ଏପ୍ରିଲ୍‌-ଜୁନ୍‌ରେ ୩.୭ କୋଟି ଅଳଙ୍କାରରେ ହଲ୍‌ମାର୍କ ଚିହ୍ନ

ନୂଆଦିଲ୍ଲୀ : ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍‌) ସୁନା ଅଳଙ୍କାର ଗୁଡ଼ିକରେ ହଲମାର୍କକୁ ବାଧ୍ୟତାମୂଳକ କରିବା ପରେ ଚଳିତ ବର୍ଷ ଏପ୍ରିଲ୍‌-ଜୁନ୍‌ ତ୍ରୈମାସିକରେ ପ୍ରାୟ ୩.୭ କୋଟି ଅଳଙ୍କାର ସାମଗ୍ରୀରେ ହଲମାର୍କ ଚିହ୍ନ ପ୍ରଦାନ କରାଯାଇ ସାରିଛି। ୨୦୨୧-୨୨ରେ ୮.୬୮ କୋଟି ଅଳଙ୍କାର ସାମଗ୍ରୀ ଗୁଡ଼ିକରେ ହଲମାର୍କ ଚିହ୍ନ ଦିଆଯାଇଥିଲା। ୨୦୨୧ ଜୁଲାଇରେ ହଲମାର୍କ ସ୍ୱତନ୍ତ୍ର ଚିହ୍ନଟ (ଏଚ୍‌ୟୁଆଇଡି) ଆଧାରିତ ହଲମାର୍କ ପୋର୍ଟାଲ ଆରମ୍ଭ କରାଯାଇଥିଲା। ଏଥିରେ ଆସେସିଂ ଓ ହଲମାର୍କିଂ କେନ୍ଦ୍ରର ସବୁ କାର୍ଯ୍ୟକୁ ସ୍ୱୟଂଚାଳିତ ଏବଂ ଅନ୍‌ଲାଇନ୍ କରାଯାଇଛି ।

ମାନ୍ୟତାପ୍ରାପ୍ତ ଏଏଚ୍‌ସି ଗୁଡ଼ିକର ସଂଖ୍ୟା ୧,୨୨୦କୁ ବୃଦ୍ଧି ପାଇଛି। ପ୍ରଥମ ପର୍ଯ୍ୟାୟରେ ସୁନା ସାମଗ୍ରୀ ଗୁଡ଼ିକର ୩ଟି ମାନକୁ ଯଥା ୧୪ କ୍ୟାରେଟ୍ (୫୮୫ ଶୁଦ୍ଧତା), ୧୮ କ୍ୟାରେଟ୍ (୭୫୦ ଶୁଦ୍ଧତା) ଏବଂ ୨୨ କ୍ୟାରେଟ୍ (୯୧୬ ଶୁଦ୍ଧତା)କୁ ବାଧ୍ୟତାମୂଳକ ହଲମାର୍କ ପ୍ରଦାନ ଆଦେଶନାମା ଅଧୀନରେ ପରିସରଭୁକ୍ତ କରା ଯାଇଥିଲା । ଏହି ପର୍ଯ୍ୟାୟରେ, ଆଦେଶନାମାକୁ ନିହାତି କମ୍‌ରେ ଗୋଟିଏ ପରୀକ୍ଷଣ ଏବଂ ହଲମାର୍କ ପ୍ରଦାନକାରୀ କେନ୍ଦ୍ର ଥିବା ୨୫୬ଟି ଜିଲ୍ଳାରେ କାର୍ଯ୍ୟକାରୀ କରାଯାଇଥିଲା। ୦୨୨ ଏପ୍ରିଲ୍‌ ୪ରୁ ବାଧ୍ୟତାମୂଳକ ହଲମାର୍କର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରାଯାଇଥିଲା। ସେଥିରେ ୨୦କ୍ୟାରେଟ (୮୩୩ ଶୁଦ୍ଧତା), ୨୩ କ୍ୟାରେଟ (୯୫୮ ଶୁଦ୍ଧତା) ଏବଂ ୨୪ କ୍ୟାରେଟ (୯୯୫ ଶୁଦ୍ଧତା)କୁ ପରିସରଭୁକ୍ତ କରିଥିଲା।

ସମ୍ବନ୍ଧିତ ଖବର