ୱାସିଂଟନ: ଇସ୍ରାଏଲ ଓ ହମାସ ମଧ୍ୟରେ ଦୀର୍ଘ ଦୁଇ ବର୍ଷ ଧରି ଚାଲିଥିବା ସଂଘର୍ଷ ଶେଷ କରିବା ପାଇଁ ଏକ ଐତିହାସିକ ଶାନ୍ତି ଚୁକ୍ତିର ପ୍ରଥମ ପର୍ଯ୍ୟାୟକୁ ନେଇ ସହମତି ପ୍ରକାଶ ପାଇଛି ବୋଲି ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ସେ ଦାବି କରିଛନ୍ତି ଯେ ଆସନ୍ତା ସୋମବାର ସୁଦ୍ଧା ୫୦ ଜଣ ପଣବନ୍ଦୀଙ୍କ ମୁକ୍ତି ସମ୍ଭବ। ଏହି ବନ୍ଧକଙ୍କ ମଧ୍ୟରେ ମହିଳା, ଶିଶୁ ଓ ବୃଦ୍ଧ ଅଛନ୍ତି। ଏହା ସ୍ଥାୟୀ ଶାନ୍ତି ଆଡ଼କୁ ପ୍ରଥମ ପଦକ୍ଷେପ ହେବ ବୋଲି ଟ୍ରମ୍ପ କହିଛନ୍ତି।
ସୋମବାର ସୁଦ୍ଧା ପଣବନ୍ଦୀଙ୍କ ମୁକ୍ତି ସମ୍ଭବ: ଟ୍ରମ୍ପ
୨୦୨୩ ଅକ୍ଟୋବର ୭ରେ ହମାସର ଆକ୍ରମଣରେ ୧,୨୦୦ ଇସ୍ରାଏଲୀ ନାଗରିକ ନିହତ ହୋଇଥିଲେ ଓ ୨୫୦ରୁ ଅଧିକଙ୍କୁ ପଣବନ୍ଦୀ ଭାବେ ନିଆଯାଇଥିଲା। ଇସ୍ରାଏଲର ପ୍ରତିଆକ୍ରମଣରେ ଗାଜାରେ ୬୦,୦୦୦ରୁ ଅଧିକ ପାଲେଷ୍ଟାଇନ ନାଗରିକ ନିହତ ହୋଇଛନ୍ତି। କତର, ଇଜିପ୍ଟ ଓ ଆମେରିକାର ମଧ୍ୟସ୍ଥତା ପରେ ଏହି ଶାନ୍ତି ଚୁକ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲ ୬ ସପ୍ତାହ ପାଇଁ ଗାଜାରେ ସାମରିକ କାର୍ଯ୍ୟକଳାପ ବନ୍ଦ କରିବ ଓ ପାଲେଷ୍ଟାଇନ କଏଦୀଙ୍କୁ ମୁକ୍ତ କରିବ। ଏହା ସହ ଗାଜାକୁ ମାନବୀୟ ସାହାଯ୍ୟ ମଧ୍ୟ ଯୋଗାଇ ଦିଆଯିବ। ହମାସ କହିଛି, ଏହି ଯୁଦ୍ଧବିରତି ପାଲେଷ୍ଟାଇନବାସୀଙ୍କ ଦୁଃଖ ହ୍ରାସ କରିବ, କିନ୍ତୁ ଇସ୍ରାଏଲର ଏହି ଅଂଚଳ ଉପରେ ଅଧିକାରର ଅନ୍ତ ହେବା ଆବଶ୍ୟକ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କହିଛନ୍ତି, ପଣବନ୍ଦୀଙ୍କ ମୁକ୍ତି ଆମର ପ୍ରାଥମିକତା ଏବଂ ଆତଙ୍କବାଦ ବିରୋଧରେ ବ୍ୟାପକ ସତର୍କତା ପଦକ୍ଷେପ ଜାରି ରହିବ। ସୂଚନାଯୋଗ୍ୟ, ଶାନ୍ତି ଚୁକ୍ତିର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଅବଶିଷ୍ଟ ବନ୍ଧକଙ୍କ ମୁକ୍ତି, ଗାଜାର ପୁନର୍ନିର୍ମାଣ ଓ ସ୍ଥାୟୀ ଯୁଦ୍ଧବିରତି ଅନ୍ତର୍ଭୁକ୍ତ।
ଆମେରିକା ଗାଜା ପୁନର୍ବାସ ପାଇଁ ୧୦୦ କୋଟି ଡଲାର ସାହାଯ୍ୟ ଘୋଷଣା କରିଛି। ଜାତିସଂଘ ଓ ୟୁରୋପୀୟ ସଂଘ ଏହାକୁ ସ୍ୱାଗତ କରିଛନ୍ତି, କିନ୍ତୁ ଇରାନ ଓ ହେଜବୁଲ୍ଲା ଏହାକୁ ଅସ୍ଥାୟୀ ବୋଲି କହି ଚେତାବନୀ ଦେଇଛନ୍ତି। ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ଯେ ହମାସର କଠୋରପନ୍ଥୀ ଗୋଷ୍ଠୀ ସମଗ୍ର ପ୍ରକ୍ରିୟାକୁ ଭଣ୍ଡୁର କରିବାକୁ କୌଣସି ସୁଯୋଗ ହାତଛଡ଼ା କରିବ ନାହିଁ।
ଗାଜା ଶାନ୍ତି ଯୋଜନାକୁ ମୋଦୀଙ୍କ ସ୍ବାଗତ, ନେତାନ୍ୟାହୁଙ୍କ ନେତୃତ୍ବକୁ ପ୍ରଶଂସା
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨୦ ସୂତ୍ରୀ ଗାଜା ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟ ପାଇଁ ଇସ୍ରାଏଲ ଏବଂ ହମାସ୍ ରାଜି ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ସ୍ବାଗତ କରିଛନ୍ତି। ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବାବଦ ଘୋଷଣା କରିବା ପରେ ମୋଦୀ ଟ୍ରମ୍ପଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ମୋଦୀ କହିଛନ୍ତି, ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟ ଚୁକ୍ତିକୁ ଆମେ ସ୍ବାଗତ କରୁଛୁ। ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବଳିଷ୍ଠ ନେତୃତ୍ବର ମଧ୍ୟ ଏହା ଏକ ପ୍ରତିଫଳନ। ମୋଦୀ କହିଛନ୍ତି, ପଣବନ୍ଦୀଙ୍କୁ ମୁକ୍ତ କରିବା ଏବଂ ମାନବୀୟ ସହାୟତା ବୃଦ୍ଧି ଗାଜାର ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରିବ ଏବଂ ଏହା ଏକ ଦୀର୍ଘକାଳିନ ଶାନ୍ତି ପାଇଁ ବାଟ ଫିଟାଇବ ବୋଲି ଆମେ ଆଶା ପ୍ରକଟ କରୁଛୁ।
ଉଲ୍ଲେଖଯୋଗ୍ୟ, ଦୀର୍ଘ ୨ ବର୍ଷର ଯୁଦ୍ଧ ଶେଷ କରିବାପାଇଁ ଇସ୍ରାଏଲ ଏବଂ ହମାସ୍ ଟ୍ରମ୍ପଙ୍କ ୨୦ ସୂତ୍ରୀ ଶାନ୍ତି ଯୋଜନା ଅନ୍ତର୍ଗତ ପଣବନ୍ଦୀ ଏବଂ କଏଦୀଙ୍କୁ ମୁକ୍ତ କରିବା ପାଇଁ ରାଜି ହୋଇଥିବା ନେଇ ଟ୍ରମ୍ପ ଘୋଷଣା କରିବାର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ପୋଷ୍ଟ୍ କରିଛନ୍ତି। ଚୁକ୍ତି କାର୍ଯ୍ୟକାରୀ ହେବାର ୭୨ ଘଣ୍ଟା ମଧ୍ୟରେ ସମସ୍ତ ପଣବନ୍ଦୀ ଏବଂ ପାଲେଷ୍ଟିନୀୟ କଏଦୀ ଅଦଳବଦଳ ହେବେ। ସମସ୍ତ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରିବାପାଇଁ ଏହା ପାଖାପାଖି ୨ ହଜାର ପାଲେଷ୍ଟିନୀୟ କଏଦୀଙ୍କୁ ମୁକ୍ତ କରିବ। ଚୁକ୍ତି ସଂକ୍ରାନ୍ତରେ ନିଜ ଟ୍ରୁଥ୍ ସୋସିଆଲ୍ରେ ଘୋଷଣା କରି ଟ୍ରମ୍ପ କହିଛନ୍ତି, ‘ମୁଁ ଖୁବ୍ ଗର୍ବିତ ଯେ ଇସ୍ରାଏଲ ଏବଂ ହମାସ୍ ଆମ ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ସ୍ବାକ୍ଷର କରିଛନ୍ତି। ଏହାର ଅର୍ଥ ହେଉଛି ସମସ୍ତ ପଣବନ୍ଦୀ ଖୁବ୍ଶୀଘ୍ର ମୁକ୍ତ ହେବେ।