ନୂଆଦିଲ୍ଲୀ: ଇସ୍ରାଏଲର ପ୍ରମୁଖ ଗୁପ୍ତଚର ସଂସ୍ଥା ମୋସାଦ ପାଲେଷ୍ଟାଇନର ଆତଙ୍କୀ ସଂଗଠନ ହମାସକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆଣିଛି। ୟୁରୋପୀୟ ସୁରକ୍ଷା ଏଜେନ୍ସିମାନଙ୍କ ସହ ମିଳିତ ଅଭିଯାନରେ ୟୁରୋପରେ ସକ୍ରିୟ ଥିବା ହମାସର ଏକ ବ୍ୟାପକ ଆତଙ୍କୀ ନେଟୱର୍କର ପର୍ଦ୍ଦାଫାସ କରାଯାଇଛି। ଏହି ନେଟୱର୍କ ଅଷ୍ଟ୍ରିୟାର ଭିଏନାରୁ ଜର୍ମାନୀର ବର୍ଲିନ୍ ପର୍ଯ୍ୟନ୍ତ ବ୍ୟାପିଥିଲା ଏବଂ ଇସ୍ରାଏଲ ନାଗରିକଙ୍କୁ ଟାର୍ଗେଟ୍ କରି ବଡ଼ଧରଣର ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲା। ଏଥିରେ ନିରୀହ ନାଗରିକଙ୍କ ଗଣ ସଂହାର ପାଇଁ ଅତି ଭୟାନକ ଯୋଜନା ହୋଇଥିଲା ଏବଂ ଏହାକୁ କାର୍ଯ୍ୟକାରୀ କରିବାକୁ ଅସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ସଂଗ୍ରହ କରାଯାଇଥିଲା ବୋଲି ମୋସାଦ ଦାବି କରିଛି।
ମୋସାଦର ବୟାନ ଅନୁସାରେ, ୨୦୨୫ ସେପ୍ଟେମ୍ବରରେ ଭିଏନାରେ ଏକ ଗୁପ୍ତ ସ୍ଥାନରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀର ଏକ ବଡ଼ ଭଣ୍ଡାର ଜବତ କରାଯାଇଥିଲା। ଏହା ହମାସର ପ୍ରମୁଖ ଅପରେଟିଭ୍ ମହମ୍ମଦ ନଇମ୍ ସହ ଜଡ଼ିତ ଥିଲା, ଯିଏ ଗାଜାର ହମାସ ରାଜନୈତିକ ବ୍ୟୁରୋର ବରିଷ୍ଠ ସଦସ୍ୟ ବାସେମ୍ ନଇମ୍ର ପୁଅ। ବାସେମ୍ ନଇମ୍ ହମାସ ନେତା ଖଲିଲ୍ ଅଲ୍-ହୟ୍ୟାର ନିକଟତମ ସହଯୋଗୀ। ତଦନ୍ତରୁ ଜଣାପଡ଼ିଛି ଯେ, ସେପ୍ଟେମ୍ବରରେ କତରରେ ପିତା-ପୁତ୍ରଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକ ହୋଇଥିଲା, ଯାହା ୟୁରୋପୀୟ ଆତଙ୍କବାଦୀ କାର୍ଯ୍ୟକଳାପକୁ ଅନୁମୋଦନ ଦେବାର ଏକ ବହୁତ ବଡ଼ ସଙ୍କେତ ଥିଲା। ମୋସାଦର ଅଭିଯାନରେ ଜର୍ମାନୀର ବର୍ଲିନରେ ତିନି ସନ୍ଦିଗ୍ଧ ହମାସ ସଦସ୍ୟଙ୍କୁ ଗିରଫ କରାଯାଇଥିଲା, ଯେଉଁମାନେ ଇହୁଦି ବହୁଳ ସ୍ଥାନଗୁଡ଼ିକୁ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିଲେ। ଆଷ୍ଟ୍ରିୟାର ଗୁଇନ୍ଦା ବିଭାଗ (ଡିଏସ୍ଏନ୍) ଏବଂ ଜର୍ମାନୀର ଫେଡେରାଲ୍ ପ୍ରସିକ୍ୟୁଟର୍ସଙ୍କ ସହଯୋଗରେ ଏହି ଅପରେସନ୍ ସଫଳ ହୋଇଥିଲା। ତଦନ୍ତରୁ ତୁର୍କୀରେ ହମାସର ସମର୍ଥକମାନଙ୍କର ବିଭିନ୍ନ ଗୁପ୍ତ ବୈଠକ ସଂପର୍କରେ ମଧ୍ୟ ତଥ୍ୟ ପ୍ରଘଟ ହୋଇଥିଲା।
୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲରେ ହମାସର ଆକ୍ରମଣ ପରେ ଏହି ସଂଗଠନ ୟୁରୋପରେ ନେଟୱର୍କ ବିସ୍ତାର କରିବାକୁ ବ୍ୟାପକ ପ୍ରୟାସ କରିଥିଲା ଏବଂ ଏଥିରେ ସଫଳ ହୋଇଥିଲା। ମୋସାଦର ବୟାନରେ କୁହାଯାଇଛି, ‘ୟୁରୋପୀୟ ଦେଶମାନଙ୍କର ସୁରକ୍ଷା ଏଜେନ୍ସିଗୁଡ଼ିକର ସହଯୋଗ ଯୋଗୁ ହମାସର ବିଶ୍ୱବ୍ୟାପୀ ଧ୍ୱଂସାତ୍ମକ ଯୋଜନାକୁ ରୋକିବାରେ ଆମକୁ ବଡ଼ ସସଫଳତା ମିଳିଛି। ଏହି ଘଟଣା ୟୁରୋପରେ ଇହୁଦୀ ସମ୍ପ୍ରଦାୟର ସୁରକ୍ଷା ନେଇ ନୂତନ ଉଦ୍ବେଗ ସୃଷ୍ଟି କରିଛି। ୟୁରୋପରୁ ହମାସକୁ ମୂଳପୋଛ କରିବା ପାଇଁ ଅନ୍ତର୍ଜାତୀୟ ସହଯୋଗ ଉପରେ ମୋସାଦ ଗୁରୁତ୍ବାରୋପ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/24/untitled-14-2025-11-24-07-31-47.jpg)