ଏକତରଫା ପ୍ରେମ କାଳ ହେଲା: ଚେନ୍ନାଇରେ ମହିଳାଙ୍କୁ ପେଟ୍ରୋଲ ଢାଳି ଜାଳିଦେଲା ହତାଶ ପ୍ରେମିକ

ଚେନ୍ନାଇ: ଚେନ୍ନାଇର ଜଣେ ହତାଶ ଯୁବକ ପ୍ରେମରେ ବିଫଳ ହୋଇ ଜଣେ ମହିଳାଙ୍କୁ ପେଟ୍ରୋଲ ଢାଳି ଜାଳିଦେଇଛି। ମହିଳା ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇନଥିଲା। ଉକ୍ତ ମହିଳାଙ୍କ ନାଁ ସିନ୍ଦୁଜା। ସେ ଚେନ୍ନାଇର ଆଡମ୍ବକମ୍‌ ବାସିନ୍ଦା ଏବଂ ସେ ଓଏମ୍‌ଅମ୍ର୍‌ର ଏକ ଆଇଟି କମ୍ପାନିରେ ଜଣେ ଇଞ୍ଜିନିୟର ଥିଲେ। ସୂଚନାଯୋଗ୍ୟ ଅଭିଯୁକ୍ତ ଆକାଶର ଘର ମଧ୍ୟ ସିନ୍ଦୁଜାଙ୍କ ଘର ନିକଟରେ। ସେ ସିନ୍ଦୁଜାଙ୍କ ଘରକୁ ଅନେକ ସମୟରେ ଯିବା ଆସିବା କରେ। ଗତ କିଛି ମାସ ତଳେ ସେ ସିନ୍ଦୁଜାଙ୍କୁ ପ୍ରେମ ନିବେଦନ କରିଥିଲା। କିନ୍ତୁ ସିନ୍ଦୁଜା ଏହି ଯୁବକର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଅପରପକ୍ଷେ ସିନ୍ଦୁଜାଙ୍କ ଘର ଲୋକେ ଝିଅର ବିବାହ ପାଇଁ ବରପାତ୍ର ଖୋଜିବା ସହ ମାଟ୍ରିମୋନିଆଲ୍‌ ସାଇଟ୍‌ରେ ବିଜ୍ଞାପନ ଦେଇଥିଲେ।

ଏହାଦ୍ୱାରା ଆକାଶ୍‌ କ୍ରୋଧାନ୍ଵିତ ହୋଇ ଗତ ସୋମବାର ଦିନ ସିନ୍ଦୁଜାଙ୍କ ଘରକୁ ଯାଇଥିଲା ଏବଂ ସିନ୍ଦୁଜାଙ୍କ ସହ ପାଟିତୁଣ୍ଡ କରିବା ପରେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଅାଁ ଲଗାଇ ଦେଇଥିଲା। ସିନ୍ଦୁଜାଙ୍କୁ ବଞ୍ଚାଇବାପାଇଁ ଚେଷ୍ଟା କରି ତାଙ୍କ ସାନ ଭଉଣୀ ଏବଂ ମା’ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତିନିଜଣଙ୍କୁ କିଲପକ୍‌ ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ସିନ୍ଦୁଜାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ଭଉଣୀ ଏବଂ ମା’ ଚିକିତ୍ସାଧୀନ ଅଛନ୍ତି। ସିନ୍ଦୁଜାଙ୍କ ବାପା ସାନମୁଗମ୍‌ ଦୁବାଇରେ କାର୍ଯ୍ୟରତ।

ସମ୍ବନ୍ଧିତ ଖବର