ହାର୍ଦ୍ଦିକଙ୍କୁ ସମର୍ଥନ ଦେଲେ ଯୁବନେତା ଜୀଗ୍ନେଶ ମିଭାନୀ: ସେକ୍ସ କରିବାର ଅଧିକାର ହେଉଛି ଏକ ମୌଳିକ ଅଧିକାର

ସେକ୍ସ ସିଡି ମାମଲା

ଗାନ୍ଧୀନଗର: ପଟ୍ଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ଏକ ତଥାକଥିତ ସେକ୍ସ ସିଡିକୁ ନେଇ ଗୁଜୁରାଟର ନିର୍ବାଚନୀ ରାଜନୀତି ଏବେ ବେଶ୍‌ ସରଗରମ ହୋଇ ଉଠିଛି। ଏହି ସେକ୍ସ ସିଡିକୁ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ପଟେଲଙ୍କ ବିରୋଧରେ ଆଗାମୀ ନିର୍ବାଚନରେ ଏକ ଅସ୍ତ୍ର ରୂପେ ବ୍ୟବହାର କରିବା ପାଇଁ ନିଜର ସମସ୍ତ କଳ, ବଳ ଓ କୌଶଳ ପ୍ରୟୋଗ କରୁଥିବା ବେଳେ; ଏହି ମାମଲାରେ ପଟେଲଙ୍କୁ ନୈତିକ ସମର୍ଥନ ଦେବାକୁ ଆଗେଇ ଆସିଛନ୍ତି ଗୁଜୁରାଟର ଅନ୍ୟତମ ଯୁବନେତା ଜୀଗ୍ନେଶ ମିଭାନୀ।

ହାର୍ଦ୍ଦିକଙ୍କୁ ନିଜର ସମର୍ଥନ ଜଣାଇ ଯୁବନେତା ଜୀଗ୍ନେଶ ତାଙ୍କ ଟୁଇଟର୍‌ ପୃଷ୍ଠାରେ ଲେଖିଛନ୍ତି: ‘ପ୍ରିୟ ହାର୍ଦ୍ଦିକ ପଟେଲ! ଏହି ଘଟଣାରେ ଆଦୌ ହେଲେ ବ୍ୟସ୍ତ ବିବ୍ରତ ହୁଅ ନାହିଁ। ମୁଁ ତୁମ ସହ ଅଛି। ସେକ୍ସ କରିବାର ଅଧିକାର ହେଉଛି ଏକ ମୌଳିକ ଅଧିକାର। ଏଥିରୁ ବଞ୍ଚିତ କରିବାର ଅଧିକାର କାହାରି ନାହିଁ।’

ଉଲ୍ଲେଖଯୋଗ୍ୟ, ହାର୍ଦ୍ଦିକଙ୍କର ଏହି ସେକ୍ସ ସିଡିଟି ଗୁଜୁରାଟର କେତେକ ଆଞ୍ଚଳିକ ଟିଭି ଚ୍ୟାନେଲରେ ପ୍ରସାରିତ ହେବା ପରେ, ହାର୍ଦ୍ଦିକଙ୍କୁ ସମର୍ଥନ ଜଣାଇ ଏହି ଟୁଇଟ୍‌ କରଛନ୍ତି ଯୁବନେତା ଜୀଗ୍ନେଶ।

ଏହି ତଥାକଥିତ ସେକ୍ସ ସିଡିଟିକୁ କୌଣସି ଏକ ହୋଟେଲର ରୁମ୍‌ରେ ଲୁଚାଇ ଲଗାଯାଇଥିବା ଏକ କ୍ୟାମେରା ସାହାଯ୍ୟରେ ସୁଟିଂ କରାଯାଇଛି। ଭିଡିଓରେ ପ୍ରଦର୍ଶିତ ତାରିଖ ଟ୍ୟାଗ୍‌ରୁ ଏହା ଚଳିତ ବର୍ଷ ମଇ ମାସରେ ସୁଟିଂ ହୋଇଥିବା ଜଣାପଡ଼ୁଛି। ଭିଡିଓଟିରେ ସଂପୃକ୍ତ ହୋଟେଲର ରୁମ୍‌ରେ ହାର୍ଦ୍ଦିକଙ୍କ ସହ ସାମଞ୍ଜସ୍ୟ ଥିବା ଜଣେ ଯୁବକଙ୍କୁ ଜଣେ ମହିଳାଙ୍କ ସହ ଅସଂଯତ ଅବସ୍ଥାରେ ଦେଖିବା ପାଇଁ ମିଳୁଛି। ତେବେ, ଏହି ଭିଡିଓଟିର ସତ୍ୟତା ଏପର୍ଯ୍ୟନ୍ତ ସନ୍ଦେହ ଘେର ମଧ୍ୟରେ ରହିଥିବା ବେଳେ, ଆଜି ହାର୍ଦ୍ଦିକଙ୍କୁ ନେଇ ଆଉ ଏକ ସିଡି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଆଜି ଭାଇରାଲ୍‌ ହୋଇଥିବା ସିଡିଟିରେ ହାର୍ଦ୍ଦିକ ପଟେଲଙ୍କୁ ତାଙ୍କ ବନ୍ଧୁମାନଙ୍କ ସହ ମଦ୍ୟପାନ କରୁଥିବା ଦେଖିବା ପାଇଁ ମିଳିଛି।

ଅନ୍ୟପକ୍ଷରେ ଏଘଟଣାରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ହାର୍ଦ୍ଦିକ କହିଛନ୍ତି, ‘ଏସବୁ ହେଉଛି ବିଜେପିର କଳୁଷିତ ରାଜନୀତିର ପରିଚାୟକ।’ ବିଜେପିର ଏପ୍ରକାର ହରକତ୍‌ରେ ସେ ଆଦୌ ବ୍ୟସ୍ତ ବିବ୍ରତ ନୁହନ୍ତି ବୋଲି ଏହି ୨୪ ବର୍ଷୀୟ ଯୁବନେତା କହିଛନ୍ତି। ପୂର୍ବରୁ ୨୦୧୫ ନିର୍ବାଚନ ବେଳେ ମଧ୍ୟ ରାଜନୈତିକ ଫାଇଦା ଉଦ୍ଦେଶ୍ୟରେ ବିଜେପି ତାଙ୍କ ସହ ଏପ୍ରକାରର କଳୁଷିତ ରାଜନୀତି ଖେଳିଥିଲା ବୋଲି ମଧ୍ୟ ସେ ପାଲଟା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଆଗାମୀ ନିର୍ବାଚନରେ ତାଙ୍କ ନେତୃତ୍ୱାଧୀନ ପଟ୍ଟିଦାର ଅନାମତ୍‌ ଆନ୍ଦୋଳନ ସମିତି ଆଗାମୀ ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ଲକ୍ଷ୍ୟରେ କଂଗ୍ରେସ ସହ ମେଣ୍ଟ କରିବା ସହ ସମଭାବାପନ୍ନ ଦଳଗୁଡ଼ିକୁ ସମର୍ଥନ ଦେବ ବୋଲି ଘୋଷଣା କରିବା ପରେ ବିଜେପି ତାଙ୍କ ବିରୋଧରେ ଏପରି କଳୁଷିତ ରାଜନୀତି ଖେଳୁଛି।

ତେବେ, ବିଜେପି ହାର୍ଦ୍ଦିକଙ୍କ ଅଭିଯୋଗର କୌଣସି ଉତ୍ତର ଦେବା ପରିବର୍ତ୍ତେ ସେ କାହିଁକି ପୁଲିସ୍‌ରେ ଅଭିଯୋଗ କରୁନାହାନ୍ତି ବୋଲି ପ୍ରଶ୍ନ କରିଛି।

ସମ୍ବନ୍ଧିତ ଖବର