‘ହର ଘର ତ୍ରିରଙ୍ଗା’: ସମାଲୋଚନା ପରେ ଡିପି ବଦଳାଇଲା ଆର୍‌ଏସ୍‌ଏସ୍‌

ନୂଆଦିଲ୍ଲୀ : ୭୫ତମ ସ୍ବାଧୀନତା ଦିବସ ଉପ‌ଲକ୍ଷେ ଦେଶ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ସେମାନଙ୍କ ‌ସୋସିଆଲ ମିଡିଆ ଆକାଉଣ୍ଟ୍‌ର ‘ପ୍ରୋଫାଇଲ ପିକଚର୍‌’(ଡିପି)ରେ ତ୍ରିରଙ୍ଗା ରଖିବାପାଇଁ ଅନୁରୋଧ କରିଛନ୍ତି। ଏହି ଅବସରରେ ଆରଏସଏସ (ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ) ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଆରଏସଏସ ଶୁକ୍ରବାର ଦିନ ଏହାର ସୋସିଆଲ ମିଡିଆ ଆକାଉଣ୍ଟ୍‌ର ଡିପିରୁ ପାରମ୍ପରିକ ପତାକା ହଟାଇ ତ୍ରିରଙ୍ଗା ରଖିଛି। ତେବେ ଜାତୀୟ ପତାକା ଉଡ଼ାଇବା ପ୍ରସଙ୍ଗରେ କଂଗ୍ରେସ ନିକଟରେ ଆରଏସଏସକୁ ସମାଲୋଚନା କରିଥିଲା। କଂଗ୍ରେସ ସାଧାରଣ ସଂପାଦକ ଜୟରାମ ରମେଶ ‘ସଂଘ’କୁ ଇଙ୍ଗିତ କରି କହିଥିଲେ, ନାଗପୁର ସ୍ଥିତ ମୁଖ୍ୟାଳୟରେ ଦୀର୍ଘ ୫୨ ବର୍ଷ ଧରି ଜାତୀୟ ପତାକା ଉଡ଼ାଇ ନଥିବା ଅନୁଷ୍ଠାନ କ’ଣ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ପାଳନ କରିବ। ‌ତେବେ ଏହି ସମାଲୋଚନା ପରେ ଆରଏସଏସ ଏହାର ପ୍ରୋଫାଇଲ ପିକ୍‌ଚରରୁ ସଂଘର ପତାକା କାଢ଼ି ଜାତୀୟ ପତାକା ଲଗାଇଛି।

ଆର୍‌ଏସଏସ ପ୍ରଚାର ଓ ପ୍ରସାର ବିଭାଗ ମୁଖ୍ୟ ନରେନ୍ଦ୍ର ଠାକୁର କହିଛନ୍ତି, ସଂଘ ଏହାର ସମସ୍ତ ଅଫିସରେ ଅନୁଷ୍ଠାନର ପତାକା କାଢ଼ି ଏହି ସ୍ଥାନରେ ଜାତୀୟ ପତାକା ଲଗାଇ ସ୍ବାଧୀନତା ଦିବସ ପାଳନ କରୁଛି। ଆର୍‌ଏସଏସ କର୍ମୀମାନେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି ବୋଲି ଠାକୁର କହିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ନେତା ପୱନ ଖେଡ଼ା କହିଛନ୍ତି, ଅନେକ ଚାପ ପରେ ଶେଷରେ ଆରଏସଏସ ଏହାର ପ୍ରୋଫାଇଲ ଫଟୋ ବଦଳାଇଛି।

ସମ୍ବନ୍ଧିତ ଖବର