ଲକ୍ଷ୍ନୌ: ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାର ଜଣେ ମୁସ୍ଲାମାନ ଯୁବକ ଦିଲ୍ଳୀର ଜଣେ ହିନ୍ଦୁ ଯୁବତୀଙ୍କୁ ବିବାହ କରିବା ପରେ ନିଜ ଗାଁକୁ ଫେରି ପୁଣି ନିକା କରିଥିବା ଦେଖିବାକୁ ମିଳିଛି। ଏବିଷୟରେ ସୂଚନା ମିଳିବା ପରେ ହିନ୍ଦୁ ସଂଗଠନ ଏହି ମାମଲାକୁ ‘ଲଭ୍ ଜିହାଦ୍’ର ନାମ ଦେଇ ପୁଲିସ୍ ଷ୍ଟେସନ୍ ଯାଇ ଅଭିଯୁକ୍ତ ନାମରେ ମାମଲା ରୁଜୁ କରୁଛନ୍ତି।
ସୁରାସା ଥାନା ଅଞ୍ଚଳର ରାମପୁର ଗାଁର ବାସିନ୍ଦା ନସିରୁଦ୍ଦିନଙ୍କ ପୁଅ ରୋଶନ ଅଲ୍ଲୀ ଦିଲ୍ଳୀରେ ଏକ ଫୁଲ ଦୋକାନରେ ରହି ଡେକରେସନ୍ କାମ କରୁଥିଲେ। ସେଠାରେ ତାଙ୍କର କମଲେଶ ବଶଂଲଙ୍କ ଝିଅ ଲକ୍ଷ୍ମୀଙ୍କ ସହ ସାକ୍ଷାତ୍ ହୋଇଥିଲା। ଦୁହେଁ ପରସ୍ପରଙ୍କୁ ପ୍ରେମ କରି ବସିଲେ। ମାତ୍ର ଭିନ୍ନ ଧର୍ମର ହୋଇଥିବାରୁ ଯୁବତୀଙ୍କ ପରିବାର ଲୋକ ବିବାହ ପାଇଁ ରାଜି ହୋଇନଥିଲେ।
ରୋଶନ ଲକ୍ଷ୍ମୀଙ୍କୁ ବିବାହ କରିବା ପାଇଁ ଦିଲ୍ଳୀରେ ଧର୍ମ ପରିବର୍ତ୍ତନ କରିଥିଲେ। ସେଠାରେ ସେ ପୂରା ରୀତିନୀତି ଅନୁସାରେ ଲକ୍ଷ୍ମୀଙ୍କୁ ବାହା ହୋଇଥିଲେ। ଏହି ବିବାହ ଚଳିତବର୍ଷ ଏପ୍ରିଲ୍ ମାସରେ ହୋଇଥିଲା। ଦିଲ୍ଳୀର ତିସ୍ ହଜାର କୋର୍ଟସ୍ଥିତ ଆର୍ଯ୍ୟ ସମାଜ ମନ୍ଦିରରେ ଏହି ବାହାଘର ହୋଇଥିଲା।
ଦିଲ୍ଳୀରେ ହୋଇଥିବା ଏହି ବିବାହରେ ଯୁବତୀଙ୍କ ଘରଲୋକ ଉପସ୍ଥିତ ରହିଥିଲେ। ମାତ୍ର ଯୁବକଙ୍କ ପରିବାରରୁ କେହି ବି ଆସିନଥିଲେ। ରୋଶନଙ୍କ କହିବା କଥା ହେଲା ତାଙ୍କ ପରିବାର ଲୋକ ଏହି ବିବାହ ପାଇଁ ରାଜି ନଥିଲେ। କୌଣସି ପ୍ରକାର ନିଜ ପରିବାର ଲୋକଙ୍କୁ ମନାଇ କରି ଘରକୁ ଯାଇଥିଲେ।
ସେଠାରେ ପରିବାର ଲୋକଙ୍କ ଚାପରେ ଆସି ପୁଣି ଥରେ ଲକ୍ଷ୍ମୀଙ୍କ ସହ ନିକା କରିଥିଲେ। ତେବେ ଏହି ବିବାହକୁ ନେଇ ଦୁଇ ପକ୍ଷ ମଧ୍ୟରେ ଟଣାଓଟଣା ଚାଲିଥିବା ବେଳେ ଲକ୍ଷ୍ମୀ ଓ ରୋଶନ କିନ୍ତୁ ପରସ୍ପରଙ୍କ ସାଥୀରେ ରହିବାକୁ ଚାହାନ୍ତି।