ତିରୁବନନ୍ତପୁରମ୍: ପୂର୍ବରୁ ସୋସିଆଲ୍ ମିଡିଆରେ ଅନେକ ମଜାଦାର ଘଟଣା ସବୁ ଦେଖିବାକୁ ମିଳିଛି। ନିକଟରେ ଏକ ହାତୀ ଛୁଆର ଜନ୍ମଦିନ ପାଳନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ଚର୍ଚ୍ଚା ପାଲଟିବାରେ ଲାଗିଛି। ହାତୀ ଛୁଆଟିର ନାମ ଶ୍ରୀକୁଟି। ଏହି ହାତୀ ଛୁଆର ପ୍ରଥମ ବାର୍ଷିକୀ ଜନ୍ମଦିନ ପାଳନ ହୋଇଥିବା ଦେଖିବାକୁ ମିଳିଛି।
ଫଟୋରେ ହାତୀ ସମ୍ମୁଖରେ ଏକ ବିରାଟ କେକ୍ ଥୁଆ ହୋଇଥିବାର ଦେଖିବାକୁ ମିଳିଛି। ଶ୍ରୀକୁଟିର ଚାରିପଟରେ ଅନେକ ଲୋକ ଘେରି ରହିଛନ୍ତି। ଏହିପରି ଦୃଶ୍ୟ କୋଟାର ହାତୀ ପୁନର୍ବାସ କେନ୍ଦ୍ରରେ ଦେଖିବାକୁ ମିଳିଛି।
ହାତୀ ସମ୍ମୁଖରେ ଥୁଆ ହୋଇଥିବା କେକ୍ଟି ଭାତ ଏବଂ ମାଣ୍ଡିଆରେ ତିଆରି ହୋଇଛି ବୋଲି ଜାରିବାକୁ ମିଳିଛି। ଶ୍ରୀକୁଟିର ଜନ୍ମଦିନ ଉତ୍ସବ ପାଳନ ନିଷ୍ପତ୍ତି ଇକୋ-ଡେଭଲପମେଣ୍ଟ କମିଟି ପକ୍ଷରୁ ନିଆଯାଇଥିଲା।
ଗତବର୍ଷ ଥେନମାଲାର ଜଙ୍ଗଲ ଅଞ୍ଚଳରୁ ଶ୍ରୀକୁଟିକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଥିବା ବେଳେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିଲା। ତାଙ୍କର ଉତ୍ତମ ଚିକିତ୍ସା କରାଯିବା ପରେ ସେ ସୁସ୍ଥ ହୋଇଥିଲେ। ଯେଉଁଦିନ ଶ୍ରୀକୁଟି ମିଳିଥିଲେ।ସେହିଦିନକୁ ତାଙ୍କ ଜନ୍ମଦିନ ଭାବେ ପାଳନ କରାଯାଉଛି ବୋଲି ସୂଚନା ରହିଛି।
ଡେପୁଟି ୱାଇଲ୍ଡ ଲାଇଫ ୱାର୍ଡେନ ସତୀଶାନ ଏନ ଭି କହନ୍ତି, ‘ଯେତେବେଳେ ଆମେ ଶ୍ରୀକ୍ୟଟିକୁ ପାଇଲୁ, ସେତେବେଳେ ତା’ ଗୋଟିଏ ଗୋଡରେ ଗଭୀର ଆଘାତ ଲାଗିଥିଲା ଏବଂ ଶରୀରରେ ସବୁଆଡେ ଘା’ ହୋଇଯାଇଥିଲା। ସନ୍ଦେହ କରାଯାଉଛି ଯେ ଜଳ ଭାସି ଯିବାରୁ ତାଙ୍କ ପିତାମାତାଙ୍କଠାରୁ ଅଲଗା ହୋଇ ଯାଇଥିଲା। ସେ ସମୟରେ ତା’ର ବଞ୍ଚିବାର ମାତ୍ର ୪୦ ପ୍ରତିଶତ ସମ୍ଭାବନା ଥିଲା।’