ଦେଶର ଅଧା ଲୋକ ମାସ୍କ ପିନ୍ଧୁନାହାନ୍ତି, ଯେତିକି ପିନ୍ଧୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଠିକ ଭାବେ ପିନ୍ଧୁନାହାନ୍ତି : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : କରୋନା ମହାମାରୀ ଦେଶକୁ କବଳିତ କରି ରଖିଥିଲେ ବି ଦେଶର ଅନେକ ଲୋକ ଏବେ ବି ସତର୍କତା ଅବଲମ୍ବନ କରୁନାହାନ୍ତି । ଏକ ଅଟକଳ ଅନୁସାରେ ଦେଶର ମୋଟ ଜନସଂଖ୍ୟାର ଅଧା ମାସ୍କ ପିନ୍ଧୁନାହାନ୍ତି । ଯ଼େତିକି ଲୋକ ମାସ୍କ ପିନ୍ଧୁଛନ୍ତି ସେମାନଙ୍କ ମଧ୍ୟରୁ ୬୪ ପ୍ରତିଶତ ମାସ୍କ ତ ପିନ୍ଧୁଛନ୍ତି କିନ୍ତୁ ତାହା କେବଳ ପାଟିକୁ ଆବୃତ କରୁଛି ଓ ନାକ ଖୋଲା ରହୁଛି । ୨୦ ପ୍ରତିଶତ ଲୋକ ଥୋଡ଼ିରେ ଓ ୨ ପ୍ରତିଶତ ବେଗରେ ମାସ୍କ ପିନ୍ଧୁଛନ୍ତି । ମାସ୍କ ପିନ୍ଧୁଥିବା ଲୋକଙ୍କ ମଧ୍ୟରୁ ମାତ୍ର ୧୪ ପ୍ରତିଶତ ଲୋକ ଠିକଭାବରେ ମାସ୍କ ପିନ୍ଧୁଛନ୍ତି ବୋଲି କେନ୍ଦ୍ର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟର ଯ଼ୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ।
ଓଡ଼ିଶା ସମେତ ଦେଶର ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ପଜିଟିଭିଟି ହାର ୧୫ ପ୍ରତିଶତରୁ ଅଧିକ ରହିଛି । ଓଡ଼ିଶାରେ ଗତ ୧୩ରୁ ୧୯ ମେ ସପ୍ତାହରେ ପଜିଟିଭିଟି ହାର ୨୨.୫ ପ୍ରତିଶତକୁ ହ୍ରାସ ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟର ଯ଼ୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ।
ବିଗତ କିଛି ଦିନ ହେଲା ଦେଶରେ ନିୟମିତଭାବେ ସଂକ୍ରମଣ କମିଚାଲିଛି , ଗତ ୨୪ ଘଣ୍ଟାରେ ଦେଶରେ ପ୍ରାୟ ୨.୭୬ ଲକ୍ଷ ନୂଆ ମାମଲା ଦେଖାଦେଇଛି । ତାହା ମଧ୍ୟରୁ ୭୭ ପ୍ରତିଶତ ମାମଲା ୧୦ଟି ରାଜ୍ୟରେ ଚିହ୍ନଟ ହୋଇଛି ବୋଲି ସେ କହିଛନ୍ତି ।
ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ,ଗୁଜୁରାଟ, ଦିଲ୍ଲୀ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଗତ ୩ ସପ୍ତାହ ହେଲା ପଜିଟିଭିଟି ହାରରେ ହ୍ରାସ ପରିଲକ୍ଷିତ ହୋଇଛି । ତାମିଲନାଡ଼ୁ ଓ ଉତ୍ତର-ପୂର୍ବରାଜ୍ୟ ଯ଼େପରିକି ମେଘାଳୟ, ତ୍ରିପୁରା, ମିଜୋରାମ, ମଣିପୁର, ସିକ୍କିମ ଓ ନାଗାଲାଣ୍ଡରେ ଦ୍ରୁତଗତିରେ ସଂକ୍ରମଣ ହାର ବୃଦ୍ଧି ପାଇଚାଲିଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର