ଲକ୍‌ଡାଉନ୍‌ରେ ଅଧା ବିଶ୍ବ: ଇଟାଲିରେ ହାହାକାର, ମୃତ୍ୟୁସଂଖ୍ୟା ୬ ହଜାର ଅତିକ୍ରମ କଲା

ବିଶ୍ବବ୍ୟାପୀ ୧୭,୩୦୦ ମୃତ, ଆମେରିକାରେ ମୃତ୍ୟୁସଂଖ୍ୟା ୬ ଶହ ଛୁଇଁଲା, ସ୍ପେନ୍‌ରେ ୨୭୦୦ ମୃତ

ୱାସିଂଟନ: କରୋନା ଭାଇରସ୍‌ ମହାମାରୀ ଯୋଗୁଁ ଏବେ ଅଧା ବିଶ୍ବ ଲକ୍‌ଡାଉନ୍‌ରେ ରହିଛି। ଜୀବନଯାତ୍ରା ଅଚଳ ହେବା ସହ ସବୁକିଛି ଠପ୍‌ ହୋଇଯାଇଛି। ଏସିଆ, ୟୁରୋପ, ମଧ୍ୟପ୍ରାଚ୍ୟ ଏବଂ ଆମେରିକାରେ କରୋନାଜନିତ ବିପର୍ଯ୍ୟୟ ଭୟାନକ ସ୍ଥିତି ସୃଷ୍ଟି କରିଛି। ୧୯୬ଟି ରାଷ୍ଟ୍ରରେ ପହଞ୍ଚିଥିବା କରୋନା ଏ ପର୍ଯ୍ୟନ୍ତ ୧୭, ୩ ଶହ ଲୋକଙ୍କ ଜୀବନ ନେଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଛୁଇଁଲାଣି। ଇଟାଲିରେ କରୋନା ମହାମାରୀ ସବୁଠାରୁ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି ଏବଂ ଏଠାରେ ୬ ହଜାର ୨ ଶହ ଲୋକଙ୍କ ମୃତ୍ୟୁ ଘଟିଲାଣି। ଏବେ ଇଟାଲିରେ ୬୪ ହଜାର ଆକ୍ରାନ୍ତ ଥିବା ବେଳେ ଏଠାରେ ସବୁକିଛି ଠପ୍‌ ହୋଇଯାଇଛି। ମହାମାରୀକୁ ରୋକିବା ପାଇଁ ନିଆଯାଇଥିବା ପ୍ରୟାସ ବିଭିନ୍ନ ଅଂଚଳରେ ବିଫଳ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ସ୍ପେନ୍‌ରେ ୨ ହଜାର ୭ ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଜର୍ମାନୀରେ ୧୩୦ ଜଣଙ୍କ ମୃତ୍ୟୁ ହୋଇଛି। ସ୍ପେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ଛୁଇଁଲାଣି। ଫ୍ରାନ୍ସରେ କରୋନା ଭାଇରସ୍‌ ଯୋଗୁଁ ୮୬୦ ଜଣଙ୍କ ମୃତ୍ୟୁ ହୋଇଛି। ଇରାନ୍‌ରେ ମୃତ୍ୟୁ ସଂଖ୍ୟ ୨ ହଜାରରେ ପହଞ୍ଚିଲାଣି ଏବଂ ପ୍ରାୟ ୨୫ ହଜାର ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି।

ଆମେରିକାରେ ମଧ୍ୟ କରୋନା ଭାଇରସ୍‌ ମହାମାରୀ ଭୟାନକ ସ୍ଥିତି ସୃଷ୍ଟି କରିଛି। ଏଠାରେ ୪୬ ହଜାରରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ୬ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ନ୍ୟୁୟର୍କ ସହରରେ ୧୫୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬୦୦ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି । କରୋନା ଭାଇରସ୍‌ ଯୋଗୁଁ ୟୁରୋପ, ମିଡିଲ୍‌ ଇଷ୍ଟ୍‌, ନର୍ଥ ଆମେରିକା ଏବଂ ଏସିଆରେ ଅନେକ ରାଷ୍ଟ୍ର ସଂପୂର୍ଣ୍ଣ ଲକ୍‌ଡାଉନ୍‌ କରିଛନ୍ତି। ଅନ୍ୟପକ୍ଷରେ ଚୀନ୍‌ରେ ୩ ମାସ ଧରି ବିପର୍ଯ୍ୟୟ ସ୍ଥିତି ପରେ ଏବେ ପରିସ୍ଥିତି ସୁଧୁରିଛି ଏବଂ ଚୀନ୍‌ରୁ ବିଭିନ୍ନ କଟକଣା ହଟୁଛି। ୨ ମାସ ଧରି ଘରେ ବନ୍ଦୀ ଅବସ୍ଥାରେ ରହିଥିବା ଲୋକେ ଏବେ ସ୍ବାଧୀନତା ପାଇ ଖୁସି ଜାହିର କରିଛନ୍ତି। ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧୬ରେ ପହଞ୍ଚିଥିଲେ ମଧ୍ୟ ସରକାର ଏହାକୁ ରୋକିବା ଦିଗରେ କୌଣସି କଠୋର କଟକଣା ଜାରି କରିନାହାନ୍ତି। ପାକିସ୍ତାନରେ ଏ ପର୍ଯ୍ୟନ୍ତ କରୋନାରେ ୭ ଜଣଙ୍କ ମୃତ୍ୟୁ ଘଟିଲାଣି।

ସମ୍ବନ୍ଧିତ ଖବର