ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ: ଅକ୍ସିଜେନ୍ ଯୋଗାଣରେ ବାଧା ଦେଲେ ଫାଶୀ

ନୂଆଦିଲ୍ଲୀ : ଦେଶବ୍ୟାପୀ କରୋନା ସଂକ୍ରମଣ ଉଦ୍‌ବେଗଜନକ ଭାବେ ବ୍ୟାପୀ ଚାଲିଥିବା ବେଳେ ଅକ୍ସିଜେନ୍ ସଙ୍କଟ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ବିଶେଷ କରି ଦିଲ୍ଲୀରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଅକ୍ସିଜେନ୍ ଅଭାବ ଯୋଗୁଁ ଅନେକ ହସ୍‌ପିଟାଲରେ ରୋଗୀ ପ୍ରାଣ ହରାଉଥିବା ବେଳେ କେତେକ ହସପିଟାଲ ରୋଗୀଙ୍କୁ ଅନ୍ୟତ୍ର ଯିବା ଲାଗି କହୁଛନ୍ତି। ପରିସ୍ଥିତି ଏପରି ‌ହୋଇଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଅସହାୟ ହୋଇପଡ଼ିଛନ୍ତି। ଦିଲ୍ଲୀକୁ ତୁରନ୍ତ ଅକ୍ସିଜେନ୍ ପଠାଇବା ଲାଗି ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି।

ପରିସ୍ଥିତି ଗୁରୁତର ହେଉଥିବା ବେଳେ ଦିଲ୍ଲୀ ହାଇକୋର୍ଟ ଏହି ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଭିନ୍ନ ସ୍ଥାନରେ ଅକ୍ସିଜେନ୍ ଯୋଗାଣରେ କେତେକ ବ୍ୟକ୍ତି ବାଧା ସୃଷ୍ଟି କରୁଥିବାରୁ ହାଇକୋର୍ଟ କ୍ଷୋଭ ପ୍ରକାଶ କରିବା ସହିତ ଏଭଳି ବ୍ୟକ୍ତିଙ୍କୁ ଫାଶୀରେ ଝୁଲାଇଦେବୁ ବୋଲି ‌କହିଛନ୍ତି। ଅକ୍ସିଜେନ୍‌ ଯୋଗାଣ ମାମଲାର ଶୁଣାଣି ବେଳେ ଆଜି ହାଇକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି। କହିଛନ୍ତି ଯେ ମହାମାରୀ ଭିତରେ ଲୋକଙ୍କ ଜୀବନ ସହ ଖେଳୁଥିବା ଲୋକଙ୍କୁ ବରଦାସ୍ତ କରାଯିବ ନାହିଁ। ଦେଶରେ ଦ୍ରୁତ କରୋନା ସଂକ୍ରମଣକୁ କୋର୍ଟ ସୁନାମି ବୋଲି କହିଛନ୍ତି। କୋର୍ଟ କହିଛନ୍ତି ଯେ ଏହା ଦ୍ବିତୀୟ ଲହର ନୁହେଁ, ଏହା ବାସ୍ତବରେ ସୁନାମି।

ଦିଲ୍ଲୀରେ ବଡ଼ ହସ୍ପିଟାଲ୍‌ ସମେତ ଅନେକ ଛୋଟ ହସ୍ପିଟାଲ୍‌ ଏବେ ଅକ୍ସିଜେନ୍‌ ଅଭାବଜନିତ ସଙ୍କଟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଦିଲ୍ଲୀ ସରକାର କୋର୍ଟଙ୍କୁ କହିଛନ୍ତି, ଯଦି ଦିଲ୍ଲୀକୁ ୪୮୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌ ତୁରନ୍ତ ନମିଳେ ତେବେ ସ୍ବାସ୍ଥ୍ୟ ଭିତ୍ତିଭୂମି ଭୁଶୁଡ଼ି ପଡ଼ିବ। କୋର୍ଟ ଆଜି ଦିଲ୍ଲୀ ସରକାରଙ୍କୁ କହିଛନ୍ତି, ଅକ୍ସିଜେନ୍‌ ଯୋଗାଣରେ କିଏ ବାଧା ଉପୁଯ‌ାଉଛି ତାହା ସ୍ପଷ୍ଟ କରିବାକୁ ହେବ। ଦୋଷୀ ଚିହ୍ନଟ ହେଲେ ନିସ୍ତାର ପାଇବେ ନାହିଁ।

ଏସଂପର୍କରେ ସଂପୃକ୍ତ ଅଞ୍ଚଳର ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କୋର୍ଟ କହିଛନ୍ତି। ଅନ୍ୟପକ୍ଷେ ଦିଲ୍ଲୀକୁ କେବେ ୪୮୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌ ମିଳିବ ବୋଲି ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ମହାରାଜ ଅଗ୍ରସେନ ହସ୍ପିଟାଲ୍‌ର ଆବେଦନ ଶୁଣାଣି କରି କୋର୍ଟ ଆଜି ଏଭଳି ମତ ରଖିଛନ୍ତି। ଅନ୍ୟପକ୍ଷେ ସଂକ୍ରମଣ ମୁକାବିଲା ଦିଗରେ କେଉଁସବୁ ପଦକ୍ଷେପ ଗ୍ରହଣ ହୋଇଛି ଏବଂ କିଭଳି ପ୍ରସ୍ତୁତି ଚାଲିଛି ସେନେଇ କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର