ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ହମାସ୍‌କୁ ଜାତିସଂଘ ସୁରକ୍ଷା ଦେଉଛି ଏବଂ ଜାତିସଂଘ ମୁଖ୍ୟଙ୍କ ବୟାନ ଏହାର ପ୍ରମାଣ ବୋଲି ଜାତିସଂଘରେ ଇସ୍ରାଏଲର ରାଷ୍ଟ୍ରଦୂତ କହିଛନ୍ତି। ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ତାଙ୍କର ଏଭଳି ଆଭିମୁଖ୍ୟ ପାଇଁ ତତ୍କାଳ ଇସ୍ତଫା ଦିଅନ୍ତୁ ବୋଲି ଇସ୍ରାଏଲ ଦାବି କରିଛି। ଇସ୍ରାଏଲ ରାଷ୍ଟ୍ରଦୂତ ଜିଲାଡ ଏର୍ଡାନ କହିଛନ୍ତି, ‘ଇସ୍ରାଏଲର ବୟସ୍କ, ମହିଳା ଏବଂ ଶିଶୁଙ୍କ ଗଣହତ୍ୟା ପ୍ରତି ସହମତି ଦେଖାଇଥିବା ବ୍ୟକ୍ତି ଜାତିସଂଘର ନେତୃତ୍ବ ନେବାପାଇଁ ଆଦୌ ଯୋଗ୍ୟ ନୁହନ୍ତି। ସେ ତୁରନ୍ତ ଇସ୍ତଫା ଦେବା ଉଚିତ। ଜିଲାଡ କହିଛନ୍ତି, ଇସ୍ରାଏଲର ନାଗରିକ ଏବଂ ଇହୁଦୀମାନଙ୍କ ପ୍ରତି ଅତି ଭୟଙ୍କର ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ପ୍ରତି ଯେଉଁମାନେ ଦୟା ଦେଖାଇଛନ୍ତି ସେମାନଙ୍କ ସହ କଥା ହେବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ସେମାନଙ୍କୁ ନିନ୍ଦା କରିବା ପାଇଁ କୌଣସି ଶବ୍ଦ ମଧ୍ୟ ନାହିଁ। ଏର୍ଡାନ ପୁଣିଥରେ କହିଛନ୍ତି, ଇସ୍ରାଏଲ-ହମାସ ଯୁଦ୍ଧ ସଂକ୍ରାନ୍ତରେ ଜାତିସଂଘ ମୁଖ୍ୟ ଦେଇଥିବା ଟିପ୍ପଣୀରୁ ଏହା ପ୍ରମାଣ ହୋଇଯାଉଛି ଯେ ସେ ଇସ୍ରାଏଲରେ ବାସ୍ତବତାଠାରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରହିଛନ୍ତି ଏବଂ ହମାସ ଦ୍ବାରା ହୋଇଥିବା ଆକ୍ରମଣକୁ ଅନୈତିକ ଢଙ୍ଗରେ ଦେଖିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଜାତିସଂଘ ସୁରକ୍ଷା ପରିଷଦରେ ଗୁଟେରସ କହିଥିଲେ, 'ହମାସ ଆକ୍ରମଣ ବିନା କୌଣସି କାରଣରେ ହୋଇନାହିଁ'। ପାଲେଷ୍ଟିନୀୟମାନେ ୫୬ ବର୍ଷ ଧରି ଶ୍ବାସରୁଦ୍ଧ ହୋଇ ରହିଛନ୍ତି। ସେମାନେ ଧୀରେଧୀରେ ସବୁକିଛି ହରାଇ ଦେଇଛନ୍ତି। ସେମାନେ ସେମାନଙ୍କ ମାଟିରେ ବାରମ୍ବାର ହିଂସା ଦେଖିଛନ୍ତି। ସେମାନଙ୍କ ଅର୍ଥନୀତି ଅଟକି ଯାଇଛି। ଲୋକମାନେ ବିସ୍ଥାପିତ ହୋଇଛନ୍ତି ଏବଂ ସେମାନଙ୍କ ଘର ମାଟିରେ ମିଶିଯାଇଛି।’ ତେବେ ପାଲେଷ୍ଟିନୀୟ ନାଗରିକଙ୍କ ଦୁଃଖ ଏବଂ ଅସୁବିଧା ପାଇଁ ହମାସ ଆକ୍ରମଣ ଯଥାର୍ଥ ନୁହେଁ ଏବଂ ଏହି ଭୟାନକ ଆକ୍ରମଣ ପାଇଁ ପାଲେଷ୍ଟିନୀୟ ନାଗରିକଙ୍କ ସାମୁହିକ ଦଣ୍ଡ ବି ଯଥାର୍ଥ ନୁହେଁ ବୋଲି ଗୁଟେରସ କହିଥିଲେ। ଗୁଟେରସଙ୍କ ଏହି ଟିପ୍ପଣୀକୁ ଇସ୍ରାଏଲ କଡ଼ା ନିନ୍ଦା କରିଛି। ଇସ୍ରାଏଲ ବିଦେଶ ମନ୍ତ୍ରୀ ଏଲି କୋହେନ ଏଥିପାଇଁ ଗୁଟେରସଙ୍କ ସହ ଏକ ବୈଠକ ବାତିଲ କରିଛନ୍ତି ଏବଂ ଜାତିସଂଘ ଅଧିକାରୀଙ୍କ ଭିସା ମଧ୍ୟ ବାତିଲ କରାଯାଇଛି। ଇତିମଧ୍ୟରେ ଜାତିସଂଘ ଅଧିକାରୀମାନେ ଗାଜାରେ ଅତି ଭୟଙ୍କର ମାନବୀୟ ସଙ୍କଟ ଉପୁଜିଥିବା କହିଛନ୍ତି ଏବଂ ତୁରନ୍ତ ଅସ୍ତ୍ରବିରତି ପାଇଁ ଦାବି କରିଛନ୍ତି।