ଡ୍ୟୁଟି ସମୟରେ ମାରିଲା ବାତ: ଟ୍ରେନ କଡ଼ରେ ଖସିପଡ଼ିଲେ ରେଲୱେ ପୁଲିସ

ନୂଆଦିଲ୍ଲୀ: ଏମିତି ବି ମୃତ୍ୟୁ ଆସେ, ଆଗ୍ରା ରେଳ ଷ୍ଟେସନରେ କାମକରୁଥିବା ସମୟରେ ଜଣେ ପୁଲିସ କର୍ମୀ ଟ୍ରେନ କଡ଼ରେ ଖସିପଡ଼ି ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ସେହି ମୃତ ରେଲୱେ ପୁଲିସ କର୍ମୀଙ୍କୁ ବାତ ମାରିବାରୁ ସେ ଛିଡ଼ାହୋଇଥିବା ସ୍ଥାନରୁ ପଛପଟକୁ ଖସି ପଡ଼ିଥିଲେ । ମୃତ ପୁଲିସ କର୍ମଚାରୀଙ୍କ ପରିଚୟ ଜଣାପଡ଼ିଛି ।

ସୂଚନା ଅନୁସାରେ ଉକ୍ତ ପୁଲିସ କର୍ମଚାରୀ ଜଣକ ହେଉଛନ୍ତି ଉତ୍ତରପ୍ରଦେଶର ରିଗଲ କୁମାର ସିଂ । ଭିଡିଓଟି ଦେଖିଲେ ସ୍ପଷ୍ଟ ଜଣା ପଡ଼ୁଛି ପୁଲିସ କର୍ମଚାରୀ ଜଣକ ରେଳ ଷ୍ଟେସନର ଫାଙ୍କାସ୍ଥାନରେ ଛିଡ଼ା ହୋଇଛନ୍ତି, ତାଙ୍କ ପଛପଟ ଦେଇ ଏକ ଟ୍ରେନ ଅତିକ୍ରମ କରୁଥିଲା | ସେହି ସମୟରେ ତାଙ୍କୁ ଅଚାନକ ବାତ ମାରିବା କାରଣରୁ ସେ ପାଖାପାଖି ୧୮୦ ଡିଗ୍ରି ବୁଲିଯାଇ ପଛପଟେ ଯାଉଥିବା ଟ୍ରେନ କଡ଼ରେ ପଡ଼ିଯାଇଥିଲେ ।


ପାଖରେ ଜଣେ ବ୍ୟକ୍ତି ବସିଥିଲେ କିନ୍ତୁ କଣ ଘଟିଲା ସେ ବୁଝିପାରିନଥିଲେ । ଦୂରରୁ ଜଣେ ଟିଟିଇ ତାଙ୍କୁ ବଞ୍ଚାଇବାକୁ ଦୌଡ଼ି ଆସିଥିଲେ ହେଲେ ତାଙ୍କୁ ବଞ୍ଚାଇ ପାରିନଥିଲେ । ଡ଼ାକ୍ତରଖାନା ନିଆଯିବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ପରିବାର ଲୋକ ଏଘଟଣା ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହେବାସହ ରିଗଲଙ୍କୁ ଆଗରୁ ଏମିତି ରୋଗ ନଥିବା କହିଛନ୍ତି ।

ସମ୍ବନ୍ଧିତ ଖବର