ଗାଜା: ଶୁକ୍ରବାର ସକାଳୁ ଇସ୍ରାଏଲ ଓ ହମାସ ମଧ୍ୟରେ ଅସ୍ତ୍ରବିରତି ଆରମ୍ଭ ହୋଇଥିବାବେଳେ ସଂଧ୍ୟାରେ ହମାସ ପକ୍ଷରୁ ବନ୍ଧକ ଥିବା ୧୩ ଜଣ ଇସ୍ରାଏଲୀ ନାଗରିକ ଓ ୧୨ ଜଣ ଥାଇ ନାଗରିକଙ୍କୁ ମୁକ୍ତ କରିଛି ।
ହମାସ ଦ୍ୱାରା ବନ୍ଧକ ଥିବା ୧୨ ଜଣ ଥାଇଲାଣ୍ଡ ନାଗରିକଙ୍କୁ ମୁକ୍ତ କରାଯାଇଛି ବୋଲି ଶୁକ୍ରବାର ଦିନ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରେତା ଥାଭିସିନ୍ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଥାଇଲାଣ୍ଡ ଦୂତାବାସ ଅଧିକାରୀମାନେ ମୁକ୍ତ ହୋଇଥିବା ଲୋକଙ୍କୁ ଆଣିବାକୁ ଯାଉଛନ୍ତି। ଆସନ୍ତା ଏକ ଘଣ୍ଟା ମଧ୍ୟରେ ଦୂତାବାସ ଅଧିକାରୀମାନେ ତାଙ୍କୁ ନେବାକୁ ଯାଉଛନ୍ତି। ଖୁବ୍ ଶୀଘ୍ର ସେମାନଙ୍କ ନାମ ଓ ବିବରଣୀ ପ୍ରକାଶ ପାଇବ।
ଇସ୍ରାଏଲ ଓ ହମାସ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ୪ ଦିନିଆ ଅସ୍ତ୍ରବିରତି ଶୁକ୍ରବାର ସକାଳେ କାର୍ଯ୍ୟକାରୀ ହେବା ପରେ ଇସ୍ରାଏଲରେ ବନ୍ଦୀ ଥିବା ପାଲେଷ୍ଟାଇନ ଏବଂ ଗାଜାରେ ଆତଙ୍କବାଦୀଙ୍କ ଦ୍ୱାରା ବନ୍ଧକ ଥିବା ଡଜନାଧିକ ଲୋକଙ୍କୁ ବିନିମୟ ପାଇଁ ମଞ୍ଚ ପ୍ରସ୍ତୁତ ହୋଇଛି।
ଏହି କୂଟନୈତିକ ସଫଳତା ଗାଜାର ୨.୩ ନିୟୁତ ଲୋକଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ଦେଇଛି, ଯେଉଁମାନେ କିଛି ସପ୍ତାହ ଧରି ଇସ୍ରାଏଲର ବୋମାମାଡ଼ ସହିଛନ୍ତି। ସେପଟେ ଅକ୍ଟୋବର ୭ ହମାସ ଆକ୍ରମଣ ସମୟରେ ବନ୍ଦୀ ହୋଇ ରହିଥିବା ନିଜ ପ୍ରିୟଜନଙ୍କୁ ନେଇ ଚିନ୍ତିତ ଥିବା ଇସ୍ରାଏଲରେ ଥିବା ପରିବାର ପାଇଁ ମଧ୍ୟ ଏହା ଏକ ଆଶ୍ୱସ୍ତି।