ଗୁଜରାଟରେ ଝୁଲାପୋଲ ଭାଙ୍ଗିଲା, ୯୧  ମୃତ; ନଦୀରେ ‌ଖସିପଡ଼ି ଶତାଧିକ ଆହତ

ଉଦ୍ଧାର କାର୍ଯ୍ୟରେ ସେନା ସାମିଲ, ରା‌ଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ, ୬ ଲକ୍ଷ ଲେଖାଏଁ ସହାୟତା ଘୋଷଣା

ଗାନ୍ଧୀନଗର : ଗୁଜରାଟର ମୋର୍ବି ଜିଲ୍ଲା ଅନ୍ତର୍ଗତ ମାଚ୍ଛୁ ନଦୀରେ ରବିବାର ସନ୍ଧ୍ୟାରେ ବଡ଼ଧରଣର ଅଘଟଣ ଘଟିଛି। ନଦୀର ଝୁଲା ପୋଲ ଭାଙ୍ଗିଯିବାରୁ ଅତିକମ୍‌ରେ ୯୧ ଜଣଙ୍କର ମୃତ୍ୟୁ ହୋଇଛି। ପୋଲ ଭାଙ୍ଗିବା ସମୟରେ ୫୦୦ରୁ ଅଧିକ ଲୋକ ସେଠାରେ ରହିଥିଲେ।

ଘଟଣା ଅନୁସାରେ, କ୍ଷମତାଠାରୁ ଅଧିକ ଲୋକଙ୍କ ଭିଡ଼ ଯୋଗୁ ଏହି ଐତିହାସିକ ପୋଲ ଆଖି ପିଛୁଳାକେ ନଦୀରେ ଗଳି ପଡ଼ିଥିଲା। ପୋଲ ତଳେ ନଦୀରେ ୧୫ ଫୁଟରୁ ଅଧିକ ଉଚ୍ଚର ପାଣି ପ୍ରବାହିତ ହେଉଥିଲା। ‌ନଦୀକୁ ଖସିପଡ଼ିଥିବା ଏବଂ ପୋଲରେ ଅଟକି ରହିଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର ପାଇଁ ଚିତ୍କାର କରିବାର ଦୃଶ୍ୟ ଅତ୍ୟନ୍ତ ଭୟାନକ ଥିଲା। ଦୁର୍ଘଟଣାରେ ଆହତ ଶତାଧିକ ବ୍ୟକ୍ତିଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୧୦୦ରୁ ଅଧିକ ଲୋକ ଏବେ ବି ନଦୀ ପାଣିରେ ନିଖୋଜ ଅଛନ୍ତି। ତେଣୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି। ଘଟଣାସ୍ଥଳରେ ବାୟୁସେନାର ଗରୁଡ଼ କମାଣ୍ଡୋ ବାହିନୀ, ସ୍ଥଳସେନା, ଏନ୍‌ଡିଆରଏଫ୍‌, ଏସ୍‌ଡିଆର୍‌ଏଫ୍‌ ଏବଂ ଜିଲ୍ଲାର ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

ମୃତକଙ୍କ ମଧ୍ୟରେ ୫୦ରୁ ଅଧିକ ମହିଳା ଓ ଶିଶୁ ଥିବା ପ୍ରାରମ୍ଭିକ ଭାବେ ଜଣାପଡ଼ିଛି। ରାଜ୍ୟ ସରକାର କଣ୍ଟ୍ରୋଲ ରୁମ୍ ଓ ହେଲ୍‌ପଲାଇନ୍‌ ନମ୍ବର (୦୨୮୨୨୨୪୨୨୦୦) ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘଟଣା ସ୍ଥଳରେ ସ୍ଥିତି ତଦାରଖ କରୁଛନ୍ତି।

ନବୀକରଣ ପରେ ଏହି ପାଦଚଲା ଝୁଲା ପୋଲ ୪ ଦିନ ତଳେ ଲୋକଙ୍କ ଯାତାୟାତ ପାଇଁ ଖୋଲା ଯାଇଥିଲା। ଏହା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ। ବୁଲିବା ଲାଗି ସ୍ଥାନୀୟ ଲୋକ ସେହି ପୋଲରେ ଯାତ୍ରା କରିଥା’ନ୍ତି। ବାଇକ କିମ୍ବା ଗାଡ଼ି ଯିବାକୁ ସେଥିରେ ଅନୁମତି ଦିଆଯାଇ ନଥାଏ। ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପିଏମ୍‌ଏନ୍‌ଆର୍‌ଏଫ୍‌ରୁ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ଓ ଆହତ ମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ ନେଇ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଭୟାନକ ଦୁର୍ଘଟଣା ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଉଦ୍ଧାର ଓ ସହାୟତା କାର୍ଯ୍ୟ ପୀଡ଼ିତଙ୍କୁ ଆଶ୍ବସ୍ତି ପ୍ରଦାନ କରିବ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ତିନିଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଦୁର୍ଘଟଣା ପରେ ସେ ତୁରନ୍ତ ମୁଖ୍ୟମନ୍ତ୍ରୀ ପଟେଲଙ୍କ ସହ କଥା ହୋଇଛନ୍ତି। ପରିସ୍ଥିତି ଉପରେ ନଜର ରଖିବା ସହିତ ପ୍ରଭାବିତଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏହି ଘଟଣା ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ତ୍ବରିତ ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର