ହାଲ୍‌ ନିର୍ମିତ ବିମାନ ବିଦେଶୀ ଲଢ଼ୁଆ ବିମାନଠାରୁ ବହୁତ ମହଙ୍ଗା; ଖୁଲାସା କଲା ପ୍ରତିରକ୍ଷା ମନ୍ତ୍ରାଳୟ ଅଡିଟ୍‌ ରିପୋର୍ଟ

ବେଙ୍ଗାଲୁରୁ: ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି କି ସରକାରୀ ଉଦ୍ୟୋଗ ହିନ୍ଦୁସ୍ତାନ୍‌ ଏରୋନେଟିକ୍ସ ଲିମିଟେଡ୍‌ (ହାଲ୍‌) ପ୍ରସ୍ତୁତ କରୁଥିବା ଯୁଦ୍ଧ ବିମାନର ଦର ବିଦେଶୀ ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ବିମାନର ଦର ତୁଳନାରେ ଢ଼େର ଅଧିକ। ବିମାନ ପ୍ରତି ଦର ଶହ ଶହ କୋଟି ଅଧିକ ବୋଲି ଜଣାପଡ଼ିଛି।

ପ୍ରତିରକ୍ଷା ମନ୍ତ୍ରାଳୟ ଜାଣିବାକୁ ପାଇଛି ଯେ, ଋଷୀୟ କମ୍ପାନିଠାରୁ ଲାଇସେନ୍ସ ଆଣି ହାଲ୍‌ ନିର୍ମାଣ କରୁଥିବା ଏସ୍‌ୟୁ-୩୦ଏମ୍‌କେଆଇ ଲଢ଼ୁଆ ବିମାନର ଦର ୪୨୭.୬୯ କୋଟି ହୋଇଥିବା ବେଳେ,ଏହାର ମୂଳ କମ୍ପାନି ଏହି ବିମାନକୁ ୨୬୯.୭୭ କୋଟିରେ ବିକ୍ରି କରୁଛି। ଅର୍ଥାତ୍‌ ସମାନ୍‌ ମଡେଲ୍‌ର ବିମାନ ଋଷିଆରେ ନିର୍ମିତ ହୋଇ ପ୍ରାୟ ୧୫୦ କୋଟି ଟଙ୍କା କମ୍‌ ମୂଲ୍ୟରେ ବିକ୍ରି ହେଉଛି। ମାତ୍ର ହାଲ୍‌ ଏହାକୁ ନିର୍ମାଣ କଲେ ବିମାନ ପିଛା ୧୫୦ କୋଟି ଅଧିକ ଖର୍ଚ୍ଚ ହେଉଛି। ଏପରି କାହିଁକି ହେଉଛି ତାହା ପ୍ରତିରକ୍ଷା ମନ୍ତ୍ରାଳୟ ଅଧ୍ୟୟନ କରୁଛି।

ସେହିପରି ବ୍ରିଟିସ୍‌ ଏରୋସ୍ପେଶ ପକ୍ଷରୁ ନିର୍ମିତ ହକ୍‌ ଜେଟ୍‌ ମଧ୍ୟ ହାଲ୍‌ ଅଧିକ ଦର ନେଉଛି। ୨୦୦୪ରେ ଏହାକୁ ୭୮ କୋଟି ଟଙ୍କାରେ ଯୋଗାଇବାକୁ ମୂଳ କମ୍ପାନି ପ୍ରସ୍ତାବ ଦେଇଥିବାବେଳେ ଏହାକୁ ସ୍ୱଦେଶରେ ନିର୍ମାଣ କରି ହାଲ୍‌ ୮୮ କୋଟି ଟଙ୍କାରେ ପ୍ରତିରକ୍ଷା ମନ୍ତ୍ରାଳୟକୁ ବିକ୍ରି କରିଥିଲା। ୨୦୧୦ ମସିହାରେ ହାଲ୍‌ ଏହି ବିମାନକୁ ୯୮ କୋଟି ଟଙ୍କା ଏବଂ ୨୦୧୬ରେ ୧୫୩ କୋଟି ଟଙ୍କାରେ ହାଲ୍‌ ଏହାକୁ ଯୋଗାଇଛି।

ଏହି ପ୍ରସଙ୍ଗ ଅନୁଧ୍ୟାନ କରୁଥିବା ସଂସ୍ଥା ପ୍ରକାଶ କରିଛି କି ଆପାତତଃ ନିର୍ମାଣ ଲାଗି ଆବଶ୍ୟକୀୟ ଦକ୍ଷତାର ଅଭାବ ଏବଂ ଅଧିକ କାର୍ଯ୍ୟ ସମୟ ହେତୁ ‘ହାଲ୍‌’ବିମାନର ଦର ଅଧିକ ହେଉଛି। ବିଦେଶୀ ନିର୍ମାତା ଏହାକୁ କମ୍‌ ଖର୍ଚ୍ଚରେ ନିର୍ମାଣ କରିପାରୁଛନ୍ତି।

ସମ୍ବନ୍ଧିତ ଖବର