ଇସ୍ରାଏଲ ଉପରେ ହମାସ୍‌ର ପୁଣି କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ: ଗାଜା ଉପରେ ଇସ୍ରାଏଲ୍‌ର ଘାତକ ଆକ୍ରମଣ ଗତ ୮ ମାସ ଧରି ଜାରି ରହିଛି। ଶାନ୍ତି ପ୍ରସ୍ତାବ, ମଧ୍ୟସ୍ଥିଙ୍କ ଅନୁରୋଧ, ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ଚେତାବନୀ, ମିଳିତ ଜାତିସଂଘର ଚାପ, ଆନ୍ତର୍ଜାତିକ କୋର୍ଟର ନିର୍ଦ୍ଦେଶ ସତ୍ତ୍ବେ ଇସ୍ରାଏଲ୍ ପଛକୁ ହଟୁନାହିଁ। ଏଭଳି ସ୍ଥିତିରେ ହମାସ୍‌ ଆଜି (ରବିବାର) ଅଚାନକ ଇସ୍ରାଏଲ୍‌ ରାଜଧାନୀ ଉପରେ ବଡ଼ଧରଣର କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥିରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ଇସ୍ରାଏଲ ପକ୍ଷରୁ କିଛି କୁହାଯାଇ ନାହିଁ।

ହମାସର କ୍ଷେପଣାସ୍ତ୍ର ଆକ୍ରମଣ ପରେ ରାଜଧାନୀ ତେଲ୍‌ ଆଭିଭ୍‌ ଓ କେନ୍ଦ୍ରୀୟ ଇସ୍ରାଏଲ୍‌ରେ ସତର୍କତା ଜାରି କରାଯାଇଛି। ଇସ୍ରାଏଲ୍‌ ଉପରେ ଅପରାହ୍‌ଣ ସୁଦ୍ଧା ୧୨ଟି କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ଜଣାଯାଇଛି। ତେବେ ହମାସର ଏହି ଆକ୍ରମଣରେ ଘଟିଥିବା କ୍ଷୟକ୍ଷତି କିମ୍ବା ମୃତାହତ ସମ୍ପର୍କ‌ରେ ଇସ୍ରାଏଲ୍‌ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ୪ ମାସର ନିରବତା ପରେ ହମାସ ପ୍ରଥମ ଥର ଲାଗି ଆଜି ଏଭଳି ଆକ୍ରମଣ କରିଛି। ଇସ୍ରାଏଲ ଆକ୍ରମଣ ସତ୍ତ୍ବେ ହମାସ ଏବେ ବି ଶକ୍ତିଶାଳୀ ରହିଛି ବୋଲି ତେଲ ଅାଭିଭକୁ ବାର୍ତ୍ତା ଦେବାଲାଗି ଏଭଳି ଆକ୍ରମଣ କରାଯାଇଥିବା ହମାସ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଇସ୍ରାଏଲ ଆଜି ମଧ୍ୟ ରଫା ସହରରେ ଆକ୍ରମଣ ଜାରି ରଖିଛି। ଇସ୍ରାଏଲ ପକ୍ଷରୁ କୁହାଯାଇଛି, ହମାସ ନିପାତ ନହେବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ।

ସୂଚନାଯୋଗ୍ୟ ଯେ ଗାଜା ଉପରେ ଇସ୍ରାଏଲ ଆକ୍ରମଣ ଯୋଗୁଁ ଗତ ୮ ମାସରେ ୩୬ ହଜାରରୁ ଅଧିକ ପାଲେଷ୍ଟେନୀୟ ନାଗରିକ ପ୍ରାଣ ହରାଇଲେଣି। ସମଗ୍ର ଗାଜା ଧ୍ବଂସସ୍ତୂପରେ ପରିଣତ ହୋଇଗଲାଣି। ହଜାର ହଜାର ଶିଶୁ ମଧ୍ୟ ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଗତ ବର୍ଷ ଅକଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହମାସର ଅଚାନକ ହମଲା ପରେ ଇସ୍ରାଏଲ ଏଭଳି ଆକ୍ରମଣ ଜାରି ରଖିଛି। ହମାସ୍‌ର ସେହି ଆକ୍ରମଣରେ ୧୨୦୦ ଇସ୍ରାଏଲୀ ନାଗରିକ ପ୍ରାଣ ହରାଇଥିଲେ। ହମାସ ପକ୍ଷରୁ ୨୫୦ ଇସ୍ରାଏଲୀ ନାଗରିକଙ୍କୁ ପଣବନ୍ଦୀ କରାଯାଇଛି।

ସମ୍ବନ୍ଧିତ ଖବର