ସୋସିଆଲ୍‌ ମେଡିଆରେ ହାର୍ଦ୍ଦିକ୍‌ଙ୍କ ସେକ୍ସ କ୍ଲିପ୍‌ ଭାଇରାଲ:ହାର୍ଦ୍ଦିକଙ୍କ ଆଶଙ୍କାର ସପ୍ତାହକ ପରେ ସେକ୍ଟ ସିଡି କାଣ୍ଡ

ବିଜେପିର ଡାର୍ଟି ପଲିଟିକ୍ସ: ହାର୍ଦ୍ଦିକ୍‌ 

ଅହମଦାବାଦ୍‌:  ଗୁଜରାଟ୍‌ ନିର୍ବାଚନ ପାଖେଇ ଆସୁଥିବା ବେଳେ ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି। ହାର୍ଦ୍ଦିକ ପଟେଲ କଂଗ୍ରେସକୁ ସମର୍ଥନ କରିବା ସ୍ପଷ୍ଟ କରିଦେବା ପରେ ବିଜେପି ଏବେ ହାର୍ଦ୍ଦିକଙ୍କୁ ଅଡ଼ୁଆରେ ପକାଇବାକୁ କୌଣସି ସୁଯୋଗ ହାତଛଡ଼ା କରୁନାହିଁ। ହାର୍ଦ୍ଦିକଙ୍କୁ ନେଇ ଏକ ସେକ୍ସ କ୍ଲିପ୍‌ ସୋସିଆଲ୍‌ ମେଡିଆରେ ଭାଇରାଲ୍‌ ହେବାପରେ ଏବେ ଏହାକୁ ନେଇ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏକ ହୋଟେଲ୍‌ ରୁମ୍‌ରେ ଜଣେ ମହିଳାଙ୍କ ସହ ହାର୍ଦ୍ଦିକ୍‌ଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କର ଅଶାଳୀନ ଭିଡିଓ ସୋସିଆଲ୍‌ ମେଡିଆରେ ଭାଇରାଲ୍‌ ହୋଇଛି। ତେବେ ହାର୍ଦ୍ଦିକ କହିଛନ୍ତି ଏହି ଭିଡିଓଟି ନକଲି। ଠିକ୍‌ ତାଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ବ୍ୟବହାର କରି ବିଜେପି ଏହି ଭିଡିଓ ପ୍ରସ୍ତୁତ କରିଛି। ଉଲ୍ଲେଖଯୋଗ୍ୟ ସପ୍ତାହକ ତଳେ ହାର୍ଦ୍ଦିକ କହିଥିଲେ ଯେ ତାଙ୍କୁ ଫସାଇବାପାଇଁ ବିଜେପି ଏକ ସେକ୍ସ ସିଡି ପ୍ରସ୍ତୁତ କରୁଛି। ଏବେ ଏହି  ଭିଡିଓ ଜାରି ହୋଇଛି। ତେବେ ହାର୍ଦ୍ଦିକ କହିଛନ୍ତି ତାଙ୍କୁ ଅପମାନିତ କରିବାପାଇଁ ଏବଂ  ତାଙ୍କ ସମ୍ମାନହାନି ପାଇଁ ଏହା ବିଜେିପର ଏକ ଘୃଣ୍ୟ ରାଜନୀତି।  ତାଙ୍କୁ ଅପମାନିତ କରିବା ପାଇଁ ଜଣେ ମହିଳାଙ୍କୁ ଅସମ୍ମାନିତ କରାଯାଇଥିବାରୁ ଏହାକୁ  ନେଇ ସେ   ଦୁଃଖ ପ୍ରକାଶ କରିଛନ୍ତି। ହାର୍ଦ୍ଦିକଙ୍କ କହିବା ଅନୁଯାୟୀ ରାଜନୈତିକ କ୍ଷେତ୍ରରେ ତାଙ୍କ ଉପସ୍ଥିତି ଓ ପ୍ରାଧାନ୍ୟକୁ ବିଜେପି ଆଦୌ ସହ୍ୟ କରିପାରୁନି ଏବଂ ତାଙ୍କୁ  ନେଇ ବିଜେପି ଅସୁରକ୍ଷିତ ମନେ କରୁଥିବାରୁ ତାଙ୍କ ବିରୋଧରେ ଷଡଯନ୍ତ୍ର କରିଛି।

ତେବେ ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ବିଜେପିର ଆକ୍ରମଣ ବେଶ୍‌ ମହଙ୍ଗା ପଡ଼ିବ ବୋଲି ମଧ୍ୟ ସେ ଚେତାଇ ଦେଇଛନ୍ତି।    ୨୨ ବର୍ଷ ଧରି ଗୁଜରାଟକୁ ଶାସନ କରିଆସୁଥିବା ବିଜେପି ବିରୋଧରେ ସେ ନିର୍ବାଚନ ଲଢ଼ିବାକୁ ସକ୍ଷମ ହୋଇନଥିଲେ ମଧ୍ୟ ତାଙ୍କ ବିରୋଧରେ ବିଜେପିର ଏଭଳି ଚାଲ୍‌ ତାଙ୍କୁ ବିସ୍ମୟରେ ପକାଇଛି ବୋଲି ସେ କହିଛନ୍ତି। ତେବେ ବିଜେପି ତାଙ୍କୁ ଅପମାନିତ କରିବାପାଇଁ ଯେତେ  ଚାଲ୍‌ ଖେଳିଲେ ବି ତାଙ୍କ ଉପରେ କୌଣସି ପ୍ରଭାବ ପଡ଼ିବନି ଏବଂ ଲୋକମାନେ ପୂର୍ବବତ୍‌ ତାଙ୍କ ସହ ରହିବେ ବୋଲି ହାର୍ଦ୍ଦିକ ଜୋର୍‌୍‌ ଦେଇ କହିଛନ୍ତି। ଅନ୍ୟପକ୍ଷରେ ଆଗକୁ ମଧ୍ୟ ବିଜେପି ଅନ୍ୟ ପାସ୍‌ (ପଟିଦାର ଅନାମତ ଆନ୍ଦୋଳନ ସମିତି) ନେତାମାନଙ୍କ ବିରୋଧରେ ଏଭଳିି ଘୃଣ୍ୟ ଷଡ଼ଯନ୍ତ୍ର ଦେଖିବାକୁ ମଳିବ ବୋଲି  ହାର୍ଦ୍ଦିକ ଆଶଙ୍କା ପ୍ରକାଶ କରିଛନ୍ତି। କେନ୍ଦ୍ର ସଡ଼କ ପରିବହନ ଏବଂ  ରାଜମାର୍ଗ ମନ୍ତ୍ରୀ  ମନସୁଖ ମଣ୍ଡାଭ୍ୟା କହିଛନ୍ତି ହାର୍ଦ୍ଦିକଙ୍କ ଭିଡିଓରେ ବିଜେପିର କିଛି ଭୂମିକା ନାହିଁ। ବିଜେପିକୁ ଦୋଷାରୋପ କରିବା ପରିବର୍ତ୍ତେ ହାର୍ଦ୍ଦିକ୍‌ ପୁଲିସରେ ଏଫଆଇଆର ରୁଜୁ କରନ୍ତୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପ୍ରବକ୍ତା ଶକ୍ତିସିଂହ ଗୋହିଲ କହିଛନ୍ତି ବିଜେପି  ଅତି ନିମ୍ନ ମାନର ରାଜନୀତି କରୁଛି ଏବଂ ଏମିତି କାର୍ଯ୍ୟକଳାପ ଜଣେ ନାଗରିକର ଗୋପନୀୟତା ଅଧିକାର ଉଲ୍ଲଂଘନ କରୁଛି।

ସମ୍ବନ୍ଧିତ ଖବର