ଦେଶରେ ‘ଜହ୍ଲାଦ’ ସଙ୍କଟ! ଜାଣନ୍ତୁ, ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବ କେଉଁ ‘ଜହ୍ଲାଦ’

ନୂଆଦିଲ୍ଲୀ: ସମଗ୍ର ଦେଶକୁ ଦୋହଲାଇ ରଖି ଦେଇଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡରେ ସଂପୃକ୍ତ ୪ ଅପରାଧୀଙ୍କ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେବା ପରେ ଏବେ ତିହାର ଜେଲ ପରିସର ମଧ୍ୟରେ ଏହି ୪ ଅଭିଯୁକ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ତେବେ, ଏହି ଫାଶୀ କାର୍ଯ୍ୟକୁ ଚୂଡ଼ାନ୍ତ ରୂପ ଦେବାକୁ ‘ଜହ୍ଲାଦ’ (ଫାଶୀ ଖୁଣ୍ଟରେ ଅପରାଧୀଙ୍କୁ ଝୁଲାଉଥିବା ବ୍ୟକ୍ତି) ଖୋଜିବା ତିହାର ଜେଲ କର୍ତ୍ତୃପକ୍ଷଙ୍କ ପାଇଁ ଏକ କାଠିକର ପାଠ ହୋଇ ପଡ଼ିଛି।

ହସ୍ତଗତ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ତିହାର ଜେଲରେ ଶେଷ ଫାଶୀ ପାଇଥିବା ଅପରାଧୀ ହେଉଛି ଅଫଜଲ୍‌ ଗୁରୁ, ଯିଏକି ପାର୍ଲିଆମେଣ୍ଟ ଆକ୍ରମଣ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ତିହାର ଜେଲରେ ଜହ୍ଲାଦ ରୂପେ ନିଯୁକ୍ତ ମାମୁ ଜହ୍ଲାଦର ଇତି ମଧ୍ୟରେ ପରାଲୋକ ଘଟିଥିବାରୁ ଏବେ ତିହାର ଜେଲରେ ଫାଶୀ ପାଇଥିବା ଅପରାଧୀଙ୍କୁ କେହି ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଜହ୍ଲାଦ ନାହାନ୍ତି। କାରଣ, ସେ ହିଁ ଥିଲା ଏକମାତ୍ର ଜହ୍ଲାଦ।

ଉଲ୍ଲେଖଯୋଗ୍ୟ, ବଂଶାନୁକ୍ରମିକ ଭାବେ ମାମୁ ଜହ୍ଲାଦ ଏହି ପେଷାକୁ ଆପଣାଇ ନେଇଥିଲା। ମାମୁ ଜହ୍ଲାଦର ଜେଜେବାପା ରାମ ରାଖ ମଧ୍ୟ ବ୍ରିଟିଶ ଶାସନ କାଳରେ ଏକ ଜହ୍ଲାଦ ରୂପେ କାର୍ଯ୍ୟ କରୁଥିଲା। ଏବଂ ଶହୀଦ୍‌ ଭଗତ ସିଂହଙ୍କୁ ସେ ଫାଶୀ ଖୁଣ୍ଟରେ ଝୁଲାଇଥିଲା। ମାମୁ ଜହ୍ଲାଦର ବାପା କାଲୁ ମଧ୍ୟ ଏକ ଜହ୍ଲାଦ ଥିଲା। କାଲୁ ଜହ୍ଲାଦ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀ ଖେର ଓ ସତ୍‌ଓ୍ଵନ୍ତ ସିଂହଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଥିଲା। ଖାଲି ଏତିକି ନୁହେଁ କାଲୁ ଓ ମାମୁ ଉଭୟେ ମିଳିତ ଭାବେ ଦୁର୍ଦ୍ଦାନ୍ତ ଅପରାଧୀ ତଥା ହତ୍ୟାକାରୀ ରାଙ୍ଗା ଓ ବିଲ୍ଲାଙ୍କୁ ଫାଶୀଖୁଣ୍ଟରେ ଝୁଲାଇଥିଲେ।

OneIndia

ତେବେ, ବର୍ତ୍ତମାନ ଉଭୟ ମାମୁ ଓ କାଲୁ ଜହ୍ଲାଦଙ୍କର ପରଲୋକ ହୋଇ ଯାଇଥିବାରୁ ଏବେ କାଲୁର ଅନ୍ୟତମ ପୁଅ ତଥା ମାମୁ ଜହ୍ଲାଦର ଭାଇ ପବନ ନିର୍ଭୟା ଗଣଦୁଷ୍କର୍ମକାରୀ ଓ ହତ୍ୟାକାରୀମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବ। କାରଣ, ବର୍ତ୍ତମାନ ପବନ ହିଁ ହେଉଛି ସମଗ୍ର ଦେଶରେ ଏକମାତ୍ର ସ୍ୱୀକୃତିପ୍ରାପ୍ତ ଜହ୍ଲାଦ। ଏବଂ ସେ ଏବେ ମିରଟ ଜେଲରେ ମାସିକ ୩ ହଜାର ଟଙ୍କା ବେତନରେ ଜହ୍ଲାଦ ରୂପେ ନିଯୁକ୍ତ ଅଛି।

ସମ୍ବନ୍ଧିତ ଖବର