ଜାନୁୟାରି ୨୨ ତାରିଖରେ ଫାଶୀ ପାଇବେନି ନିର୍ଭୟା ଦୋଷୀ !

ନୂଆଦିଲ୍ଲୀ: ବହୁପ୍ରତୀକ୍ଷିତ ନିର୍ଭୟା ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଜାନୁୟାରି ୨୨ରେ ଫାଶୀ ଦିଆଯାଇ ନ ପାରେ | ଦିଲ୍ଲୀ ହାଇକୋର୍ଟଙ୍କୁ  ଦିଲ୍ଲୀ ସରକାରଙ୍କ ପକ୍ଷରୁ କୁହାଯାଇଛି  ଯେ ଦୋଷୀ ରାଜକ୍ଷମା ଆବେଦନ କରିଥିବାରୁ ଏହା ଉପରେ ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ  ଫାଶୀ ଦିଆଯାଇପାରିବ ନାହିଁ | ରାଷ୍ଟ୍ରପତି କ୍ଷମା ଆବେଦନ ଉପରେ ନିଷ୍ପତ୍ତି ଗ୍ରହଣ କରିବା‌ ପରେ ଦୋଷୀଙ୍କୁ ୧୪ ଦିନର ସମୟ ଦେବାକୁ ହେବ ବୋଲି କୋର୍ଟ କହିଛନ୍ତି | ତେବେ ଦିଲ୍ଲୀ ସରକାରଙ୍କ ଓକିଲ ଆଜି ସ୍ପଷ୍ଟ କରିଛନ୍ତି ଯେ ଜାନୁୟାରୀ ୨୨ ତାରିଖରେ ଫାଶୀ ଦିଆଯାଇ ପାରିବ ନାହିଁ | ଦୋଷୀ ମୁକେଶଙ୍କ ପକ୍ଷରୁ ତାଙ୍କ ନାମ‌ରେ ଜାରି ହୋଇଥିବା ଡେଥ ୱାରେଣ୍ଟକୁ ଚାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଛି। ନିର୍ଭୟା ଦୋଷୀଙ୍କ ଓକିଲ ଯୁକ୍ତି ବାଢ଼ିଛନ୍ତି କି  ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ଥିବାରୁ ଡେଥ୍ ୱାରେଣ୍ଟକୁ ରଦ୍ଦ କରାଯାଉ | ଏହି ମ‌ାମଲାର ଶୁଣାଣି ସମୟରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ପ୍ରଚଳିତ ଜେଲ୍ ଆଇନ ଅନୁସାରେ ରାଷ୍ଟ୍ରପତିଙ୍କ ରାଜକ୍ଷମା ନିଷ୍ପତ୍ତି ପରେ ଦୋଷୀଙ୍କୁ ୧୪ ଦିନ ସମୟ ଦିଆଯିବ ବ୍ୟବସ୍ଥା ରହିଛି ବୋଲି ଅଦାଲତଙ୍କୁ ଅବଗତ କରାଯାଇଛି।

Hindustan

ଏଠାରେ ସୂଚନା ଥାଉ କି ୨୦୧୨ ମସିହାରେ  ଦିଲ୍ଲୀରେ ଘଟିଥିବା ଲୋମଟାଙ୍କୁରା ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଫାଶୀଦଣ୍ଡ ପାଇଥିବା ୪ ଦୋଷୀଙ୍କୁ ମଧ୍ୟରୁ ୨ ଜଣ ଦୋଷୀ ବିନୟ କୁମାର ଶର୍ମା ଏବଂ ମୁକେଶ ସିଂହର କ୍ୟୁରେଟିଭ୍‌ ପିଟିସନ୍‌କୁ ମଙ୍ଗଳବାର ସୁପ୍ରିମ କୋର୍ଟ ଖାରଜ କରିଦେଇଥିଲେ । ଏହାପ‌ରେ ସେମାନେ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ସେମାନଙ୍କୁ ଜାନୁଆରି ୨୨ ତାରିଖ ସକାଳ ୭ଟାରେ ଫାଶୀ ଦିଆଯିବା ଆପାତତଃ ନିଶ୍ଚିତ ହୋଇଯାଇଥିଲା। ଅନ୍ୟପକ୍ଷରେ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ ହେବାପରେ ଦୋ‌ଷୀ ମୁକେଶ ସିଂହ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଛି।

ଉଲ୍ଲେଖଯୋଗ୍ୟ ଯେ ଫାଶୀଦଣ୍ଡ କ୍ଷେତ୍ରରେ ଜଣେ ଦୋଷୀର ଶେଷ  ସାହାରା ହେଉଛି  ରାଷ୍ଟ୍ରପତିଙ୍କ ନିକଟ‌‌ରେ ରାଜକ୍ଷମା ଆବେଦନ । ଜଣେ ଦୋଷୀର ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବାର କ୍ଷମତା ରାଷ୍ଟ୍ରପତିଙ୍କର ରହିଛି। ଯଦି ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ପ୍ରତ୍ୟାଖ୍ୟାନ କରନ୍ତି ତେବେ ଦୋଷୀ ବିନୟ ଏବଂ ମୁକେଶ ବାଦ୍ ଅନ୍ୟ ୨ ଜଣ ଦୋଷୀ ପୱନ ଏବଂ ଅକ୍ଷୟଙ୍କୁ ମଧ୍ୟ ଆସନ୍ତା ୨୨ ସକାଳ ୭ଟାରେ ଫାଶୀ ହୋଇପାରେ ।  ୨୦୧୨ ଡିସେମ୍ବର ୧୬ ତାରିଖର ନିର୍ଭୟା‌ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ମାମଲାରେ ୬ ଜଣ ଦୋଷୀସାବ୍ୟସ୍ତ ହୋଇଥିଲେ। ମୁଖ୍ୟ ଅଭିଯୁକ୍ତ ରାମ ସିଂହ ଜେଲ୍‌ରେ ପୂର୍ବରୁ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଥିଲା ନାବାଳକ। ସେ ୩ ବର୍ଷ ବାଳ ସୁଧାର ଗୃହରେ ରହି ମୁକୁଳି ସାରିଛି।

ସମ୍ବନ୍ଧିତ ଖବର