ଅଯୋଧ୍ୟା ଜମିକୁ ଦିଅ, ନୋଚେତ କାଶୀ, ମଥୁରା ପାଇଁ ମଧ୍ୟ ଦାବି କରିବୁ : ଭିଏଚପିର ଚରମବାଣୀ 

ଅଯୋଧ୍ୟା : ଅଯୋଧ୍ୟାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ ଧର୍ମ ସଭା ଶେଷ ହୋଇଛି । ଏଥିରେ ଅଯୋଧ୍ୟାର ବିବାଦୀୟ ରାମଜନ୍ମଭୂମି ନିକଟରେ ଯଥାଶୀଘ୍ର ମନ୍ଦିର ନିର୍ମାଣ ପାଇଁ ପରିଷଦ ଓ ସାଧୁସନ୍ୟାସୀମାନେ ଚେତାବନୀ ଶୁଣାଇଛନ୍ତି । ଏହି ସଭାରେ ଏକ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ଯୋଜନା ଓ ରଣକୌଶଳ ସଂପର୍କରେ ଆଲୋଚନା ହୋଇଛି । ସଂପୂର୍ଣ୍ଣ ବିବାଦୀୟ ଜମିକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର ପାଇଁ ସେମାନେ ଦାବି କରିଛନ୍ତି । ଏହି ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି ଯେ ମୁସଲମାନେ ଯଥା ଶୀଘ୍ର ବିବାଦୀୟ ଜମି ହସ୍ତାନ୍ତର କରିଦେବା ଉଚିତ । ନୋଚେତ କେବଳ ଅଯୋଧ୍ୟା ନୁହେଁ କାଶୀ, ମଥୁରା ଓଅନ୍ୟ ମନ୍ଦିର ନିକଟରେ ଥିବା ମସଜିଦ ଗୁଡ଼ିକୁ ମଧ୍ୟ ଭାଙ୍ଗିବା ପାଇଁ ଦାବି କରାଯିବ । ବିବାଦୀୟ ଜମିରେ ମୁସଲମାନମାନେ ନମାଜ ପାଠ କରିବା ଉଚିତ ନୁହେଁ ବୋଲି ଭିଏଚପି କହିଛି ।

ଅନ୍ୟପକ୍ଷରେ ଆଜି ଅଯୋଧ୍ୟାରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମଧ୍ୟ ନିଜ ପତ୍ନୀ ରଶ୍ମୀ ଓ ପୁତ୍ର ଆଦିତ୍ୟ ଠାକରେଙ୍କ ସହ ବିବାଦୀୟ ଜମିରେ ନିର୍ମିତ ଅସ୍ଥାୟୀ ମନ୍ଦିରରେ ରାମଲାଲାଙ୍କୁ ଦର୍ଶନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ସରକାର ହିନ୍ଦୁମାନଙ୍କ ଧୈର୍ଯ୍ୟକୁ ସେମାନଙ୍କ ଦୁର୍ବଳତା ବୋଲି ଭାବିବା ଉଚିତ ନୁହେଁ । ରାମ ମନ୍ଦିର ନିର୍ମାଣ ନହେଲେ କେନ୍ଦ୍ରରେ ବିଜେପି ସରକାର ମଧ୍ୟ ରହିବ ନାହିଁ । ମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଆଣିବା ପାଇଁ ସେ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର