ୟୁକ୍ରେନ୍‌କୁ ସହଯୋଗର ହାତ ବଢ଼ିଲା: ବ୍ରି‌ଟେନ୍‌ ସମେତ ୨୭ ରାଷ୍ଟ୍ର ଅସ୍ତ୍ରଶସ୍ତ୍ର ଦେବେ

ରୁଷ୍‌ ମିସାଇଲ୍ ଆକ୍ରମଣରୁ ବଞ୍ଚିଯାଇଥିବା ୟୁକ୍ରେନ୍‌ ଶିକ୍ଷୟିତ୍ରୀ, ମାତୃଭୂମି ପାଇଁ କିଛି ବି କରିପାରିବି

କିବ୍‌ : ରୁଷ୍‌ ସୈନ୍ୟବାହିନୀ ୟୁକ୍ରେନ୍‌ ରାଜଧାନୀ କିବ୍‌ରେ ଆକ୍ରମଣକୁ ବ୍ୟାପକ କରିଛନ୍ତି। କିବ୍‌କୁ ଅକ୍ତିଆର କରିବାପାଇଁ ରୁଷ୍‌ ସବୁ ଶକ୍ତି ଖଟାଇ ଦେଇଛି। ଅନ୍ୟପକ୍ଷେ ୟୁକ୍ରେନ୍‌ କହୁଛି ଏହା ରୁଷ୍‌ର ଆକ୍ରମଣ ଯୋଜନାକୁ ବିଗାଡ଼ି ଦେଇଛି। ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି, ଶନିବାର ସକାଳେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ତାଙ୍କ ଦେଶକୁ ଅସ୍ତ୍ର‌ଶସ୍ତ୍ର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ୟୁକ୍ରେନ୍‌କୁ ସହଯୋଗୀ ରାଷ୍ଟ୍ରମାନଙ୍କଠାରୁ ଏବେ ଅସ୍ତ୍ର ଆସିବା ଆରମ୍ଭ କରିଛି। ଯୁଦ୍ଧ ବିରୋଧୀ ମେଣ୍ଟ କାମ ଦେଉଛି ବୋଲି ଜେଲେନସ୍କି ଟ୍ବିଟ୍‌ କରି କହିଛନ୍ତି। ବ୍ରିଟେନ୍‌ ସମେତ ୨୭ଟି ରାଷ୍ଟ୍ର ୟୁକ୍ରେନ୍‌କୁ ‌ଅସ୍ତ୍ରଶସ୍ତ୍ର ଏବଂ ସାମରିକ ସହାୟତା ପଠାଇବାପାଇଁ ରାଜି ହୋଇଛନ୍ତି ବୋଲି ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ୟୁକ୍ରେନ୍‌କୁ ଅସ୍ତ୍ର ପଠାଇବାପାଇଁ ପୂର୍ବରୁ ଯେଉଁ ରାଷ୍ଟ୍ରମାନେ ମନା କରୁଥିଲେ ସେମାନେ ଏବେ ଅସ୍ତ୍ର ପଠାଇବାକୁ ରାଜି ହୋଇଛନ୍ତି ବୋଲି ସେ କହିଛନ୍ତି।

ରୁଷ୍‌ ମିସାଇଲ୍ ଆକ୍ରମଣରୁ ବଞ୍ଚିଯାଇଥିବା ୟୁକ୍ରେନ୍‌ ଶିକ୍ଷୟିତ୍ରୀ, ମାତୃଭୂମି ପାଇଁ କିଛି ବି କରିପାରିବି
କିବ୍‌ : ୟୁକ୍ରେନର ଜଣେ ଶିକ୍ଷୟିତ୍ରୀ ଓଲେନା କୁରିଲୋ। ବୟସ ୫୨। ରୁଷ୍‌ ୟୁକ୍ରେନ୍‌ରେ କରିଥିବା ଭୀଷଣ ଆକ୍ରମଣ ଯୋଗୁଁ ଯେଉଁ ରକ୍ତପାତ ହୋଇଛି ସେନେଇ ବିଶ୍ବର ପ୍ରମୁଖ ଗଣମାଧ୍ୟମ ଓଲେନାଙ୍କ ଫଟୋ‌କୁ ବ୍ୟବହାର କରିଛନ୍ତି। ଓଲେନା କେବେ ବି ଭାବିନଥିଲେ ଯେ, ତାଙ୍କ ଦେଶରେ ଯୁଦ୍ଧ ସମୟ‌ରେ ତାଙ୍କ ଫଟୋ ଏଭଳି ଭାବେ ବିଶ୍ବ ଗଣମାଧ୍ୟମରେ ପ୍ରକାଶିତ ହେବ। ରୁଷ୍‌ ଆକ୍ରମଣର ପ୍ରଥମ ଦିନରେ ଖାରକିଭ ଅଞ୍ଚଳର ଚୁଗେଭ ସମେତ ଆହୁରି ଅନେକ ସହରରେ ବୋମା ଓ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଓଲେନା ଚୁଗେଭରେ ରହନ୍ତି। ରୁଷ୍‌ର କ୍ଷେପଣାସ୍ତ୍ର ଆକ୍ରମଣରେ ତାଙ୍କ ଘର ଧ୍ବଂସ ହୋଇଯାଇଥିଲା। କିନ୍ତୁ ସେ ବଞ୍ଚି ଯାଇଛନ୍ତି। ଓଲେନା କୁରିଲୋଙ୍କ ବ୍ୟାଣ୍ଡେଜ୍‌ ହୋଇଥିବା କ୍ଷତ ବିକ୍ଷତ ମୁହଁ ଏବେ ଇଣ୍ଟରନେଟ୍‌‌ରେ ଘୁରି ବୁଲୁଛି। କିଛି ପ୍ରମୁଖ ବ୍ରିଟିଶ ଖବରକାଗଜର ପ୍ରଥମ ପୃଷ୍ଠାରେ ମଧ୍ୟ ଏହି ଫଟୋ ପ୍ରକାଶିତ ହୋଇଛି। ଓଲେନା କୁରିଲୋ କହିଛନ୍ତି, ମୁଁ ମୋ ମାତୃଭୂମି ପାଇଁ କିଛି ବି କରିପାରିବି।

ସମ୍ବନ୍ଧିତ ଖବର