‘ସମ୍ବାଦ’ ସ୍ୱତନ୍ତ୍ର: ନେହେରୁଙ୍କ ଜୀବନ ରକ୍ଷା କରି ଦେଶରେ ପ୍ରଥମ ଜାତୀୟ ସାହସିକତା ପୁରସ୍କାର ପାଇଥିଲେ ହରିଶଚନ୍ଦ୍ର ମେହେରା

ନୂଆଦିଲ୍ଲୀ (ନଇମ ଅଖତାର): ୭୭ ବର୍ଷିଅ ହରିଶଚନ୍ଦ୍ର ମେହେରା ଏଭଳି ଏକ ନାମ ଯାହାଙ୍କୁ ବହୁତ କମ୍‌ ଲୋକ ଜାଣନ୍ତି। ଅକ୍ଟୋବର ୨, ୧୯୫୭ରେ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜୀବନ ରକ୍ଷା କରି ଦେଶର ପ୍ରଥମ ଜାତୀୟ ସାହସକିତା ପୁରସ୍କାରରେ ସମ୍ମାନିତ ହୋଇଥିଲେ। ପୁରୁଣା ଦିଲ୍ଲୀର ଚାନ୍ଦିନୀଚୌକ୍‌ ଅଞ୍ଚଳର କଟରନିଲ୍‌ସ୍ଥିତ ଗଳି ତଲିୟାରେ ପ୍ରତ୍ୟେକ ବର୍ଷ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଓ ଜାନୁଆରି ୨୬ ଗଣତନ୍ତ୍ର ଦିବସ ଅବସରରେ ତାଙ୍କର ଶୁଭେଚ୍ଛୁ ଓ ପ୍ରଶଂସକମାନେ ହରିଶଚନ୍ଦ୍ର ମେହେରାଙ୍କ ପାଖକୁ ପହଞ୍ଚିଥାନ୍ତି ।

ତାଙ୍କ ପାଖରୁ ପ୍ରଥମ ସାହସିକତା ସ୍ମୃତିକୁ ତାଜା କରିବା ପାଇଁ ସେଦିନର ଘଟଣା ସ୍ମରଣ କରି ହରିଶଚନ୍ଦ୍ର ମେହେରା ‘ସମ୍ବାଦ’କୁ କହିଥିଲେ- ଅକ୍ଟୋବର ୨, ୧୯୫୭ରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଦିଲ୍ଲୀର ରାମଲୀଳା ପଡ଼ିଆରେ ରାମଲୀଳା କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ। ସେହି ସମୟରେ ହରିଶଚନ୍ଦ୍ର ମେହେରାଙ୍କ ବୟସ ୧୪ ବର୍ଷ ଥିଲା ଏବଂ ସେ ଦିଲ୍ଲୀର ଏଲ ଏନ ଗିରିଧାରୀ ଲାଲ ସିନିୟର ସେକେଣ୍ଡାରୀ ସ୍କୁଲରେ ଛାତ୍ର ଥିଲେ। ରାମଲୀଳା କାର୍ଯ୍ୟକ୍ରମରେ ବୟ ସ୍କାଉଟ୍‌ ଲିଡର ରୂପେ ସେ ପଡ଼ିଆର ଭିଆଇପି ବ୍ଲକ୍‌ରେ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ରାମଲୀଳା କାର୍ଯ୍ୟକ୍ରମ ସ୍ୱତନ୍ତ୍ର ପେଣ୍ଡାଲରେ ବସି ଦେଖୁଥିବା ବେଳେ ହଠାତ୍‌ ପେଣ୍ଡାଲରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଗଲା। କାର୍ଯ୍ୟକ୍ରମରେ ହଇଚଇ ଖେଳିଯାଇଥିଲା। ସମସ୍ତେ ପ୍ରାଣ ବିକଳରେ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ କରୁଥିଲେ। ଏହି ସମୟରେ ହରିଶଚନ୍ଦ୍ର ମେହେରା ନିଜ ଜୀବନକୁ ବାଜି ଲଗାଇ ମଞ୍ଚରେ ବସିଥିବା ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଆସିବାରେ ସଫଳ ହୋଇଥିଲେ। ତା’ପରେ ୨୦ଫୁଟ୍‌ ବିଦ୍ୟୁତ ଖୁଣ୍ଟରେ ଚଢ଼ି ଜଳୁଥିବା ପେଣ୍ଡାଲ ଏକ ଠେଙ୍ଗା ମାଧ୍ୟମରେ ନିଆଁ ଲିଭାଇବାର ଉଦ୍ୟମ କରି ସଫଳ ହେଲେ। କିନ୍ତୁ ତାଙ୍କର ଦୁଇଟି ହାତର ପାପୁଲି ଗୁରୁତର ଭାବେ ଜଳିଯିବା ସହିତ ସେ ଅଚେତ ହୋଇପଡ଼ିଥିଲେ। ଯେତେବେଳେ ଚେତା ଫେରିଲା ସେତେବେଳେ ସେ ଜେପି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କର ସାହସିକତାକୁ ନେଇ ସର୍ବତ୍ର ପ୍ରଶଂସା ହେଲା। ଏହାପରେ ସେ ପଢୁଥିବା ବିଦ୍ୟାଳୟରେ ଇନ୍ଧିରା ଗାନ୍ଧି ଗସ୍ତ କରି ହରିଶଚନ୍ଦ୍ର ମେହେରାଙ୍କୁ ତାଙ୍କର ସାହସିକତା ପାଇଁ ତାଙ୍କୁ ଜାତୀୟ ସାହସିକତା ପୁରସ୍କାର ଦିଆଯିବାର ଘୋଷଣା କରାଯାଇଥିବା ଅବଗତ କରାଇଥିଲେ। ଏଥି ସହିତ ଇନ୍ଦିରା ଗାନ୍ଧି ଏବଂ ତାଙ୍କୁ ଜାତୀୟ ସାହସିକତା ପୁରସ୍କାର ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ତିନିମୂର୍ତ୍ତୀସ୍ଥିତ ନିବାସକୁ ଫେବ୍ରୁଆରି ୪, ୧୯୫୮ରେ ଆସିବା ପାଇଁ ଆମନ୍ତ୍ରିତ କରିଥିଲେ।

ଫେବ୍ରୁଆରି ୪, ୧୯୫୮ରେ ହରିଶଚନ୍ଦ୍ର ମେହେରା ତାଙ୍କର ବାପା-ମା’ଙ୍କ ସହିତ ତତ୍କାଳୀନ ପ୍ରଧାନମନ୍ତ୍ରୀ ନିବାସକୁ ଯାଇଥିଲେ। ସେଠାରେ ଇନ୍ଦିରା ଗାନ୍ଧି ହରିଶନ୍ଦ୍ର ମେହେରାଙ୍କ ଉପଲବ୍ଧିକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା କରିଥିଲେ ବୋଲି ସେ କହିଥିଲେ। ଇନ୍ଦିରା ଗାନ୍ଧିଙ୍କ ଉପସ୍ଥାପନା ପରେ ଜବାହରଲାଲ ନେହେରୁ ପ୍ରଥମ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରି ହରିଶଚନ୍ଦ୍ରଙ୍କ ମାତାପିତାଙ୍କୁ କହିଥିଲେ। ‘ତୁମ ପୁଅ ମୋ ଜୀବନ ବଞ୍ଚାଇଛନ୍ତି, ଦିନେ ନା ଦିନେ ସେ ଦେଶର ଜଣେ ମହାନ ବ୍ୟକ୍ତି ହେବେ।’ ଏହା ପରେ ଅନେକ ଯଶ ମିଳିଲା, ଅନେକ ପ୍ରଶଂସା ମିଳିଲା, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଓ ଅଟଳ ବିହାରୀ ବାଜପେୟୀ ହରିଶଚନ୍ଦ୍ରଙ୍କୁ ତାଙ୍କର ସାହସକିତା ଉପଲବ୍ଧି ପାଇଁ ପ୍ରଶଂସା କରିଥିଲେ ଏବଂ ସହାୟତା ପାଇଁ ମଧ୍ୟ ଆଶ୍ୱସନା ଦେଇଥିଲେ। କିନ୍ତୁ ଧୀରେ ଧୀରେ ଏହି ଉପଲବ୍ଧିକୁ ସମସ୍ତେ ଭୁଲିଗଲେଣି ବୋଲି ହରିଶଚନ୍ଦ୍ର ମେହେରା ଅତ୍ୟନ୍ତ ଭାବବିହ୍ଵଳ ହୋଇ କହିଥିଲେ।

ହରିଶଚନ୍ଦ୍ର ମେହେରାଙ୍କ କହିବା ଅନୁସାରେ ଜାତୀୟ ସାହସିକତା ପୁରସ୍କାରରେ ସମ୍ମାନିତ କରାଯାଉଥିବା ପିଲାମାନଙ୍କୁ ତ ସମ୍ମାନିତ କରାଯାଉଛି କିନ୍ତୁ ସେମାନଙ୍କୁ ପରବର୍ତ୍ତୀ ସମୟରେ ଯେଭଳି ପ୍ରୋତ୍ସାହୋନ କରାଯିବାର ଆବଶ୍ୟକତା ରହିଛି ତାହା କରାନଯାଇ ଅଣଦେଖା କରାଯାଉଛି। ସେ ନିଜର ଉଦାହରଣ ଦେଇ କହିଥିଲେ ତାଙ୍କର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା। ପ୍ରଧାନମନ୍ତ୍ରୀଙ୍କ ଠାରୁ ଯେତେବେଳେ ସେ ପୁରସ୍କାର ଗ୍ରହଣ କଲେ ସେତେବେଳେ ପୁରସ୍କାର ଗ୍ରହଣର ଫଟୋ କିଣିବା ପାଇଁ ମଧ୍ୟ ତାଙ୍କ ପାଖରେ ପଇସା ନଥିଲା। ଆଗକୁ ସେ ବେଶୀ ପାଠ ପଢ଼ିପାରି ନଥିଲେ। ଆର୍ଥିକ ଅନାଟନ ଯୋଗୁଁ ସେ ଆଧାରୁ ପାଠ ଛାଡ଼ିଦେଇଥିଲେ। ଜଣେ କନିଷ୍ଠ କିରାଣୀରୁ କାର୍ଯ୍ୟ ଆରମ୍ଭ କରି ୨୦୦୪ରେ ବରିଷ୍ଠ କିରାଣୀ ରୂପେ କାର୍ଯ୍ୟରୁ ଅବସର ନେଇଥିଲେ। ସାହସିକତା ପ୍ରଦର୍ଶନ କରୁଥିବା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଉପଲବ୍ଧିରେ ସରକାରଙ୍କୁ ବିଶେଷ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି ବୋଲି ସେ କହନ୍ତି। ଚାକିରିରୁ ଅବସର ନେବା ପରେ ସେ ତିନି ସନ୍ତାନଙ୍କର ପୁଅଝିଅଙ୍କ ସହିତ ସମୟ ବିତାଉଛନ୍ତି। ତାଙ୍କ ନାତି ଓ ନାତୁଣୀ ମଧ୍ୟ ହରିଶଚନ୍ଦ୍ରଙ୍କର ସାହସିକତାର ଗାଥା ବୟାନ କରିଥାନ୍ତି। ଏବେ ମଧ୍ୟ ହରିଶଚନ୍ଦ୍ର ଜଣେ ଯୁବକଙ୍କ ଭଳି ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ରଖିଛନ୍ତି।

ଦେଶ ପାଇଁ ସମର୍ପିତ ହେବାର ଇଚ୍ଛା ତାଙ୍କ ବାପାଙ୍କ ପାଖରୁ ପ୍ରେରଣା ପାଇଥିଲେ ବୋଲି ହରିଶଚନ୍ଦ୍ର କୁହନ୍ତି। ତାଙ୍କ ବାପା ରାଜନ ନାଥ ମେହେରା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ତଥା ମହାତ୍ମାଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇ ଜେଲ ଯାଇଥିଲେ। ସେ ତାଙ୍କ ବାପାଙ୍କ ଠାରୁ ଦେଶର ସାହସି ନେତାମାନଙ୍କର କାହାଣୀ ଶୁଣିଛନ୍ତି ଏବଂ ସେଥିରୁ ଅନେକ ଶିକ୍ଷା ଲାଭ କରିଛନ୍ତି ବୋଲି ହରିଶଚନ୍ଦ୍ର ପ୍ରକାଶ କରିଥିଲେ। ବିଶେଷକରି ବିଜୁ ପଟ୍ଟନାୟକଙ୍କର ସାହସିକତାର କାହାଣୀ ତାଙ୍କୁ ବିଶେଷ ପ୍ରଭାବିତ କରିଥିବାର ସେ ଉଲ୍ଲେଖ କରିଥିଲେ। ବିଜୁ ପଟ୍ଟନାୟକଙ୍କର ସାହସିକତାର କାହାଣୀ ତାଙ୍କ ବାପାଙ୍କ ଠାରୁ ଅନେକ ସମୟରେ ଶୁଣିଥିଲେ ମଧ୍ୟ ତାଙ୍କର ଜୀବନ କାଳରେ ଥରେ ମଧ୍ୟ ବିଜୁ ବାବୁଙ୍କୁ ସାକ୍ଷାତ କରି ନ ଥିବାରୁ ସେ ଦୁଃଖିତ ଥିବାର କହିଥିଲେ। ଦେଶରେ ଜାତୀୟ ସାହସିକତା ପୁରସ୍କାର ପ୍ରାଦନ କରାଯିବାର ପରମ୍ପରା ତାଙ୍କର ପୁରସ୍କାର ପାଇବା ଠାରୁ ଶୁଭାରମ୍ଭ କରାଯାଇଥିବା ବେଳେ ପୁରସ୍କାର ପାଉଥିବା ଛାତ୍ରଛାତ୍ରୀ ମାନଙ୍କର ଯଦି ଉଚିତ୍‌ ଉପାୟରେ ସେମାନଙ୍କର କ୍ୟାରିୟରକୁ ଦେଶର କାର୍ଯ୍ୟରେ ନିୟୋଜିତ କାରଯାଇ ପାରିବ ତାହାହେଲେ ସାହସିକତା ପୁରସ୍କାର ଉପଯୁକ୍ତ ମୂଲ୍ୟ ସାବିତ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର