ଟେଲ ଅଭିଭ: ଗତ ଅକ୍ଟୋବର ୭ ତାରିଖରେ ହମାସ ଦ୍ବାରା ଆକ୍ରମଣରେ ପ୍ରାଣ ହରାଇଛି ବୋଲି ବିଶ୍ବାସ କରାଯାଉଥିବା ଜଣେ ୯ ବର୍ଷୀୟ ଆଇରିଶ-ଇସ୍ରାଏଲୀ ଝିଅ ୪ ଦିନିଆ ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ଶନିବାର ୧୭ ଜଣ ବନ୍ଧକଙ୍କ ସହ ମୁକ୍ତ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଏମିଲି ଲାଲ ରଙ୍ଗର ଡ୍ରେସ୍ ପିନ୍ଧି ଦଉଡ଼ି ଆସି ବାପାଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ଏମିଲିଙ୍କ ଭଉଣୀ ନାଟାଲି ହାଣ୍ଡଙ୍କ କହିବା ଅନୁଯାୟୀ, ଏମିଲି ଦକ୍ଷିଣ ଇସ୍ରାଏଲର କିବୁଜ ବିରିରେ ଥିବା ଜଣେ ବନ୍ଧୁଙ୍କ ଘରେ ଶୋଇଥିବା ବେଳେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଏମିଲିଙ୍କ ସାଙ୍ଗ ଏବଂ ତାଙ୍କ ମା’ଙ୍କୁ ମଧ୍ୟ ଅପହରଣ କରାଯାଇଥିଲା। ତାଙ୍କ ପରିବାରକୁ ପ୍ରଥମେ କୁହାଯାଇଥିଲା ଯେ ସେମାନେ ହମାସର ଆକ୍ରମଣରେ ନିହତ ହୋଇଛନ୍ତି। ଏମିଲିଙ୍କ ପିତା ଟମାସ ହାଣ୍ଡ, ଯିଏକି ଆଇରିଶ ଅଟନ୍ତି, କହିଛନ୍ତି ଯେ ଯେତେବେଳେ ସେ ତାଙ୍କ ଝିଅର ‘ମୃତ୍ୟୁ’ ଖବର ଶୁଣିଲେ ସେତେବେଳେ ସେ ନିଜେ କାହିଁକି ନ ମଲେ ବୋଲି ଭାବି ଗଭୀର ଦୁଃଖ ପ୍ରକାଶ କରିଥିଲେ। ଟମାସ ପ୍ରାୟ ୩୦ ବର୍ଷ ତଳେ ଇସ୍ରାଏଲ ଚାଲି ଆସିଥିଲେ ଏବଂ ତାଙ୍କ ଇସ୍ରାଏଲୀ ପତ୍ନୀ ଲିୟାଟ୍ ଅନେକ ବର୍ଷ ତଳେ କର୍କଟ ରୋଗରେ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ଏମିଲିର ମୁକ୍ତି ପରେ ତାଙ୍କ ପରିବାର ଅତ୍ୟନ୍ତ ଆନନ୍ଦ ଓ ଆଶ୍ୱସ୍ତି ଅନୁଭବ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp