ନୂଆଦିଲ୍ଲୀ/ଭୁବନେଶ୍ବର/କଟକ: ଦିଲ୍ଲୀରେ ଜଣେ ଓଡ଼ିଆ ଯୁବତୀଙ୍କ ସହ ଦୁଷ୍କର୍ମ କରି ରାସ୍ତାରେ ଫୋପାଡ଼ିଦେବା ଭଳି ସଙ୍ଗିନ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ପୁଲିସକୁ କୌଣସି ସୁରାକ୍ ମିଳିପାରିନାହିଁ। କିଏ କେଉଁ ପରିସ୍ଥିତିରେ ଓ କେଉଁଠାରେ ଏଭଳି ଜଘନ୍ୟ କାଣ୍ଡ ଘଟାଇଲା ତାହାର ବିଭିନ୍ନ ଦିଗ ଉପରେ ଦିଲ୍ଲୀ ପୁଲିସ ତଦନ୍ତ ଜାରି ରଖିଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ମାମଲା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଏହି ମାମଲାରେ ଦିଲ୍ଲୀ ପୁଲିସ କମିସନର ସଂଜୟ ଆରୋରାଙ୍କ ପରାମର୍ଶ କ୍ରମେ ସାଉଥ୍-ଇଷ୍ଟ୍ ଡିସିପି ରବି କୁମାର ସିଂହ ନିଜେ ତଦନ୍ତ ଭାର ଗ୍ରହଣ କରିଛନ୍ତି। ଏ ସଂପର୍କରେ ଦିଲ୍ଲୀ ପୁଲିସ କମିସନରଙ୍କ ସହିତ ଓଡ଼ିଶା ପୁଲିସ ଡିଜି ଵାଇ.ବି. ଖୁରାନିଆ ଆଲୋଚନା କରିଛନ୍ତି। ଓଡ଼ିଶା ପୁଲିସ ପୀଡ଼ିତାଙ୍କ ପରିବାର ଓ ଘଟଣାର ତଦନ୍ତ କରୁଥିବା ଦିଲ୍ଲୀ ପୁଲିସ ସହ ଯୋଗାଯୋଗରେ ରହିଛି।
ଏହି ଦୁଷ୍କର୍ମ ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ବର ସହ ଗ୍ରହଣ କରି ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇଜି ଏସ୍.ସାଇନିଙ୍କୁ ଦିଲ୍ଲୀ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେଠାରେ ପୀଡ଼ିତାଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ବୁଝିବାକୁ ପରାମର୍ଶ ଦିଆଯାଇଛି। ଦିଲ୍ଲୀ ପୁଲିସ ସହ ସମନ୍ବୟ ରକ୍ଷା କରି ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେବାକୁ କୁହାଯାଇଛି। ଦିଲ୍ଲୀ ପୁଲିସ ପକ୍ଷରୁ ଏକାଧିକ ଟିମ୍ ଗଠନ କରାଯାଇ ମାମଲାର ତଦନ୍ତ ଜାରି ରହିଛି। ସିସିଟିଭି ଫୁଟେଜ୍ ତଥା ଅନ୍ୟ ବୈଷୟିକ ଜ୍ଞାନ ଆଧାରରେ ତଦନ୍ତ କରାଯାଉଛି। ଏମ୍ସ ଟ୍ରମା ସେଣ୍ଟରରେ ଚିକିତ୍ସିତ ହେଉଥିବା ପୀଡ଼ିତାଙ୍କ ଅବସ୍ଥା ଧୀରେ ଧୀରେ ସୁଧୁରୁଥିବା ଜଣାପଡ଼ିଛି। ପୀଡ଼ିତାଙ୍କ ଅବସ୍ଥା ବିପଦମୁକ୍ତ ରହିଛି ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି। ଯୁବତୀଙ୍କୁ ନିରୀକ୍ଷଣରେ ରଖାଯିବା ସହିତ ତାଙ୍କ କାଉନସିଲିଂ ମଧ୍ୟ ଜାରି ରହିଛି। ଘଟଣା ସଂପର୍କରେ ପୀଡ଼ିତା ବାରମ୍ବାର ବୟାନ ବଦଳାଉଥିବା ଯୋଗୁ ସେ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କ ବୟାନ ରେକର୍ଡ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ପୀଡ଼ିତା ଯୁବତୀଙ୍କ ଘର ପୁରୀ ଜିଲ୍ଲାରେ ଓ ତାଙ୍କ ବୟସ ପାଖାପାଖି ୩୪ ବର୍ଷ। ଏହି ମାମଲାକୁ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି। ଗତକାଲି ଘଟଣା ସଂପର୍କରେ ଅବଗତ ହେବାପରେ ନୂଆଦିଲ୍ଲୀ ଆବାସିକ କମିସନର ବିଶାଳ ଗଗନ, ସ୍ବତନ୍ତ୍ର ଆବାସିକ କମିସନର ରିତୁ ଆରୋରା ପୀଡ଼ିତାଙ୍କୁ ଏମ୍ସ ଟ୍ରମା କେନ୍ଦ୍ରରେ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ସ୍ବତନ୍ତ୍ର ପୁଲିସ ଅଧିକାରୀଙ୍କୁ ପୀଡ଼ିତାଙ୍କ ସହାୟତା ପାଇଁ ମଧ୍ୟ ଆବାସିକ କମିସନର ନିର୍ଦ୍ଦେଶ ଦେଇଛନ୍ତି। ଆଜି ଦିଲ୍ଲୀରେ ପୀଡ଼ିତାଙ୍କ ମାଉସୀ ଓ ଓଡ଼ିଶା ପୁଲିସର ଡିଏସ୍ପି ପାହ୍ୟାର ଜଣେ ଅଧିକାରୀ ଦିଲ୍ଲୀ ପହଞ୍ଚିବା ପରେ ସେମାନେ ଏମ୍ସ ଟ୍ରମା ସେଣ୍ଟର୍କୁ ଯାଇ ପୀଡ଼ିତାକୁ ଭେଟିଥିଲେ। ହେଲେ ପୀଡ଼ିତାଙ୍କ ଦୁର୍ବଳ ମାନସିକସ୍ଥିତି ରହିଥିବାରୁ ସେମାନେ ପୀଡ଼ିତାଙ୍କ ସହିତ ବିସ୍ତୃତଭାବେ କଥାବାର୍ତ୍ତା କରିପାରି ନଥିବା ଜଣାପଡ଼ିଛି।
ଦିଲ୍ଲୀ ପୁଲିସ କମିସନରଙ୍କ ସହିତ ଆଲୋଚନା କଲେ ଓଡ଼ିଶା ପୁଲିସ ଡିଜି ଵାଇବି ଖୁରାନିଆ
ଆଇଜି ଏସ୍.ସାଇନିଙ୍କୁ ଦିଲ୍ଲୀ ଯିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ପୀଡ଼ିତାଙ୍କ ପରିବାରବର୍ଗଙ୍କ ଦିଲ୍ଲୀରେ ରହଣି ପାଇଁ ସ୍ଥାନୀୟ ଓଡ଼ିଶା ନିବାସରେ ବ୍ୟବସ୍ଥା କରାଯାଇଛି। ସେହିଭଳି ଆଜି ଓଡ଼ିଶା ପୁଲିସର ଅଧିକାରୀ ଦିଲ୍ଲୀ ପୁଲିସ ସହିତ ମିଶି ତଦନ୍ତର ଅଗ୍ରଗତି ନେଇ ମଧ୍ୟ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ଦିଲ୍ଲୀ ପୁଲିସକୁ ଅପରାଧୀଙ୍କୁ ଧରିବା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। ଏହି ଘଟଣାକୁ ନେଇ ମାନବାଧିକାର କର୍ମୀ ତଥା ସୁ୍ପ୍ରିମକୋର୍ଟ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର ଆୟୋଗରେ ପିଟିସନ୍ ଦାଖଲ କରିଛନ୍ତି। ସେହିଭଳି ଓଡ଼ିଶା ମହାମଞ୍ଚର ନିର୍ଦ୍ଦେଶକ ଗୋବର୍ଦ୍ଧନ ଧଳ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ଶନିବାର ଭୋର୍ ୩.୧୫ ମିନିଟ୍ରେ ସରାଏ କାଲେଖାଁରୁ ଦିଲ୍ଲୀ ପୁଲିସ ପୀଡ଼ିତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲା। ନିକଟବର୍ତ୍ତୀ ଏକ୍ସକର୍ଟ ଫ୍ଲାଏଓଭର୍ ପାଖରେ ରକ୍ତଭିଜା ଅସହାୟ ଅବସ୍ଥାରେ ଜଣେ ଯୁବତୀ ପଡ଼ିରହିଥିବା ନେଇ ଜଣେ ସେନା ଅଧିକାରୀ ପ୍ରଥମେ ପୁଲିସ କଣ୍ଟ୍ରୋଲ୍ ରୁମ୍କୁ ଜଣାଇବା ପରେ ପିସିଆର୍ରୁ ଫୋନ୍ ପାଇବା ପରେ ନିକଟସ୍ଥ ସନ୍ଲାଇଟ୍ କଲୋନି ଥାନା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ସେହି ସମୟରେ ଯୁବତୀ ଅର୍ଦ୍ଧଚେତନ ଅବସ୍ଥାରେ ଥିଲେ।
ପୁଲିସ ଓ ସେନା ଅଧିକାରୀଙ୍କ ସହଯୋଗରେ ଯୁବତୀଙ୍କୁ ଏମ୍ସ ଟ୍ରମା ସେଣ୍ଟରରେ ପହଞ୍ଚା ଯାଇଥିଲା। ପୁଲିସ ଦ୍ବାରା ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଯୁବତୀ ଜଣକ ଦୁଷ୍କର୍ମ କିମ୍ବା ଗଣଧର୍ଷଣର ଶିକାର ହୋଇଥିବା ପୁଲିସ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଥିଲା। ପୁଲିସ ପକ୍ଷରୁ ବିଏନ୍ଏସ୍ ୭୦(୧) ଦୁଷ୍କର୍ମ, ୧୧୫(୨) ଉଦ୍ଦେଶ୍ୟମୂଳକ ଆଘାତ ଦେବା ଧାରାରେ ମାମଲା ରୁଜୁ କରାଯାଇଛି। ଯୁବତୀ ଜଣକ ନର୍ସିଂ କୋର୍ସ କରିବା ପରେ ଦିଲ୍ଲୀକୁ ଚାକିରି କରିବା ପାଇଁ ଆସିଥିଲେ। ସେହି ସମୟରେ ଯୁବତୀ ଜଣକ କଟବାରିଆ ସରାଇ ଅଞ୍ଚଳରେ ଭଡ଼ାରେ ରହୁଥିଲେ। ତେବେ ଅଗଷ୍ଟରୁ ସେ ଭଡ଼ାଘର ଛାଡ଼ି ଦେଇଥିଲେ। ଏହାପରେ ରାସ୍ତା କଡ଼ରେ ବିଭିନ୍ନ ସ୍ଥାନ ସମେତ ଦକ୍ଷିଣ ଦିଲ୍ଲୀର କିଷନଗଡ଼ ଅଞ୍ଚଳର ଗୋଟିଏ ଏଟିଏମ୍ ପରିସରରେ ରାତି ରହଣି କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/HjFMxoh0L7zlgRKO9kcY.jpg)