ବ୍ରିଟେନ ଫେରନ୍ତା ଯାତ୍ରୀ ନୂଆ ଭୁତାଣୁ ଦ୍ବାରା ସଂକ୍ରମିତ ହୋଇଥାଇପାରନ୍ତି : ବିଶେଷଜ୍ଞ

ନୂଆଦିଲ୍ଲୀ : ବ୍ରିଟେନରେ ଦେଖାଦେଇଥିବା ନୂଆ କରୋନା ଭୁତାଣୁକୁ ନେଇ ଦେଶବ୍ୟାପୀ ଆତଙ୍କ ଖେଳିଯାଇଛି । ସ୍ଥିତିକୁ ଦେଖି ମହାରାଷ୍ଟ୍ର, କର୍ଣ୍ଣାଟକ ପ୍ରଭୃତି କେତେକ ରାଜ୍ୟ ପୁଣି ରାତି କର୍ଫ୍ୟୁ ଲଗାଇଛନ୍ତି । କେନ୍ଦ୍ର ସରକାର ବିମାନ ବନ୍ଦର ଗୁଡ଼ିକରେ ସତର୍କତା ଜାରି କରିଛନ୍ତି ।

ଇତି ମଧ୍ୟରେ ବିଶେଷଜ୍ଞମାନେ କେତେକ ଚିନ୍ତାଜନକ କଥା କହିଛନ୍ତି । କରୋନା ପଜିଟିଭ ଚିହ୍ନଟ ପ୍ରାୟ ଅର୍ଦ୍ଧେକ ବ୍ରିଟେନ ଫେରନ୍ତା ଯାତ୍ରୀ ଏହି ନୂଆ ଭୁତାଣୁ ଦ୍ବାରା ଆକ୍ରାନ୍ତ ହେବାର ଆଶଙ୍କା ରହିଛି ବୋଲି ହାଇଦ୍ରାବାଦ ସ୍ଥିତି ସେଣ୍ଟର ଫର ସେଲୁଲାର ଏଣ୍ଡ ମଲେକୁଲାର ବାୟୋଲୋଜୀ (ସିସିଏମବି) ର ନିର୍ଦ୍ଦେଶକ ଡ. ରାକେଶ ମିଶ୍ର କହିଛନ୍ତି ।
ସେ କହିଛନ୍ତି ଯେ ବ୍ରିଟେନ ଫେରନ୍ତା ପ୍ରାୟ ୨୦ ଜଣ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବ୍ରିଟେନରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ନୂଆ ଭୁତାଣୁ ଦ୍ବାରା ସଂକ୍ରମିତ ହୋଇଥିବାରୁ ପଜିଟିଭ ଚିହ୍ନଟ ହୋଇଥିବା ୨୦ ବ୍ରିଟେନ ଫେରନ୍ତା ଯାତ୍ରୀଙ୍କ ମଧ୍ୟରୁ ଅତିକମରେ ଅଧା ଯାତ୍ରୀ ଏହି ନୂଆ ଭୁତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଏହି ଯାତ୍ରୀମାନଙ୍କୁ ଅଲଗା କ୍ବାରାଣ୍ଟାଇନରେ ରଖି ଚିକିତ୍ସା କରାଯିବାର ଆବଶ୍ୟକତା ରହିଛି । ତେବେ ଯେଉଁମାନେ କିଛି ମାସ ତଳେ ଫେରିଥିଲେ, ସେମାନଙ୍କର ପରୀକ୍ଷା କରାଯିବାର ଆବଶ୍ୟକତା ନାହିଁ ବୋଲି ଡ. ମିଶ୍ର କହିଛନ୍ତି ।

ସମ୍ବନ୍ଧିତ ଖବର