ଅହମଦାବାଦ: ପଟିଦାର୍ ଅନାମତ ଆନ୍ଦୋଳନ ସମିତି(ପାସ୍) ନେତା ହାର୍ଦ୍ଦିକ ପଟେଲ୍ ଆଗାମୀ ୨୬-୨୭ ତାରିଖରେ ଗୁଜୁରାଟର ସୁରେନ୍ଦ୍ର ନଗର ଜିଲ୍ଲାର ଏକ ସାଧାରଣ ଉତ୍ସବରେ ବିବାହ କରିବାକୁ ଯାଉଛନ୍ତି। ହାର୍ଦ୍ଦିକ ପଟେଲଙ୍କ ପିତା ଭାରତ ପଟେଲ ଓ ତାଙ୍କର ନିକଟ ସଂପର୍କୀୟ ନିଖିଲ ସାବନୀ ଏ କଥାକୁ ସ୍ୱୀକାର କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ୨୫ ବର୍ଷୀୟ ହାର୍ଦ୍ଦିକ ପଟେଲ୍ କିଂଜଲ ପଟେଲ୍ ନାମ୍ନୀ ଜଣେ ଯୁବତୀଙ୍କୁ ବିବାହ କରିବେ। କିଂଜଲ୍ ବୟସରେ ହାର୍ଦ୍ଦିକଙ୍କଠାରୁ ଦୁଇ ବର୍ଷ ସାନ ବୋଲି କୁହାଯାଉଛି। କିଂଜଲ ହେଉଛନ୍ତି ମୂଳତଃ ଚନ୍ଦନ ନଗରୀ ଗ୍ରାମର ଅଧିବାସୀ । କିଂଜଲ ପାରିଖ-ପଟେଲ ଜାତିର। ସେ ଜଣେ ଗ୍ରାଜୁଏଟ୍ ଓ ବର୍ତ୍ତମାନ ଆଇନର ଛାତ୍ରୀ। ଏହି ବିବାହ ଉତ୍ସବ ଏକଦମ୍ ନିରାଡମ୍ବରରେ ସମାହିତ ହେବ ଓ ଏଥିରେ ମାତ୍ର ଶହେ ଲୋକ ଯୋଗ ଦେବେ ବୋଲି ଜଣାଯାଇଛି।
ପିତା ଭାରତ ପଟେଲଙ୍କ ସୂଚନା ଅନୁଯାୟୀ, ସୁରେନ୍ଦ୍ର ନଗର ଜିଲ୍ଲାର ଦିଗସର ଗ୍ରାମରେ ଏହି ବାହାଘର ହେବ। ହାର୍ଦ୍ଦିକ ଓ କିଂଜଲଙ୍କ ବାହାଘର ଉଜହାର ଉମିଲା ଧାମରେ କରାଇବାର ଇଛା ଥିଲା ପିତାଙ୍କର, ମାତ୍ର ନ୍ୟାୟାଳୟ ହାର୍ଦ୍ଦିକଙ୍କୁ ସେହି ଗାଆଁରେ ପ୍ରବେଶ କରିବାକୁ ବାରଣ କରିଛନ୍ତି।