ନ୍ୟାୟପାଳିକା ସ୍ବାଧୀନତା ବିପଦରେ : ସୁପ୍ରିମ‌୍‌କୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ପ୍ରଧାନ ବିଚାରପତିଙ୍କୁ ବାର୍‌ କାଉନ୍‌ସିଲ୍‌ର ସମର୍ଥନ, ନିଃସ୍ବାର୍ଥପର ସେବାର ପୁରସ୍କାର: ଜଷ୍ଟିସ୍‌ ଗୋଗଇ

ନୂଆଦିଲ୍ଲୀ : ସୁପ୍ରିମ୍‌ କୋର୍ଟ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ବିରୋଧରେ କୋର୍ଟର ଜଣେ ପୂର୍ବ ମହିଳା କର୍ମଚାରୀ (ଜେସିଓ) ଯୌନ ନିର୍ଯାତନା ଅଭିଯୋଗ ଆଣିବା ଆଲୋଡ଼ନ ସୃଷ୍ଟିକରିଛି। ଆଜି ଏ ବାବଦରେ ସୁପ୍ରିମ୍‌ କୋର୍ଟରେ ଏକ ସ୍ବତନ୍ତ୍ର ଶୁଣାଣି ହୋଇଛି।

ପ୍ରଧାନ ବିଚାରପତି ରଂଜନ ଗୋଗଇ, ବିଚାରପତି ଅରୁଣ ମିଶ୍ର ଏବଂ ବିଚାରପତି ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠ କହିଛନ୍ତି ଯେ, ମହିଳାଙ୍କ ଦ୍ବାରା ଅଣାଯାଇଥିବା ଅଭିଯୋଗ ଉପରେ ଶୁଣାଣି ପାଇଁ ଅନ୍ୟ ବିଚାରପତିଙ୍କୁ ନେଇ ଆଉ ଏକ ଖଣ୍ଡପୀଠ ଗଠନ ହେବ। ସ୍ବତନ୍ତ୍ର ଶୁଣାଣିରେ ଖଣ୍ଡପୀଠ କହିଛନ୍ତି, ନ୍ୟାୟପାଳିକାର ସ୍ବାଧୀନତା ଏବେ ବହୁତ ବଡ଼ ବିପଦର ସମ୍ମୁଖୀନ ହୋଇଛି। ଏଥିସହିତ, ପ୍ରଧାନ ବିଚାରପତି ମାମଲାକୁ ଭିତ୍ତିହୀନ ବୋଲି ଦର୍ଶାଇବା ସହିତ କହିଛନ୍ତି ଯେ, ଆଗାମୀ କିଛି ସପ୍ତାହ ମଧ୍ୟରେ କେତେକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ଥିବାବେଳେ ଏହାକୁ ରୋକିବାକୁ ଏଭଳି ପ୍ରୟାସ ହୋଇଛି। ଏହାପଛରେ କୌଣସି ବଡ଼ ଶକ୍ତିର ହାତ ରହିଛି ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ଜଷ୍ଟିସ୍‌ ମିଶ୍ର ଏବଂ ଜଷ୍ଟିସ୍‌ ଖାନ୍ନା କହିଛନ୍ତି ଯେ ଏହି ମାମଲାରେ ଗଣମାଧ୍ୟମ ଅତ୍ୟନ୍ତ ଦାୟିତ୍ବପୂର୍ଣ୍ଣ ଆଚରଣ ଦେଖାଇବା ଉଚିତ ଏବଂ କୌଣସି ଆଧାର ନଥାଇ ମହିଳାଙ୍କ ଅଭିଯୋଗକୁ ପ୍ରକାଶ କରାଯିବା ଉଚିତ ନୁହେଁ। ତେବେ ଆମେ ଏ ସଂପର୍କରେ ନ୍ୟାୟିକ ଆଦେଶ ଜାରି କରିପାରିବୁ ନାହିଁ ଏବଂ ମାମଲାକୁ ଗଣମାଧ୍ୟମ ଉପରେ ହିଁ ଛାଡ଼ିଦେଉଛୁ ବୋଲି ଖଣ୍ଡପୀଠ କହିଛନ୍ତି।

ଯୌନ ନିର୍ଯାତନା ଅଭିଯୋଗ ଉପରେ ସୁପ୍ରିମ୍‌ କୋର୍ଟଙ୍କ ସ୍ବତନ୍ତ୍ର ଶୁଣାଣିର କାରଣ ସଂପର୍କରେ ଉଲ୍ଲେଖ କରି ପ୍ରଧାନ ବିଚାରପତି ରଂଜନ ଗୋଗଇ କହିଛନ୍ତି ଯେ ‘ ମୁଁ ଆଜି ଅଦାଲତରେ ବସିବା ନେଇ ଅସାଧାରଣ ପଦକ୍ଷେପ ନେଇଛି। କାରଣ ମାମଲା ବହୁତ ଆଗକୁ ବଢ଼ିଯାଇଛି। ନ୍ୟାୟପାଳିକାକୁ କେହି ବଳିର ବୋଦା କରିପାରିବେ ନାହିଁ। ତେଣୁ ଏଭଳି ସ୍ବତନ୍ତ୍ର ଶୁଣାଣି ଆବଶ୍ୟକ ହେଲା।’
କୌଣସି ବଡ଼ ଶକ୍ତି ସିଜେଆଇ କାର୍ଯ୍ୟାଳୟକୁ ନିଷ୍କ୍ରିୟ କରିଦେବାକୁ ପ୍ରୟାସ କରୁଛି ଏବଂ ନ୍ୟାୟପାଳିକାକୁ ଅସ୍ଥିର କରିବା ପାଇଁ ଷଡ଼୍‌ଯନ୍ତ୍ର ହୋଇଛି ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ନିଃସ୍ବାର୍ଥପର ସେବାର ପୁରସ୍କାର: ଜଷ୍ଟିସ୍‌ ଗୋଗଇ

ପ୍ରଧାନ ବିଚାରପତି ଗୋଗଇ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସଂପୂର୍ଣ୍ଣ ଭିତ୍ତିହୀନ ଏବଂ ଅବିଶ୍ବସନୀୟ ବୋଲି ଦର୍ଶାଇ କହିଛନ୍ତି ଯେ ନ୍ୟାୟପାଳିକାରେ ସେ ୨୦ ବର୍ଷ ଧରି ବିଚାରପତି ଭାବେ ନିଃସ୍ବାର୍ଥ ସେବା କରି ଆସିଛନ୍ତି ଏବଂ ତାହାର ପୁରସ୍କାର ତାଙ୍କୁ ମିଳୁଛି। ଏତେ ବର୍ଷର ସେବା ପରେ ବି ତାଙ୍କ ପାଖରେ ମାତ୍ର ୬.୮ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଏବଂ ପିଏଫ୍‌ରେ ୪୦ ଲକ୍ଷ ଟଙ୍କା ରହିଛି ।

ସେ ଆହୁରି ମଧଞ କହିଛନ୍ତି ଯେ, ତାଙ୍କ ବିରୋଧରେ ଦୁର୍ନୀତିର ସାମାନ୍ୟତମ ଅଭିଯୋଗ ନାହିଁ ଏବଂ ଏବେ ଅଭିଯୋଗ ଆଣିବାକୁ ଜଣେ ମହିଳାଙ୍କୁ ଅସ୍ତ୍ର କରାଯାଇଛି।

କେତେକ ଗଣମାଧ୍ୟମ ସଂସ୍ଥା ଜଣେ ମହିଳାଙ୍କ ଦ୍ବାରା ଅଣାଯାଇଥିବା ଭିତ୍ତିହୀନ ଅଭିଯୋଗକୁ ପ୍ରକାଶ କରିଛନ୍ତି। ସେହି ମହିଳାଙ୍କର ଅପରାଧିକ ପୃଷ୍ଠଭୂମି ରହିଛି ଏବଂ ସେ ୪ ଦିନ ଜେଲ୍‌ରେ ମଧ୍ୟ ରହିଛନ୍ତି ବୋଲି ପ୍ରଧାନବିଚାରପତି କହିଛନ୍ତି।

ଅନ୍ୟପକ୍ଷରେ ପ୍ରଧାନ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣିଥିବା ସୁପ୍ରିମ୍‌ କୋର୍ଟର ପୂର୍ବ ଜେସିଓ ତାଙ୍କ ସତ୍ୟପାଠରେ କହିଛନ୍ତି ଯେ ଅଭିଯୋଗ ଆଣିବା ପରେ ସେ ଓ ତାଙ୍କ ପରିବାରର ଜୀବନ ଦୁର୍ବିସହ ହୋଇପଡ଼ିଛି ଏବଂ ସେମାନଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି କରାଯାଉଛି।

ପ୍ରଧାନ ବିଚାରପତିଙ୍କ ସମର୍ଥନରେ ବାର୍‌ କାଉନ୍‌ସିଲ

ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ମିଥ୍ୟା ଓ ମନଗଢ଼ା ବୋଲି ଦର୍ଶାଇ ଏହାର ଦୃଢ଼ ନିନ୍ଦା କରିଛି ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ (ବିସିଆଇ)। ସମଗ୍ର ନ୍ୟାୟପାଳିକାକୁ ବଦନାମ କରିବାକୁ ଏହା ଏକ ପ୍ରୟାସ ବୋଲି ବିସିଆଇ କହିଛି। ଆଜି ବାର୍‌ର ଏକ ବୈଠକ ଅନୁଷ୍ଠିତ ହୋଇ ଏ ସଂକ୍ରାନ୍ତରେ ପ୍ରସ୍ତାବ ଗୃହୀତ ହୋଇଛି।

ସମ୍ବନ୍ଧିତ ଖବର