ଗାଜା ସିଟି: ହମାସ ଆତଙ୍କବାଦୀ ସଂଗଠନ  ଗାଜା ସିଟିରେ ୮ ଜଣ ପାଲେଷ୍ଟାଇନ ନାଗରିକଙ୍କୁ ଇସ୍ରାଏଲର ଗୁପ୍ତଚର ବୋଲି ଅଭିଯୋଗ କରି ସାର୍ବଜନୀନ ଭାବେ ଗୁଳିକରି ହତ୍ୟା କରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି ଯେ ମୁହଁରେ କପଡ଼ା ବନ୍ଧା  ହୋଇଥିବା ଓ ହାତ ବାନ୍ଧି ରଖାଯାଇଥିବା ଏହି ବ୍ୟକ୍ତିମାନଙ୍କୁ ହମାସର ମୁଖାପିନ୍ଧା ଆତଙ୍କୀମାନେ ମୁଣ୍ଡକୁ ଗୁଳି କରି ହତ୍ୟା କରୁଛନ୍ତି। ଏହି ସମୟରେ ଦର୍ଶକମାନେ ‘ଆଲ୍ଲାହୁ ଆକବର’ ସ୍ଲୋଗାନ ଦେଇ ହମାସର କସମ ବ୍ରିଗେଡକୁ ପ୍ରଶଂସା କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ହତ୍ୟା ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଯୁଦ୍ଧବିରତି ପରେ ହମାସର ତଥାକଥିତ ‘ସୁରକ୍ଷା ଅଭିଯାନ’ର ଅଂଶ ବୋଲି କୁହାଯାଇଛି। ତେବେ ସାଧାରଣ ନାଗରିକଙ୍କ ପ୍ରତି ଏଭଳି ବର୍ବରତାକୁ ବିଭିନ୍ନ ମହଲ କଡ଼ା ନିନ୍ଦା କରିବା ସହ ଏହା ଯୁଦ୍ଧବିରତି ସ୍ଥିତିକୁ ଦୁର୍ବଳ କରିବ ବୋଲି ଚେତାବନୀ ଦେଇଛନ୍ତି।

Advertisment

ଇସ୍ରାଏଲ ପାଇଁ ଗୁପ୍ତଚରଗିରି ଅଭିଯୋଗ
୨୦ ବନ୍ଧକଙ୍କ ମୃତଦେହ ହସ୍ତାନ୍ତର ନେଇ ଟାଳଟୁଳ ନୀତି

ହମାସ ଦ୍ବାରା ୮ ଜଣଙ୍କୁ ହତ୍ୟାର ଭିଡିଓ ଭାଇରାଲ ହେବା ପରେ ଇସ୍ରାଏଲ ଏବେ ସୁରକ୍ଷା ସ୍ଥିତି ସମୀକ୍ଷା କରୁଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ହୋଇଥିବା ଶାନ୍ତି ଚୁକ୍ତି ଅନୁଯାୟୀ, ହମାସ ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ ସମୟରେ ଅପହୃତ ୨୫୧ ଜଣଙ୍କ ମଧ୍ୟରୁ ଜୀବିତ ବନ୍ଦୀଙ୍କୁ ମୁକ୍ତ କରିଛି। ଇସ୍ରାଏଲ ଏହାମଧ୍ୟରେ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରି ଗାଜାରୁ ସୈନ୍ୟ ପ୍ରତ୍ୟାହାର କରିଛି। କିନ୍ତୁ ହମାସ ଏପର୍ଯ୍ୟନ୍ତ ୨୦ ଜଣ ବନ୍ଦୀଙ୍କ ମୃତଦେହ ହସ୍ତାନ୍ତର କରିନାହିଁ, ଯାହା ଯୁଦ୍ଧବିରତିକୁ ବିବାଦୀୟ କରିଛି। ୮ ଜଣଙ୍କ ମୃତଦେହ ରେଡ୍‌କ୍ରସ ଜରିଆରେ ଇସ୍ରାଏଲକୁ ହସ୍ତାନ୍ତର ହୋଇଛି, କିନ୍ତୁ ଅନ୍ୟମାନଙ୍କ ମୃତଦେହ ହସ୍ତାନ୍ତର ନେଇ ବିଳମ୍ବ ଯୋଗୁଁ ଇସ୍ରାଏଲ ସହାୟତା ପ୍ରକ୍ରିୟା ବନ୍ଦ ରଖିଛି। ହମାସର ବର୍ବରତାକୁ ଅନ୍ତର୍ଜାତୀୟ ସମୁଦାୟ ନିନ୍ଦା କରିଛି।  ମାନବାଧିକାର ସଂଗଠନମାନେ ଏହାକୁ ବର୍ବରତା ଆଖ୍ୟା ଦେଇଛନ୍ତି।