‘ହର୍ ଘର୍ ଦସ୍ତକ୍‌ ୨.୦’ ଅଭିଯାନ ଆରମ୍ଭ

ଦୁଇମାସ ଧରି ଚାଲିବ, ଘରକୁ ଘର ବୁଲି ସବୁ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ଦିଆଯିବ

ନୂଆଦିଲ୍ଲୀ : ସମଗ୍ର ଦେଶରେ ଆଜିଠାରୁ ଦୁଇମାସ ବ୍ୟାପି ‘ହର୍ ଘର୍ ଦସ୍ତକ୍ ୨.୦’ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ କାଳରେ ଦେଶରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ । ଏହି କାର୍ଯ୍ୟକ୍ରମଟି ମିସନ ମୋଡରେ କାର୍ଯ୍ୟକାରୀ ହେଉଥିବାରୁ ଏଥିରେ ସବୁ ଯୋଗ୍ୟ ବ୍ୟକ୍ତିବିଶେଷଙ୍କୁ କୋଭିଡ ଟିକା ପ୍ରଦାନ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗତ ସପ୍ତାହରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବ, ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକମାନଙ୍କ ସହିତ ଦେଶର କୋଭିଡ ଟିକାଦାନ କାର୍ଯ୍ୟକ୍ରମର ସମୀକ୍ଷା କରିବା ପରେ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ସବୁ ଯୋଗ୍ୟ ବ୍ୟକ୍ତିଙ୍କୁ ଏହା ଦେବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ । ଏଥିରେ ‘ହର୍ ଘର୍ ଦସ୍ତକ’ ଅଭିଯାନର ପ୍ରଥମ ସଂସ୍କରଣର ଅଭିଜ୍ଞତା ଓ ଅନୁଭୂତିକୁ କାର୍ଯ୍ୟରେ ଲଗାଇ ଏହାର ଦ୍ୱିତୀୟ ସଂସ୍କରଣକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟକାରୀ କରି ଲକ୍ଷ୍ୟପୂରଣ କରିବାକୁ ସେ ତାଙ୍କ ଚିଠି ପ୍ରାଦେଶିକ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି।

ପ୍ରଥମ ‘ହର ଘର୍ ଦସ୍ତକ’ ଅଭିଯାନ ୨୦୨୧ ନଭେମ୍ବରରେ ଆରମ୍ଭ ହୋଇଥିଲା । ଏବେ ‘ହର୍ ଘର୍ ଦସ୍ତକ’ ଅଭିଯାନ ୨.୦’ ଚଳିତ ୨୦୨୨ ଜୁନ ପହିଲାରୁ ଆରମ୍ଭ ହୋଇଛି ଓ ଏହା ଜୁଲାଇ ୩୧ ଯାଏ ଚାଲିବ । ଏହି ଅଭିଯାନର ଲକ୍ଷ୍ୟ ହେଲା ଘରକୁ ଘର ବୁଲି ସବୁ ଯୋଗ୍ୟ ନାଗରିକଙ୍କୁ କୋଭିଡ ଟିକାର ସମସ୍ତ ୩ଟି ଯାକ ଡୋଜ (ପ୍ରଥମ, ଦ୍ୱିତୀୟ ଓ ବୁଷ୍ଟର) ପ୍ରଦାନ କରିବା । କେହି ଯେପରି କୋଭିଡ ଟିକାର କୌଣସି ଡୋଜରୁ ବାଦ ନ ପଡ଼ନ୍ତି ଏବଂ ସମସ୍ତେ ପୂର୍ଣ୍ଣାଙ୍ଗ ଡୋଜ ନିଅନ୍ତି ତାହାକୁ ରାଜ୍ୟ ସରକାରମାନେ ଏହି ଅଭିଯାନ କାଳରେ ସୁନିଶ୍ଚିତ କରିବେ । ଏଥିରେ ୬୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ତୃତୀୟ ବା ବୁଷ୍ଟର ଡୋଜ ପ୍ରଦାନ ଏବ ୧୨-୧୪ ବର୍ଷ ବୟସ ବର୍ଗର ପିଲାଙ୍କ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ଗୁରୁ୍‌ତ୍ୱ ଦିଆଯିବ । ଏହାଛଡା ସବୁ ଜରାଶ୍ରମ ଓ କାରଗାର ଅନ୍ତେବାସୀ ସ୍କୁଲ, କଲେଜ ପିଲା ଓ ସ୍କୁଲ ଆସୁ ନ ଥିବା ୧୨ରୁ ୧୫ ବର୍ଷ ବୟସ ପିଲା ଓ ଇଟାଭାଟି ଆଦିରେ କାମ କରୁଥିବା ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦିଆଯାଇଛି । ସବୁ ହିତାଧିକାରୀଙ୍କ ଟିକାକରଣକୁ ନିବିଡଭାବେ ନିରୀକ୍ଷଣ କରିବା ସହିତ ଟିକା ନେଇଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି । ସେହିଭଳି ୧୮ରୁ ୫୯ ବର୍ଷ ବୟସର ଯେଉଁ ଲେକାମାନେ ଘରୋଇ ହସ୍‌ପିଟାଲରେ ପ୍ରିକସନ ଡୋଜ ଟିକା ନେଇଛନ୍ତି ତା’ ଉପରେ ନଜର ଦେଇ ତାହାର ନିୟମିତ ହିସାବ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର