ଶାହରୁଖ ଖାନ୍‌ଙ୍କ ପରିବାରରେ ଖୁସି: ମନ୍ନତରେ ଜନ୍ମଦିନ ଓ ଦିୱାଲି

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ବଡ଼ପୁଅ ଆର୍ୟନ୍ ଖାନ୍ ଏନ୍‌ସିବି ଦ୍ବାରା ଏକ ଡ୍ରଗ୍ ମାମଲାରେ ଗିରଫ ହୋଇ ଅକ୍ଟୋବର ୩ରୁ ଜେଲରେ ଥିଲେ। ୨୫ ଦିନ ଜେଲରେ ରହିବା ପରେ ଅକ୍ଟୋବର ୨୮ରେ ବମ୍ବେ ହାଇକୋର୍ଟରୁ ତାଙ୍କୁ ଜାମିନ ମିଳିଛି। ଆର୍ଥର ରୋଡ୍‌ ଜେଲରୁ ଆର୍ୟନ୍ ମୁକ୍ତ ହେବା ପରେ ଖାନ୍ ପରିବାରରେ ଏକ ପ୍ରକାର ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ଶାହରୁଖଙ୍କ ପ୍ରଶଂସକ ଓ ଶୁଭେଚ୍ଛୁମାନେ ଜୁନିୟର ଖାନ୍‌ଙ୍କୁ ତାଙ୍କ ସ୍ନେହ, ଭଲପାଇବା ଓ ସମର୍ଥନ ଜଣାଇଛନ୍ତି। ଦୀର୍ଘ ୨୫ ଦିନ ପରେ ପୁଅ ଘରକୁ ଫେରିବା କିଙ୍ଗ୍ ଖାନ୍ ଓ ଗୌରୀ ପରିବାର ପାଇଁ ଥିଲା ଏକ ଭାବାବେଗର ମୁହୂର୍ତ୍ତ। ପୁଅ ଜେଲରେ ଝଡ଼ିଯାଇଥିବାରୁ ତା’ର ସ୍ବାସ୍ଥ୍ୟ ଫେରାଇ ଆଣିବା ପାଇଁ ମାଆ ଗୌରୀ ଏକ ସ୍ବତନ୍ତ୍ର ଖାଦ୍ୟ ଯୋଜନା ମଧ୍ୟ କରିଥିବା ଜଣାପଡ଼ିଛି।

ଆଉ ଗୋଟିଏ ଆନନ୍ଦର ଦିନ ଖାନ୍ ପରିବାର ପାଇଁ। ନଭେମ୍ବର ୨ ତାରିଖ ହେଉଛି ବଲିଉଡ୍ ବାଦଶାହ ଶାହରୁଖଙ୍କ ଜନ୍ମଦିନ। ତେଣୁ ଖାନ୍ ପରିବାରରେ ଏହି ଦିନଟିକୁ ବଡ଼ ଯାକଜମକରେ ପାଳନ କରାଯିବା ଆଶା କରାଯିବା ସ୍ବାଭାବିକ। ପାର୍ଟି ହେବ, ନାଚଗୀତ ହେବ, ବନ୍ଧୁମିଳନ ହେବ, ‌ଭୋଜିଭାତ ହେବ- ଏସବୁ ସାଧାରଣ କଥା। ସୁପରଷ୍ଟାରମାନଙ୍କ ଜନ୍ମଦିନ ତ କାହିଁ କେତେଗୁଣ ଆଡ଼ମ୍ବରରେ ପାଳନ କରାଯାଇଥାଏ। ଆଉ ଇଏ ତିନିଟା ଖୁସିକୁ ଏକାସଙ୍ଗେ ପାଳନ କରାଯାଉଛି- ଆର୍ୟନ୍ ଜେଲରୁ ଜାମିନରେ ଫେରିବା, ସିନିୟର ଖାନ୍‌ଙ୍କ ଜନ୍ମଦିନ ଏବଂ ଦୀପାବଳି। କିନ୍ତୁ ଲୋକେ ଯେମିତି ଆଶା କରୁଛନ୍ତି ଖାନ୍ ପରିବାର ଠିକ୍ ସେମିତି ନୁହେଁ କିଛି ଭିନ୍ନ ଭାବରେ ଏହାକୁ ପାଳନ କରିବାକୁ ଯୋଜନା କରିଛନ୍ତି।

ବଲିଉଡ୍‌ରେ ବଡ଼, ଖରାପ, ଧମାକା କେତେ କ’ଣ ଘଟିଥାଏ। କିନ୍ତୁ ମନ୍ନତରେ ଏବେ ସମୟ ଭିନ୍ନ ପ୍ରକାର ଚାଲିଛି। ଆପଣମାନେ ଯେମିତି ଭାବୁଛନ୍ତି ସେମିତି ନୁହେଁ। ପରିବାରର ନିକଟ ସୂତ୍ରରୁ ଜଣାପଡ଼ିଛି ଯେ, ମନ୍ନତରେ ଏବେ ଖୁସିର ମାହୋଲ ବିରାଜୁଛି। ପରିବାର ଖୁସି ଅଛନ୍ତି ଓ ସମସ୍ତେ ଏକାଠି ଅଛନ୍ତି। ସୁହାନା ଖାନ୍ ଖୁବ୍‌ ଶୀଘ୍ର ଘରକୁ ଫେରିବା ଆଶା କରାଯାଉଛି। ଉତ୍ସବ ହେବ ସତ କିନ୍ତୁ ଅତି ବଡ଼ ଗହଳି ନ କରି ଅତି ଘନିଷ୍ଠ ଲୋକମାନଙ୍କୁ ନେଇ କରାଯିବ। ମନ୍ନତରେ ଏ ବର୍ଷ କୌଣସି ବଡ଼ ପାର୍ଟି ହେବ ନାହିଁ। କିନ୍ତୁ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରାଯାଇଛି। ସୁହାନା ଏଥର ପରିବାର ସହ ଦୀପାବଳି ପାଳିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର