ଅହମଦାବାଦ୍: ପୂର୍ବରୁ କଂଗ୍ରେସକୁ ପଟିଦାର ସଂରକ୍ଷଣ ବାବଦରେ ନଭେମ୍ବର ୩ ସୁଦ୍ଧା ମତ ସ୍ପଷ୍ଟ କରିବାକୁ ଧମକ ଦେଇଥିବା ପଟିଦାର ଅନାମତ ଆନ୍ଦୋଳନ ସମିତି (ପାସ୍) ନେତା ହାର୍ଦ୍ଦିକ୍ ପଟେଲ ଆଜି ସ୍ପଷ୍ଟ କରିଛନ୍ତି ଯେ ସେ କଂଗ୍ରେସକୁ ଆସନ୍ତା ବିଧାନସଭା ନିର୍ବାଚନରେ ସହଯୋଗ କରିବେ। ଦଳ ଖୋଲାଖୋଲି ଭାବେ ପଟିଦାର ସମ୍ପ୍ରଦାୟକୁ ସମର୍ଥନ କରୁଥିବାରୁ ସେ ମଧ୍ୟ କଂଗ୍ରେସକୁ ସମର୍ଥନ ଦେବେ ବୋଲି କହିଛନ୍ତି। ପଟିଦାର ସଂରକ୍ଷଣକୁ ଭିତ୍ତି କରି ହାର୍ଦ୍ଦିକ୍ କେବଳ ବ୍ୟକ୍ତିଗତ ଫାଇଦା ପାଇଁ ଏହାକୁ ନେଇ ରାଜନୀତି କରୁଛନ୍ତି କିନ୍ତୁ ପ୍ରକୃତରେ ସେ ପଟିଦାର ସମ୍ପ୍ରଦାୟର ଉନ୍ନତି ପାଇଁ କିଛି କରୁନାହାନ୍ତି ବୋଲି ଅଭିଯୋଗ କରିଥିବା ୬ ପଟେଲ ଅନୁଷ୍ଠାନଙ୍କ ଅଭିଯୋଗକୁ ହାର୍ଦ୍ଦିକ ଖଣ୍ଡନ କରିଛନ୍ତି। ଗୁଜରାଟରେ ଏକ ବିଶାଳ ଜନସମାବେଶରେ ଯୋଗ ଦେଇ ହାର୍ଦ୍ଦିକ୍ ଆଜି କଂଗ୍ରେସକୁ ସମର୍ଥନ କରିଛନ୍ତି। ଅନ୍ୟ ପକ୍ଷରେ କ୍ଷମତାକୁ ଆସିଲେ କଂଗ୍ରେସ କିପରି ପଟିଦାର ସମ୍ପ୍ରଦାୟର ଦାବି ପୂରଣ କରିବ ସେ ନେଇ ଦଳ ସ୍ପଷ୍ଟ କରିଥିବା ସେ କହିଛନ୍ତି। ର୍ୟାଲିରେ ଯୋଗଦେଇ ପଟେଲ ବିଜେପିକୁ ଖୋଲାଖୋଲି ଭାବେ ବିରୋଧ କରିଛନ୍ତି ଏବଂ ବିଜେପିର ପତନ ପାଇଁ ପଥ ପରିସ୍କାର କରିଥିବା ଜଣାଯାଇଛି। ବିଜେପିକୁ ଭୋଟ୍ ନଦେବାପାଇଁ ସେ ତାଙ୍କ ସମ୍ପ୍ରଦାୟର ଲୋକମାନଙ୍କୁ ମତାଇଛନ୍ତି। ତେବେ ବିଜେପିକୁ ଭୋଟ୍ ନଦେଲେ ପଟିଦାର ସମ୍ପ୍ରଦାୟର ଲୋକେ କାହାକୁ ଭୋଟ୍ ଦେବେ ତାହା ମଧ୍ୟ ସେମାନଙ୍କୁ ଜଣା ଅଛି ବୋଲି ସେ କହିଛନ୍ତି।
ଅହମଦାବାଦ: ଗୁଜୁରାଟ ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଜୋରସୋର୍ ଚାଲିଥିବା ବେଳେ ରାଜନୈତିକ ପାଣିପାଗ ମଧ୍ୟ ଭିନ୍ନ ମୋଡ଼ ନେବାରେ ଲାଗିଛି। ସଂରକ୍ଷଣକୁ ଭିତ୍ତି କରି ପଟିଦାର ଅନାମତ ଆନ୍ଦୋଳନ ସମିତି(ପାସ୍)ର ଆବାହକ ହାର୍ଦ୍ଦିକ ପଟେଲ କଂଗ୍ରେସକୁ ସମର୍ଥନ କରିବେ ବୋଲି ଖୋଲାଖୋଲି ଘୋଷଣା କରିଥିବା ବେଳେ ତାଙ୍କର ଏହି ସଂକ୍ଷଣ ଆଭିମୁଖ୍ୟକୁ ବିଭିନ୍ନ ପଟିଦାର ସଂଗଠନ ବିରୋଧ କରିଛନ୍ତି। ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ରେ ପଟିଦାରମାନଙ୍କୁ ସାମିଲ କରି ସେମାନଙ୍କ ପାଇଁ ସଂରକ୍ଷଣ ସୁବିଧା କରିବାକୁ ହାର୍ଦ୍ଦିକ ରଖିଥିବା ଦାବିକୁ ୬ଟି ପଟିଦାର ସଂଗଠନ ନାପସନ୍ଦ କରିଛନ୍ତି।
ହାର୍ଦ୍ଦିକଙ୍କ ବିରୋଧରେ ସ୍ୱର ଉଠାଇଥିବା ଏହି ସଂଗଠନଗୁଡ଼ିକ ହେଲା ଉଞ୍ଝ ସ୍ଥିତ ଉମିୟ ମାତା ସମସ୍ଥା, ରାଜକୋଟର କୋଦାଳଧାମ କଗଓ୍ଵାଡ଼, ସୁରତର ବିଶ୍ୱ ଉମିୟ ଫାଉଣ୍ଡେସନ ଓ ସମସ୍ତ ପଟିଦାର ସମାଜ, ସିଦସର ସ୍ଥିତ ଉମିୟ ମାତାଜି ମନ୍ଦିର ଏବଂ ଅହମଦାବାଦର ସର୍ଦ୍ଦାର ଧାମ। ଏହି ସବୁ ସଂଗଠନର କର୍ମକର୍ତ୍ତାମାନେ ଆଜି ଖୋଲାଖୋଲି ହାର୍ଦ୍ଦିକଙ୍କୁ ସମାଲୋଚନା କରିଛନ୍ତି। ସଂରକ୍ଷଣ ବାହାନାରେ ହାର୍ଦ୍ଦିକ ରାଜନୈତିକ ଫାଇଦା ହାସଲ କରିବାକୁ ଚାହୁଛନ୍ତି ବୋଲି ସେମାନେ ଅଭିଯୋଗ ଆଣଇଛନ୍ତି। ଏମିତି ଦାବି କରି ହାର୍ଦ୍ଦିକ ପଟିଦାର ସମ୍ପ୍ରଦାୟକୁ ବାଟବଣା କରୁଛନ୍ତି ବୋଲି ଏହି ପଟିଦାର ନେତାମାନେ ମତ ଦେଇଛନ୍ତି।