ହନୁମାନ ବିଶ୍ୱର ସର୍ବ ପ୍ରଥମ ଜନଜାତି: ବିଜେପି ବିଧାୟକ ଜ୍ଞାନଦେବ ଆହୁଜା

ଜୟପୁର: ବିଶ୍ୱର ସର୍ବ ପ୍ରଥମ ଜନଜାତି ହେଉଛନ୍ତି ହନୁମାନ। ଏ କଥା ଦାବି କରିଛନ୍ତି ଅଲ୍‌ଓ୍ଵାର୍‌ର ବିଜେପି ବିଧାୟକ ଜ୍ଞାନ ଦେବ ଆହୁଜା। ଆହୁଜାଙ୍କର ବିଶ୍ୱାସ ହନୁମାନଙ୍କୁ ସମଗ୍ର ଦେଶର ଜନଜାତି ସମ୍ପ୍ରଦାୟ ପୂଜା କରୁଥିଲେ। କାରଣ ସେମାନଙ୍କୁ ନେଇ ହନୁମାନ ଗଠନ କରିଥିବା ସେନାବାହିନୀକୁ ପ୍ରଭୁ ରାମଚନ୍ଦ୍ର ତାଲିମ ଦେଇଥିଲେ।

ବିଧାୟକ ଆହୁରି ମଧ୍ୟ କହିଛନ୍ତି ଯେ ଏପ୍ରିଲ୍‌ ଦୁଇ ତାରିଖ ଦିନ ଭାରତ ବନ୍ଦ ପ୍ରତିବାଦ ସମୟରେ ହନୁମାନଙ୍କର ଏକ ଫଟୋ ଚିତ୍ରକୁ ଅସମ୍ମାନିତ କରାଯାଇଥିବା ଦେଖି ସେ ବିଚଳିତ ହୋଇ ପଡ଼ିଥିଲେ।

ଦଳୀୟ କାର୍ଯ୍ୟାଳରେ ଶୁକ୍ରବାର ଦିନ ସମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଆହୁଜା କହିଛନ୍ତି ଯେ ସେ ବିଜେପି ସାଂସଦ କିରକୋଇ ଲାଲ୍‌ ମୀନାଙ୍କ ସହ କଥାବାର୍ତ୍ତା କରି ତାଙ୍କୁ କହିଛନ୍ତି କି, ତୁମକୁ ଲାଜ ଲାଗିବା କଥା। ତୁମେ ନିଜକୁ ଜନଜାତି ବୋଲି କହୁଛ ପୁଣି ହନୁମାନଙ୍କୁ ଅସମ୍ମାନିତ କରୁଛ। ସେ ପୁଣି କହିଲେ କି, ହିନ୍ଦୁ ଦିଅଁ ହନୁମାନ ହେଉଛନ୍ତି ଜନଜାତିଙ୍କର ପ୍ରଥମ ଦେବତା। ମୁଁ ଜାଣେନା ତାଙ୍କୁ କାହିଁକି ଅସମ୍ମାନିତ କରାଗଲା, ଏଇଟା ଦୁଃଖର ବିଷୟ।

ବିବାଦୀୟ ମନ୍ତବ୍ୟ ଦେବା ଆହୁଜାଙ୍କ କ୍ଷେତ୍ରରେ ନୂଆ କଥା ନୁହେଁ। ସେ ୨୦୧୬ ଫେବ୍ରୁଆରିରେ କହିଥିଲେ କି, ଜେଏନ୍‌ୟୁ କ୍ୟାମ୍ପସ୍‌ରେ ଦୈନିକ ୩୦୦୦ କଣ୍ଡୋମ୍‌ ଏବଂ ୨୦୦୦ ମଦ ବୋତଲ ମିଳୁଛି। ୨୦୧୭ ଡିସେମ୍ବର ମାସରେ କହିଥିଲେ ଯେ ଯେଉଁମାନେ ଗୋହତ୍ୟା ଓ ଗୋରୁ ଚୋରାଚାଲାଣ କରୁଛନ୍ତି ସେମାନଙ୍କୁ ସେହି ରୀତିରେ ହତ୍ୟା କରାଯିବା ଉଚିତ।

ସମ୍ବନ୍ଧିତ ଖବର