ମହାଚୋର ବିଜେପକୁ ତଡ଼ିବାକୁ ଚୋର କଂଗ୍ରେସ ସହ ହାତମିଳା: ହାର୍ଦ୍ଦିକ

ଅହମଦାବାଦ୍‌ : ପଟ୍ଟିଦାର ନେତା ହାର୍ଦ୍ଦିକ ପଟେଲ୍‌ ଆଜି କଂଗ୍ରେସକୁ ‘ଚୋର’ ଏବଂ ବିଜେପିକୁ ‘ମହାଚୋର’ ବୋଲି କହିଛନ୍ତି। ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ହାର୍ଦ୍ଦିକଙ୍କର ସହଯୋଗ କଂଗ୍ରେସ ଦଳ ପ୍ରତି ରହିବ ବୋଲି ସେ ଆଜି ସ୍ପଷ୍ଟ କରିଛନ୍ତି। ହାର୍ଦ୍ଦିକ ଉତ୍ତର ଗୁଜରାଟର ଏକ ଜନସମାବେଶରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ମହାଚୋର ବିଜେପିକୁ ହରାଇବାକୁ ଆମେ କଂଗ୍ରେସକୁ ସହଯୋଗ କରିବୁ। କିନ୍ତୁ ସେ କହିଛନ୍ତି ଏହା ଏବେ ନୁହେଁ। ହାର୍ଦ୍ଦିକ୍‌ କାର୍ଯ୍ୟ ବ୍ୟସ୍ତତା ହେତୁ ଗତକାଲି ଗୁଜରାଟ ଗସ୍ତରେ ଯାଇଥିବା କଂଗ୍ରେସ ଉପାଧ୍ୟକ୍ଷ ରାହୁଲଙ୍କ ସହ ସାକ୍ଷାତ ହୋଇପାରିବନି ବୋଲି ମନା କରିଦେଇଥିଲେ। କିନ୍ତୁ ଏକ ସିସିଟିଭି ଭିଡ଼ିଓ ଦ୍ୱାରା ହାର୍ଦ୍ଦିକ ରାହୁଲଙ୍କୁ ଗୋପନୀୟ ଭାବେ ଏକ ହୋଟେଲ୍‌ରେ ଭେଟିଥିବାର ଗୁଜବ ପ୍ରସାରିତ ହୋଇଥିଲା। ଗଣମାଧ୍ୟମରେ ଏକ ସିସିଟିଭି ଫୁଟେଜ୍‌ ପ୍ରସାରିତ ହୋଇଥିଲା, ଯେଉଁଥିରୁ ଦେଖିବାକୁ ମିଳିଥିଲା ହାର୍ଦ୍ଦିକ ଉମେଦ୍‌ ହୋଟେଲ ଯାଇଥିଲେ ଏବଂ ହୋଟେଲର ପଛ ବାଟ ଦେଇ ସେ ବାହାରିଥିଲେ। କିନ୍ତୁ ଏହା ବିରୋଧରେ ହାର୍ଦ୍ଦିକ ଆଜି ଅଭିଯୋଗ ଆଣି କହିଛନ୍ତି ଯେ ବିଜେପି ଗୁଇନ୍ଦାଗିରି କରୁଛି।

ହାର୍ଦ୍ଦିକ୍‌ ଟ୍ଵିଟ୍‌ ମାଧ୍ୟମରେ କହିଛନ୍ତି ବିଜେପିର ସଦସ୍ୟମାନେ ଗୁଇନ୍ଦାଗିରି କରିବାରେ ମାହିର୍‌। ସେ କିନ୍ତୁ ରାହୁଲଙ୍କୁ ଭେଟିନାହାନ୍ତି ଏବଂ ଯେବେ ଭେଟିବେ ତାହା ସାରା ଦୁନିଆକୁ ଜଣାଇବେ। ଅନ୍ୟପକ୍ଷେ ହାର୍ଦ୍ଦିକ ସ୍ୱୀକାର କରିଛନ୍ତି ଯେ ସେ ଉମେଦ୍‌ ହୋଟେଲକୁ ଯାଇଥିଲେ କିନ୍ତୁ ରାହୁଲଙ୍କ ସହ ତାଙ୍କର ସାକ୍ଷାତ ହୋଇନି। ସେଠାରେ ସେ ଗୁଜରାଟ କଂଗ୍ରେସ ମୁଖ୍ୟ ଗେହଲଟ୍‌ଙ୍କୁ ଭେଟିଥିଲେ। କିନ୍ତୁ ଗୁଜରାଟରେ ସବୁକିଛି ବିଜେପି ସମ୍ପତ୍ତି ହୋଇଥିବାରୁ ବିଜେିପକୁ ଏହି ସିସିଟିଭି ଫୁଟେଜ୍‌ ମିଳିଗଲା ଅନ୍ୟଜଣେ ପଟିଦାର ନେତା ନରେନ୍ଦ୍ର ପଟେଲ୍‌ ଗତକାଲି ବିଜେପି ତାଙ୍କୁ ଦଳରେ ଯୋଗ ଦେବାଲାଗି ୧ କୋଟି ଟଙ୍କା ଲାଞ୍ଚ ଯାଚିଥିବା ଅଭିଯୋଗ ଆଣିବାପରେ ହାର୍ଦ୍ଦିକ୍‌ ବିଜେପିକୁ ମହାଚୋର ବୋଲି କହିଛନ୍ତି। ପଟିଦାର ନେତା ନିଖିଲ ସାଓ୍ଵାନି ମଧ୍ୟ ଗତକାଲି ବିଜେପିରୁ ଇସ୍ତଫା ଦେଇଥିଲେ। ତେବେ ଉଭୟ କଂଗ୍ରେସ ଏବଂ ବିଜେପି ଏବେ ପଟିଦାର ସମ୍ପ୍ରଦାୟକୁ ହାତ କରି ଗୁଜରାଟ ନିର୍ବାଚନ ଜିତିବାର ଉଦ୍ୟମ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର