବର୍ଷକୁ ଏହି ଶିକ୍ଷାନୁଷ୍ଠାନଗୁଡ଼ିକର ଆମ ଦେଶର ଅର୍ଥନୀତି ପ୍ରତି ୧.୭୫ କୋଟି ଅବଦାନ ରହିଛି। ସେଥିରୁ ସେଭଳି ଶିକ୍ଷାନୁଷ୍ଠାନଗୁଡ଼ିକର କିଭଳି ସଂଖ୍ୟାବୃଦ୍ଧି ହୋଇଚାଲିଛି ତାହା ହିଁ ଆଲୋଚ୍ୟ ବିଷୟ ସାଜିଛି। ସୂଚନାଯୋଗ୍ୟ, ଘରୋଇ ଶିକ୍ଷା ପ୍ରଣାଳୀର ବିଭିନ୍ନ ଦିଗଗୁଡ଼ିକ ହେଲା, ନିଜର ଗୁଣବତ୍ତା ସମ୍ପର୍କରେ ନିର୍ଦ୍ଦିଷ୍ଟ ଅଭିଭାବକମାନଙ୍କୁ ବୁଝାଇବା, ବର୍ଷକୁ ବର୍ଷ ନାମଲେଖା ବଢ଼ିଚାଲିଛି ବୋଲି ଦର୍ଶାଇ ଖର୍ଚ୍ଚ ଦୃଷ୍ଟିରୁ ସାର୍ବଜନୀନ ଗ୍ରହଣୀୟତା ତଥା ମୁଖ୍ୟସ୍ରୋତରେ ସେମାନଙ୍କ ଅନୁଷ୍ଠାନର ଅନ୍ତର୍ଭୁକ୍ତୀକରଣ ଆଦି ବିଷୟରେ ଅବଗତ କରାଇ ସେମାନଙ୍କୁ ଆକର୍ଷିତ କରିବା। ଏ ପ୍ରସଙ୍ଗରେ କର୍ଣ୍ଣାଟକର ମରୁଡ଼ି ଉପଦ୍ରୁତ ମୂଲବଗାଲ ଇଲାକାର କାଶୀପୁରା ଗାଁରେ ବିଗତ ଦୁଇ ଦଶନ୍ଧି ଧରି ପିଲାମାନଙ୍କ ଶିକ୍ଷାଗ୍ରହଣ ପ୍ରକ୍ରିୟା ହିଁ ବିଶେଷ ଗୁରୁତ୍ବ ରଖୁଛି। ଉକ୍ତ ଗାଁରେ ରହିଥିବା ତିନିଟି ଶିକ୍ଷାନୁଷ୍ଠାନ ମଧ୍ୟରୁ ପ୍ରଥମଟି ଗୋଟିଏ ୩୪ ବର୍ଷର ସରକାରୀ ବିଦ୍ୟାଳୟ ଯେଉଁଠି ଆଗରୁ ୬୦ ଜଣ ପିଲା ପଢୁଥିଲେ, ଏବେ ମାତ୍ର ୯ ଜଣରେ ସୀମିତ ରହିଛି। ସେହିପରି ଦ୍ବିତୀୟଟି ହେଉଛି ଏକ ୨୮ ବର୍ଷର ଘରୋଇ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟ ଯାହାର ଅନୁମୋଦିତ ବିଦ୍ୟାର୍ଥୀ ସଂଖ୍ୟା ୧୦୩ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୦ ଜଣ ନାମ ଲେଖାଇଛନ୍ତି। ଅପରପକ୍ଷେ, ମାତ୍ର ୧୫ ବର୍ଷର ତୃତୀୟ ତଥା ସମ୍ପୂର୍ଣ୍ଣ ବେସରକାରୀ ଏବଂ ଅନୁଦାନରୁ ବଞ୍ଚିତ ଶିକ୍ଷାନୁଷ୍ଠାନଟି ନିଜକୁ ଆନ୍ତର୍ଜାତିକ ବିଦ୍ୟାଳୟ ବୋଲି ଦାବି କରୁଥିବା ବେଳେ ସେଠାରେ ଏବେ ୧୮୨ ଜଣ ବିଦ୍ୟାର୍ଥୀ ଅଛନ୍ତି। ଯଦିଓ ବିଗତ ଦଶବର୍ଷ ହେଲା ଏହିସବୁ ବେସରକାରୀ ତଥା ଅନୁଦାନରହିତ ଶିକ୍ଷାନୁଷ୍ଠାନମାନଙ୍କରେ ନାମଲେଖା ଆଶାତୀତ ଭାବେ ବଢ଼ିଛି, ତେବେ ଏହି ଧାରା ଚଳିତ ଶତାବ୍ଦୀର ଆରମ୍ଭରୁ ହିଁ ଆରମ୍ଭ ହୋଇଛି। ବିଗତ ନବେ ଦଶକରେ ବିଶ୍ବ ଅର୍ଥନୈତିକ ଉଦାରୀକରଣ ଯୋଗୁଁ ଲୋକମାନଙ୍କର ଉପାର୍ଜ୍ଜନ ଯଥେଷ୍ଟ ବଢ଼ିବା ପରିପ୍ରେକ୍ଷୀରେ ଏଭଳି ସ୍ଥିତି ଦେଖାଦେଇଛି। ସରକାରୀ ସ୍କୁଲରେ ମାଗଣା ବହି, ପୋଷାକ ଏବଂ ମଧ୍ୟାହ୍ନ ଭୋଜନ ସତ୍ତ୍ବେ ଘରୋଇ ବିଦ୍ୟାଳୟ ପ୍ରତି ଆକର୍ଷଣ ବଢ଼ିଚାଲିଛି। ତେବେ ବିଦ୍ୟାର୍ଥୀମାନଙ୍କ ଗୁଣାତ୍ମକ ଶିକ୍ଷାଗ୍ରହଣରେ ଅବନତି ହିଁ ଚିନ୍ତାର କାରଣ ହୋଇଛି। ଗ୍ରାମାଞ୍ଚଳରେ ରହିଥିବା ଘରୋଇ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୫ ପ୍ରତିଶତ ଦ୍ବିତୀୟ ଶ୍ରେଣୀର ଏକ ମୌଳିକ ଅନୁଚ୍ଛେଦ ପଢ଼ିବାକୁ ଅସମର୍ଥ। ସେହିପରି ପଞ୍ଚମ ଶ୍ରେଣୀର ୬୦ ପ୍ରତିଶତ ବିଦ୍ୟାର୍ଥୀ ଏକ ତିନି ଅଙ୍କ ବିଶିଷ୍ଟ ସଂଖ୍ୟାକୁ ଏକ ଅଙ୍କିଆ ସଂଖ୍ୟା ଦ୍ବାରା ବିଭାଜନ କରିପାରନ୍ତିନାହିଁ। ସେହିପରି ଦଶମ ଶ୍ରେଣୀର ପ୍ରତି ପାଞ୍ଚ ଜଣରୁ ଚାରି ଜଣଙ୍କ ହାରାହାରି ମାର୍କ ୫୦ ପ୍ରତିଶତରୁ କମ୍‌ ରହିଥିବା ଜଣାଯାଇଛି।