‘ଭାରତ ଯୋଡ଼ ଯାତ୍ରାରେ ବ୍ୟବହୃତ ଗାଡି ପାଇଁ ବିଜେପି ଶାସିତ ରାଜ୍ୟରେ ଡିଜେଲ ପକାଅ’ ଏଭଳି କାହିଁକି କହିଲେ କେନ୍ଦ୍ର ମନ୍ତ୍ରୀ ଜାଣନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କଂଗ୍ରେସର ଭାରତ ଯୋଡ ଯାତ୍ରାକୁ ନେଇ କଟାକ୍ଷ କରିଛନ୍ତି | ସେ କହିଛନ୍ତି ଯେ ଭାରତ ଯୋଡ଼ ଯାତ୍ରା ସମୟରେ ନିୟୋଜିତ ଗାଡ଼ିଗୁଡ଼ିକ ପାଇଁ ବିଜେପି ଶାସିତ ରାଜ୍ୟମାନଙ୍କରୁ ତେଲ ଭରନ୍ତୁ | ଏହାଦ୍ୱାରା ବହୁତ ଅର୍ଥ ସଞ୍ଚୟ ହେବ | ବାସ୍ତବରେ ପୁରୀ ଏହି କଟାକ୍ଷ କରିବା ପଛର କାରଣ ହେଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ବିଜେପି ଶାସିତ ରାଜ୍ୟଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ଲାଗୁ କରିଥିଲେ । ତେବେ କିଛି ଅଣ ବିଜେପି ରାଜ୍ୟ ଏହା କରିବାକୁ ମନା କରି ଦେଇଥିଲେ । ଆଉ ଏହା ଦ୍ୱାରା ବିଜେପି ଶାସିତ ରାଜ୍ୟଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଅଣ ବିଜେପି ଶାସିତ ରାଜ୍ୟ ତୁଳନାରେ କମ ରହିଛି |

ଶୁକ୍ରବାର ଦିନ କେନ୍ଦ୍ର ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି ଯେ ଯାତ୍ରା ସମୟରେ ୧୨ଟି ରାଜ୍ୟ ଦେଇ ୩୫୦୦ କିଲୋମିଟର ଯାତ୍ରା କରୁଥିବା ଡିଜେଲ ଗାଡିରେ କଂଗ୍ରେସ ନେତାମାନେ ୧୦୫୦-୨୨୦୫ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ। ଏକ ଟୁଇଟ୍ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି, “କଂଗ୍ରେସକୁ ଉପଦେଶ ହେଉଛି କୌଣସି ରାଜ୍ୟରେ ପ୍ରବେଶ କରିବା ପୂର୍ବରୁ ବିଜେପି ଶାସିତ ରାଜ୍ୟରେ ତେଲ ଭରିଦିଅନ୍ତୁ | ତେଲେଙ୍ଗାନା, ଜମ୍ମୁକଶ୍ମୀର ମଧ୍ୟରେ ଇନ୍ଧନ ମୂଲ୍ୟରେ ଲିଟର ପିଛା ୧୪ ଟଙ୍କା ପାର୍ଥକ୍ୟ ରହିଛି |

ତେଣୁ ରାଜସ୍ଥାନ ବଦଳରେ ଉତ୍ତରପ୍ରଦେଶରେ ତେଲ ଭରିବା ଦ୍ୱାରା ଲିଟର ପିଛା ୩ ଟଙ୍କା ୯୬ ପଇସା, ଦିଲ୍ଲୀ ବଦଳରେ ହରିୟାଣାରେ ତେଲ ଭରିବା ଦ୍ୱାରା ଲିଟର ପିଛା ୩ ଟଙ୍କା ୭ ପଇସା, ତେଲେଙ୍ଗାନା ବଦଳରେ ମହାରାଷ୍ଟ୍ରରେ ତେଲ ଭରିବା ଦ୍ୱାରା ୩ ଟଙ୍କା ୫୫ ପଇସା ସଞ୍ଚୟ ହେବ | ପୁରୀ କହିଛନ୍ତି ଯେ ମୋଟାମୋଟି କହିବାକୁ ଗଲେ ୧୨ଟି ରାଜ୍ୟରେ ୩୫୦୦ କିଲୋମିଟର ଯାତ୍ରା କରିବା ଦ୍ୱାରା ଯଦି ଏହି ଉପଦେଶକୁ କଂଗ୍ରେସ ମାନିବ ତେବେ ୧ ହଜାର ଟଙ୍କାରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବ | ଆଉ ଏହି ଉପଦେଶ ପାଇଁ ଯାତ୍ରା ସରିବା ପରେ ମୋତେ ଟିକେ ଧନ୍ୟବାଦ କହିଦେବ’ |

ସମ୍ବନ୍ଧିତ ଖବର