ପଟ୍ଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ ଗୁଜୁରାଟ ଅଦାଲତ

ଭିସ୍‌ନଗର (ଗୁଜୁରାଟ): ପଟ୍ଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ଗୁଜୁରାଟର ଏକ ସ୍ଥାନୀୟ ଅଦାଲତ ୨ ବର୍ଷ ପାଇଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଗତ ୨୦୧୫ ମସିହାରେ ପଟ୍ଟିଦାରମାନଙ୍କ ପାଇଁ ସଂରକ୍ଷଣ ଦାବିରେ ହାର୍ଦ୍ଦିକ ପଟେଲଙ୍କ ନେତୃତ୍ୱରେ ଆୟୋଜିତ ଏକ ର‍୍ୟାଲି କାଳରେ ରାଜ୍ୟରେ ହିଂସା ସୃଷ୍ଟି କରିଥିବା ନେଇ ଆଗତ ଏକ ମାମଲାର ଶୁଣାଣି କରି ଭିସ୍‌ନଗରର ଏକ ଅଦାଲତ ପଟ୍ଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ୨ ବର୍ଷ ପାଇଁ କାରାଦଣ୍ଡରେ ଦଣ୍ଡିତ କରଥିବା ଜାଣିବାକୁ ମିଳିଛି। ପଟ୍ଟିଦାର ନେତା ହାର୍ଦ୍ଦିକଙ୍କ ସମେତ ତାଙ୍କର ଅନ୍ୟ ଦୁଇ ପ୍ରମୁଖ ସହଯୋଗୀ ଲାଲାଜୀ ପଟେଲ ଓ ଏ କେ ପଟେଲଙ୍କୁ ମଧ୍ୟ ଗୁଜୁରାଟର ଭିସ୍‌ନଗର ଅଦାଲତ ୨ ବର୍ଷ ପାଇଁ କାରାଦଣ୍ଡରେ ଦଣ୍ଡିତ କରିବା ସହ ପ୍ରତ୍ୟେକଙ୍କ ନିକଟରୁ ୫୦ ହଜାର ଟଙ୍କା ଲେଖାଁଏର ଜରିମାନା ଆଦାୟ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨୦୧୫ ମସିହାରେ ପଟ୍ଟିଦାରମାନଙ୍କ ପାଇଁ ସଂରକ୍ଷଣ ଦାବିରେ ହାର୍ଦ୍ଦିକ ପଟେଲଙ୍କ ନେତୃତ୍ୱରେ ଆୟୋଜିତ ଏକ ର‍୍ୟାଲି କାଳରେ ରାଜ୍ୟରେ ବ୍ୟାପକ ହିଂସା ସୃଷ୍ଟି କରାଯିବା ସହ ବିଜେପି ବିଧାୟକ ଋଷିକେଶ ପଟେଲଙ୍କ ଭିସ୍‌ନଗର ସ୍ଥିତ କାର୍ଯ୍ୟାଳୟ ଭିତରେ ପଶି ସଂରକ୍ଷଣ ସପକ୍ଷ ଆନ୍ଦୋଳନକାରୀମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏହି ମାମଲାରେ ରାଜ୍ୟରେ ହିଂସା ସୃଷ୍ଟି ସହ ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ ପୁଲିସ ପଟ୍ଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ସମେତ ୧୭ ଜଣଙ୍କୁ ଗିରଫ କରିଥିଲା। ପରେ ଅବଶ୍ୟ ସେମାନେ ଜାମିନରେ ମୁକୁଳି ଥିବାବେଳେ ସେମାନଙ୍କ ବିରୋଧରେ ମାମଲା ଭିସ୍‌ନଗର ଅଦାଲତରେ ବିଚାରାଧୀନ ଥିଲା।

ସମ୍ବନ୍ଧିତ ଖବର