ତେଲ୍‌ ଅଭିଭ୍‌: ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ଗତକାଲି ଇସ୍ରାଏଲ ଉପରେ ପ୍ରାୟ ୫ ହଜାର ରକେଟ୍‌ ମାଡ଼ କରି ଧନଜୀବନର ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ଆଜି ଆତଙ୍କବାଦୀମାନେ ବର୍ବରତାର ସବୁ ସୀମା ଟପିଛନ୍ତି। ଜଳ, ସ୍ଥଳ ଓ ଆକାଶ ପଥ ଦେଇ ଇସ୍ରାଏଲରେ ପ୍ରବେଶ କରିଥିବା ୩ ଶହରୁ ଅଧିକ ଆତଙ୍କବାଦୀ ବିଭିନ୍ନ ଅଂଚଳରେ ଲୋକଙ୍କୁ ପଣବନ୍ଦୀ କରି ରଖିବା ସହ ନିର୍ଯାତନା ଦେଇ ହତ୍ୟା କରୁଛନ୍ତି। ବାପା-ମା’ଙ୍କ ସମ୍ମୁଖରେ ପିଲାଙ୍କୁ ନିର୍ଯାତନା ଦେଇ ହତ୍ୟା କରାଯିବାର ଲୋମଟାଙ୍କୁରା ଭିଡିଓ ଜାରି ହୋଇଛି। ଅନେକ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଆତଙ୍କବାଦୀମାନେ ଏକ ସଂଗୀତ ମହୋତ୍ସବରେ ଗୁଳିବର୍ଷା କରିବା ସହ ଇସ୍ରାଏଲ ସମେତ ବ୍ରିଟେନ, ଥାଇଲାଣ୍ଡ, ଜର୍ମାନୀ, ଫ୍ରାନ୍ସ ଆଦି ରାଷ୍ଟ୍ରର ପର୍ଯ୍ୟଟକଙ୍କୁ ପଣବନ୍ଦୀ ରଖିଛନ୍ତି। ପ୍ରାୟ ୨ ଶହ ଲୋକଙ୍କୁ ପଣବନ୍ଦୀ ରଖାଯାଇଥିବା ରିପୋର୍ଟ ମିଳିଛି।

Advertisment

ଶତାଧିକ ପଣବନ୍ଦୀଙ୍କ ସଂପର୍କରେ ତଥ୍ୟ ହାସଲ ହୋଇଥିବାରୁ ବ୍ୟାପକ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଇସ୍ରାଏଲ୍‌ ସେନାର ଅପରେସନ ଜାରି ରହିଛି। ଗାଜା ସମେତ ବିଭିନ୍ନ ଅଂଚଳରେ ଇସ୍ରାଏଲ ସେନାର କାର୍ଯ୍ୟାନୁଷ୍ଠାନରେ ୪୦୦ରୁ ଅଧିକ ହମାସ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଗାଜାରେ ଗ୍ରାଉଣ୍ଡ୍‌ ଅପରେସନ ଆରମ୍ଭ ହୋଇଛି ଏବଂ ଇସ୍ରାଏଲ୍‌ର ଟ୍ୟାଙ୍କ ଗାଜାରେ ପ୍ରବେଶ କରିଛି। ଗାଜା ଛାଡ଼ି ତୁରନ୍ତ ଚାଲିଯିବା ପାଇଁ ନାଗରିକଙ୍କୁ ଚେତାବନୀ ଦିଆଯାଇଛି । ଗତକାଲି ଅପରାହ୍ନରୁ ଆଜି ରାତି ୧୦ଟା ସୁଦ୍ଧା ଗାଜାର ୪୨୬ଟି ଠିକଣାରେ ଇସ୍ରାଏଲ ଆକ୍ରମଣ କରିଛି ଏବଂ ଅନେକ ଆବାସିକ ଅଟ୍ଟାଳିକା ଧୂଳିସାତ କରିଦେଇଛି।

ଇସ୍ରାଏଲ ଏବେ ଅତି ଭୟାନକ ସଙ୍କଟ ଦେଇ ଗତି କରୁଥିବାରୁ ଏଥିରୁ ମୁକୁଳିବା ପାଇଁ ମତଭେଦ ଦୂର କରି ଜରୁରୀ ମିଳିତ ସରକାର ଗଠନ ପାଇଁ ବିଚାରବିମର୍ଶ ଚାଲିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ବିରୋଧୀ ଦଳ ନେତା ୟାୟର ଲାପିଡ ଓ ବେନି ଗେଣ୍ଟ୍‌ଜଙ୍କ ମଧ୍ୟରେ ଆଲୋଚନା ହୋଇଛି । ଇସ୍ରାଏଲର ବଡ଼ ଧରଣର ଗୁଇନ୍ଦା ବିଫଳତାକୁ ନେଇ ଦେଶବ୍ୟାପୀ କ୍ରୋଧ ଓ ହତାଶା ଦେଖିବାକୁ ମିଳିଛି। ବିଭିନ୍ନ ଇସ୍‌ଲାମିକ ରାଷ୍ଟ୍ରରେ ମଧ୍ୟ ଇସ୍ରାଏଲ ନାଗରିକଙ୍କ ଉପରେ ଆକ୍ରମଣକୁ ନେଇ ଅନ୍ତର୍ଜାତୀୟ ସମୁଦାୟ ଉଦ୍‌ବେଗ ପ୍ରକାଶ କରିଛନ୍ତ। ଇଜିପ୍ଟରେ ଆଜି ଜଣେ ପୁଲିସ କର୍ମୀ ଦୁଇ ଜଣ ଇସ୍ରାଏଲୀ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

ଇସ୍ରାଏଲ୍‌କୁ ଜୋ ବାଇଡେନଙ୍କ ଦୃଢ଼ ସମର୍ଥନ
ୱାସିଂଟନ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣକୁ ଶନିବାର ଆମେରିକା ଦୃଢ଼ ନିନ୍ଦା କରିବା ସହ ଏହା ବନ୍ଧୁରାଷ୍ଟ୍ର ଇସ୍ରାଏଲକୁ ପୂର୍ଣ୍ଣ ସମର୍ଥନ କରିବ ବୋଲି ଘୋଷଣା କରିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ଆକ୍ରମଣକୁ ‘ଏକ ଭୟଙ୍କର ମାନବିକ ଟ୍ରାଜେଡି’ ବୋଲି ଅଭିହିତ କରିଛନ୍ତି। ଏଥି ସହ ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇ ତାଙ୍କ ପ୍ରତି ପୂର୍ଣ୍ଣ ସମର୍ଥନ ଜଣାଇଥିବା କହିଛନ୍ତି। ହ୍ବାଇଟ୍‌ହାଉସ୍‌ରୁ ଟେଲିଭିଜନ ଦ୍ବାରା ପ୍ରସାରିତ ଏକ ବାର୍ତ୍ତାରେ ବାଇଡେନ କହିଛନ୍ତି ଯେ, ଆମେରିକା ସର୍ବଦା ଇସ୍ରାଏଲବାସୀଙ୍କ ସହ ରହିଛି। ମୋ ପ୍ରଶାସନ ପାଇଁ ଇସ୍ରାଏଲର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ଜଳ, ସ୍ଥଳ, ଆକାଶମାର୍ଗରେ ଆକ୍ରମଣ ଆରମ୍ଭ କରିଥିବା ଇରାନ-ସମର୍ଥିତ ଆତଙ୍କବାଦୀଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ଇସ୍ରାଏଲର ସମ୍ପୂର୍ଣ୍ଣ ଅଧିକାର ରହିଛି। ଆମେରିକା ଏ ବାବଦରେ ଇସ୍ରାଏଲକୁ ଆର୍ଥିକ ଓ ସାମରିକ ସବୁ ପ୍ରକାର ସାହାଯ୍ୟ କରିବ ବୋଲି ବାଇଡେନ କହିଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ଲୟଡ ଅଷ୍ଟିନ ମଧ୍ୟ ଇସ୍ରାଏଲକୁ ଆବଶ୍ୟକ ସାମରିକ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି।

ଇସ୍ରାଏଲ ଆକ୍ରମଣରେ ଲାଗିଛି ଆମେରିକୀୟ ଡଲାର: ଟ୍ରମ୍ପ
ୱାସିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏକ ବଡ଼ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଉତ୍ତରାଧିକାରୀ ଜୋ ବାଇଡେନ ପରୋକ୍ଷରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ ପାଇଁ ପାଣ୍ଠି ଯୋଗାଇଛନ୍ତି। ସେ ହମାସ ଆକ୍ରମଣକୁ ନିନ୍ଦା କରିବା ସହ ସମସ୍ତ ଶକ୍ତି ଦେଇ ଆତ୍ମରକ୍ଷା କରିବାର ଅଧିକାର ଇସ୍ରାଏଲର ରହିଛି ବୋଲି ଏକ ବିବୃତିରେ କହିଛନ୍ତି। ଟ୍ରମ୍ପ ଅଭିଯୋଗ କରି କହିଛନ୍ତି- ଦୁଃଖର ବିଷୟ ଆମେରିକୀୟ ଟିକସଦାତାଙ୍କ ଡଲାର ଏହି ଆକ୍ରମଣରେ ଖର୍ଚ୍ଚ ହୋଇଛି, ବାଇଡେନ ପ୍ରଶାସନରୁ ଏହି ପାଣ୍ଠି ପରୋକ୍ଷରେ ହମାସ ପାଖକୁ ଯାଇଥିବାର ଅନେକ ରିପୋର୍ଟ କହୁଛି ବୋଲି ସେ ଦାବି କରିଛନ୍ତି। ଟ୍ରମ୍ପ କହିଛନ୍ତି, ଗତମାସରେ ଏକ ବନ୍ଦୀ ବଦଳ ଚୁକ୍ତିନାମା ଅନୁଯାୟୀ ଇରାନକୁ ୬ ବିଲିୟନ ଡଲାର ଦିଆଯାଇଥିଲା। ଇରାନ ଏହି ଡଲାରକୁ ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ହମାସକୁ ଦେଇଛି।

ହ୍ବାଇଟ୍ ହାଉସ୍ ଡେପୁଟି ପ୍ରେସ୍ ସେକ୍ରେଟାରି ଆଣ୍ଡ୍ରୁ ବେଟ୍‌ସ ସୋସିଆଲ ମିଡ଼ିଆରେ କହିଛନ୍ତି, ଟ୍ରମ୍ପଙ୍କ ଅଭିଯୋଗ ସବୁ ଦୃଷ୍ଟିରୁ ଏକ ଲଜ୍ଜାଜନକ ମିଛ। ଯେତେବେଳେ ସବୁ ଦଳ ଇସ୍ରାଏଲ ସପକ୍ଷରେ ଠିଆ ହେବା କଥା ସେତେବେଳେ ଟ୍ରମ୍ପଙ୍କ ଏପରି ମିଥ୍ୟା ଅଭିଯୋଗ ଦୁର୍ଭାଗ୍ୟଜନକ। ଇରାନକୁ ଆମେରିକା ଦେଇଥିବା ଟଙ୍କା କେବଳ ଖାଦ୍ୟ ଓ ଔଷଧ ପରି ମାନବୀୟ ଆବଶ୍ୟକତା ପାଇଁ ଖର୍ଚ୍ଚ କରାଯାଇ ପାରିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଆମେରିକାର ସବୁ ଦଳର ନେତାମାନେ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ବରେ ରହି ଇସ୍ରାଏଲକୁ ସମର୍ଥନ କରିବା ଉଚିତ ବୋଲି ବେଟ୍‌ସ କହିଛନ୍ତି।