ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜ ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ମାଫିଆ ଅତିକ ଅହମ୍ମଦର ଓକିଲ ଖାନ ସୌଲତ ହନିଫ ଆଜି ଏକ ବଡ ଖୁଲାସା କରିଛି | ପୁଲିସ ରିମାଣ୍ଡରେ ପଚରାଉଚରା ବେଳେ ହନିଫ କହିଛି ଯେ ଏହି ଗୁଳିକାଣ୍ଡ ପଛରେ ତାହାର ମଧ୍ୟ ସମ୍ପୃକ୍ତି ଥିଲା | ମିଳିଥିବା ସୂଚନା ମୁତାବକ ପୁଲିସକୁ ହନିଫ କହିଛି ଯେ ଫେବୃଆରୀ ୨୪ରେ, ଉମେଶ ପାଲଙ୍କ ଲୋକେସନ ବାବଦରେ ସେ ହିଁ ସୁଟରମାନଙ୍କୁ ସୂଚନା ଦେଇଥିଲା | ହତ୍ୟା ପୂର୍ବରୁ ସେ ମୋବାଇଲ ମାଧ୍ୟମରେ ଉମେଶ ପାଲଙ୍କ ଲୋକେସନ ବାବଦରେ ଅତିକ ଓ ଅସଦଙ୍କୁ ସୂଚନା ଦେଇଥିଲେ।

Advertisment

ପୁଲିସର ପଚରାଉଚରା ବେଳେ ହନିଫ କହିଛି ଯେ ଉମେଶ ପାଲଙ୍କୁ ହତ୍ୟା କରିବା ପୂର୍ବରୁ ଅସଦ ତାଙ୍କୁ ଏକ ଆଇଫୋନ୍ ଉପହାର ଭାବେ ଦେଇଥିଲା | ଏହି ଆଇଫୋନର ଫେସ୍ ଟାଇମ୍ ଆପ୍ ମାଧ୍ୟମରେ ସେ ଅତିକ, ଅସରଫ, ଅସଦ, ଶାଇସ୍ତା ଏବଂ ଅନ୍ୟ ଗ୍ୟାଙ୍ଗର ସଦସ୍ୟଙ୍କ ସହ କଥା ହେଉଥିଲେ।

କେବଳ ଏତିକି ନୁହେଁ, ଫେବୃଆରୀ ୨୪ରେ, ଘଟଣା ଦିନ, ସେ ଏହି ଫୋନ୍ ମାଧ୍ୟମରେ ଉମେଶ ପାଲ ଯେତେବେଳେ କୋର୍ଟରୁ ବାହାରିଥିଲେ, ସେନେଇ ଅତିକ ଏବଂ ଅସଦଙ୍କୁ ସୂଚନା ଦେଇଥିଲେ। ପୁଲିସ ରିମାଣ୍ଡରେ ଥିବା ସମୟରେ ହନିଫ ଏହା କହିବା ପରେ ଏବେ ପୁଲିସ ପ୍ରିତମନଗରରେ ଥିବା ତା ଘରୁ ଉକ୍ତ ଆଇଫୋନ୍ ଜବତ କରିଛି । ଏହା ବ୍ୟତୀତ ଏକ ପିସ୍ତଲ ଏବଂ ଅନ୍ୟ ଦୁଇଟି ଫୋନ୍ ମଧ୍ୟ ମିଳିଛି।