ନୂଆଦିଲ୍ଲୀ: ହରିଦ୍ବାରରେ ଅନୁଷ୍ଠିତ ଧର୍ମ ସଂସଦରେ ସଂଖ୍ୟାଲଘୁମାନଙ୍କ ଧର୍ମ ବିପକ୍ଷରେ ଆପତ୍ତି ଓ ଉତ୍ତେଜନାମୂଳକ ବିବୃତି ଦେଇଥିବା କାରଣରୁ ଗୁରୁବାର ଦିନ ଉତ୍ତରାଖଣ୍ଡ ପୁଲିସ ୱାସିମ୍ ରିଜ୍ୱି ଓରଫ୍ ଜିତେନ୍ଦ୍ର ତ୍ୟାଗୀଙ୍କୁ ଗିରଫ କରିଛି।
ତାଙ୍କୁ ଉତ୍ତରାଖଣ୍ଡର ରୁର୍କି ଅନ୍ତର୍ଗତ ନର୍ସନ୍ ସୀମାନ୍ତରୁ ଗିରଫ କରାଯାଇଥିବା କଥା ଜଣେ ପୁଲିସ ଅଧିକାରୀ କହିଛନ୍ତି।
ହରିଦ୍ବାର ସିଟି ଏସ୍ପି ସ୍ବତନ୍ତ୍ର କୁମାର କହିଛନ୍ତି, ଉତ୍ତରାଖଣ୍ଡ ପୁଲିସ ୱାସିମ୍ ରିଜ୍ୱି ଓରଫ୍ ଜିତେନ୍ଦ୍ର ତ୍ୟାଗୀଙ୍କୁ ହରିଦ୍ବାର ‘ଧର୍ମ ସଂସଦ’ ଘୃଣ୍ୟ ଭାଷଣ ମାମଲାରେ ରୁର୍କୀର ନର୍ସନ୍ ସୀମାନ୍ତରୁ ଗିରଫ କରାଯାଇଛି।
ପୂର୍ବରୁ ୱାସିମ୍ ରିଜ୍ୱି ନାମରେ ସୁପରିଚିତ ଜିତେନ୍ଦ୍ର ନାରାୟଣ ତ୍ୟାଗୀଙ୍କ ବିରୋଧରେ ଉତ୍ତରାଖଣ୍ଡ ପୁଲିସ ମାମଲା ରୁଜୁ କରିଥିଲା। ତାଙ୍କ ନାମରେ ଉତ୍ତରାଖଣ୍ଡ ପୁଲିସ ‘ଏଫ୍ଆଇଆର୍’ ଫାଇଲ୍ କରିଛି। କେବଳ ୱାସିମ୍ ରିଜ୍ୱି ନୁହନ୍ତି, ସନ୍ଥ ଧର୍ମଦାସ ମହାରାଜ, ସାଧ୍ବୀ ଅନ୍ନପୂର୍ଣ୍ଣ ଓରଫ ପୂଜା ଶକୁନ ପାଣ୍ଡେ, ଯତି ନରସିଂହାନନ୍ଦ ଏବଂ ସାଗର ସିନ୍ଧୁ ମହାରାଜଙ୍କ ନାମ ମଧ୍ୟ ଉକ୍ତ ‘ଏଫ୍ଆଇଆର୍’ରେ ରହିଛି।
ହରିଦ୍ବାର ଘୃଣ୍ୟ ସମ୍ମିଳନୀ ବୋଲି କୁହାଯାଉଥିବା ଉକ୍ତ ଧାର୍ମିକ ସମ୍ମିଳନୀରେ ଉଦ୍ବୋଧନ ଦେଇଥିବା କେତେକ ହିନ୍ଦୁ ନେତାଙ୍କ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବିବାଦ ଆରମ୍ଭ ହୋଇଥିଲା। ଏଥିରେ ସେମାନେ ସଂଖ୍ୟାଲଘୁଙ୍କ ବିରୋଧରେ ଉତ୍ତେଜନା ଓ ହିଂସା ଉଦ୍ରେକକାରୀ ଭାଷଣ ଦେଇଥିଲେ।
ଜାଣିଶୁଣି ଜିତେନ୍ଦ୍ର ନାରାୟଣ ତ୍ୟାଗୀ ସଂଖ୍ୟାଲଘୁଙ୍କ ଧାର୍ମିକ ଭାବାବେଗକୁ ଆଘାତ କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା।