ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ : ହରିବଂଶ ଜିତିଲେ, ହରିପ୍ରସାଦ ହାରିଲେ

ଏନ୍‌ଡିଏ ୧୨୫, ୟୁପିଏ ୧୦୫, ପିଡିପି, ଆପ୍‌, ଓ୍ଵାଇଏସ୍‌ଆର୍‌ ଅନୁପସ୍ଥିତ

ନୂଆଦିଲ୍ଲୀ : ଏନ୍‌ଡିଏ ପ୍ରାର୍ଥୀ ତଥା ଜେଡି(ୟୁ) ନେତା ହରିବଂଶ ନାରାୟଣ ସିଂହ ଆଜି ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେ କଂଗ୍ରେସ ପ୍ରାର୍ଥୀଙ୍କୁ ୨୦ଟି ଭୋଟରେ ହରାଇଛନ୍ତି। ହରିବଂଶଙ୍କୁ ୧୨୫ଟି ଭୋଟ୍‌ ମିଳିଥିବା ବେଳେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ବିକେ ହରିପ୍ରସାଦଙ୍କୁ ୧୦୫ଟି ଭୋଟ୍‌ ମିଳିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଶକ୍ତି ପରୀକ୍ଷା ବୋଲି ବିଚାର କରାଯାଉଥିବା ଏହି ନିର୍ବାଚନକୁ ଏନଡିଏ ସହଜରେ ଜିତି ନେଇଛି। ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ଦଳର ନେତାମାନଙ୍କୁ ଫୋନ କରି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ସଭାପତି ଅମିତ ଶାହ ସମର୍ଥନ ଲୋଡିବା ପାଇଁ ଯେଉଁ ରଣନୀତି ଆପଣେଇଥିଲେ ତାହା କାମ ଦେଇଥିବା କୁହାଯାଉଛି।

ଏନ୍‌ଡିଏର ହିସାବ ମୁତାବକ ହରିବଂଶଙ୍କୁ ୧୨୫ଟି ଭୋଟ ମିଳିଥିବା ବେଳେ କଂଗ୍ରେସକୁ ଆଶାଠାରୁ ୫ଟି ଭୋଟ୍‌ କମ୍‌ ମିଳିଛି। କାରଣ ଡିଏମ୍‌କେର ୨ ଏବଂ ତୃଣମୂଳ କଂଗ୍ରେସର ଜଣେ ସାଂସଦ ଅନୁପସ୍ଥିତ ଥିବା ବେଳେ ଓ୍ଵାଇଏସ୍‌ଆର କଂଗ୍ରେସ (୨) ମତଦାନରେ ଭାଗ ନେଇନଥିଲା। ଓ୍ଵାଇଏସ୍‌ଆର କଂଗ୍ରେସ ସମେତ ଆପ୍‌ ଓ ପିଡିପି ମଧ୍ୟ ମତଦାନରୁ ବିରତ ରହିଥିଲେ।

ସୂଚନାଯୋଗ୍ୟ, ଯେ ଏନଡିଏର ଦୁଇ ଅସନ୍ତୁଷ୍ଟ ଅଂଶୀଦାର ଅକାଳୀ ଦଳ ଏବଂ ଶିବ ସେନା ଭୋଟ ବର୍ଜନ କରିବାକୁ ପୂର୍ବରୁ ଘୋଷଣା କରିଥିଲେ। କିନ୍ତୁ ସେମାନଙ୍କୁ ମନାଇବାରେ ମୋଦୀ ଏବଂ ଶାହ ସଫଳ ହୋଇଥିଲେ। ଫଳରେ ସେମାନେ ହରିବଂଶଙ୍କୁ ସମର୍ଥନ କରିବାକୁ ଶେଷ ମୁହୂର୍ତରେ ଘୋଷଣା କରିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ହରିପ୍ରସାଦଙ୍କୁ କେଜ୍ରିଓ୍ଵାଲଙ୍କ ଆପ୍‌ ସମର୍ଥନ କରିବ ବୋଲି କୁହାଯାଉଥିଲା। କିନ୍ତୁ ଶେଷ ମୁହୂର୍ତରେ ଏହା ମନ ପରିବର୍ତନ କରି ମତଦାନରୁ ବିରତ ରହିଲା। ଜଣେ ଆପ୍‌ ନେତା ଏଥିପାଇଁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଛନ୍ତି। ଆପ୍‌ର ସର୍ତ ଥିଲା ଯେ କେଜ୍ରିଓ୍ଵାଲଙ୍କୁ ରାହୁଲ ଫୋନ
କରିଥିଲେ ସମର୍ଥନ ମିଳିଥାନ୍ତା। ଯଦି ରାହୁଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଲିଙ୍ଗନ କରିପାରୁଛନ୍ତି ତାହାହେଲେ କେଜ୍ରିଓ୍ଵାଲଙ୍କୁ ଫୋନ କଲେ ଅସୁବିଧା କେଉଁଠି? ବୋଲି ସେ ପ୍ରଶ୍ନ କରିଛନ୍ତି।

୨୪୪ ସଭ୍ୟ ବିଶିଷ୍ଟ ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚନ ଜିତିବା ଲାଗି ୧୨୩ ଭୋଟ୍‌ ଦରକାର ପଡ଼ୁଥିଲା। କିନ୍ତୁ ୭ ଜଣ ସଭ୍ୟ ଅନୁପସ୍ଥିତ ରହିବାରୁ ଆବଶ୍ୟକ ଭୋଟ୍‌ ୧୧୯କୁ ଖସି ଆସିଥିଲା।

ଗତ ଜୁଲାଇ ପହିଲାରେ କଂଗ୍ରେସର ପି ଜେ କୁରିଏନ୍‌ଙ୍କ ଅବସର ପରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ଖାଲି ପଡ଼ିଥିଲା। ସେଥିପାଇଁ ଆଜି ବିଧିବଦ୍ଧ ଭାବେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଗତକାଲି ଏନ୍‌ଡିଏ ଓ ୟୁପିଏ ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ ହୋଇଥିଲା। ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଭୋଟିଂ ଚାଲିଥିଲା। ତେବେ ଅନ୍ତିମ ମୁହୂର୍ତ୍ତରେ ଓଡ଼ିଶାର ବିଜେଡି ପକ୍ଷରୁ ସମର୍ଥନ ମିଳିବା ପରେ ଏନ୍‌ଡିଏ ପ୍ରାର୍ଥୀଙ୍କ ବିଜୟ ସହଜ ହୋଇଥିଲା। ମ୍ୟାଜିକ୍‌ ସଂଖ୍ୟା ୧୧୯ ଥିଲା ବେଳେ ବିଜେଡି ସମର୍ଥନ ବିନା ଏନ୍‌ଡିଏ ନିକଟରେ ୧୧୬ ଭୋଟ୍‌ ରହିଥିଲା। କିନ୍ତୁ ବିଜେଡିର ୯ ସାଂସଦଙ୍କ ପକ୍ଷରୁ ସମର୍ଥନ ମିଳିବା ପରେ ଅଙ୍କ ୧୨୫ରେ ପହଞ୍ଚିଥିଲା। ଫଳରେ ହରିବଂଶ ବହୁମତ ପାଇ ବିଜୟୀ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ରାଜ୍ୟସଭାରେ ସର୍ବସମ୍ମତିକ୍ରମେ ଉପାଧ୍ୟକ୍ଷ ଚୟନ କରିବାକୁ ଗୃହ ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଚାହୁଥିଲେ। କିନ୍ତୁ ଏନ୍‌ଡିଏ ଏବଂ ଅନ୍ୟ ବିରୋଧୀ ଦଳ ପକ୍ଷରୁ ଏ ନେଇ କୌଣସି ମନ୍ତବ୍ୟ ପ୍ରକାଶ ପାଇନଥିଲା। ଶେଷରେ ନିର୍ବାଚନ ପାଇଁ ନିଷ୍ପତ୍ତି ହୋଇଥିଲା। ପ୍ରଥମରୁ ଏନ୍‌ଡିଏ ପ୍ରାର୍ଥୀ ଭାବେ ଜେଡି(ୟୁ)ର ହରିବଂଶଙ୍କୁ ମନୋନୀତ କରାଯାଇଥିଲା। କିନ୍ତୁ ବିରୋଧୀଙ୍କ ପକ୍ଷରୁ କୌଣସି ଆଭାସ ଦିଆଯାଇ ନଥିଲା। ଶେଷରେ ଏନ୍‌ସିପି ସାଂସଦ ବନ୍ଦନା ଚୌହାନ୍‌ ବିରୋଧୀଙ୍କ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏଥିରୁ ସେ ଓହରିଯିବାରୁ ଶେଷରେ ବାଧ୍ୟହୋଇ କଂଗ୍ରେସ ପକ୍ଷରୁ ବି କେ ହରିପ୍ରସାଦଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା।

ଉପାଧ୍ୟକ୍ଷ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିବଂଶଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ, ହରିବଂଶ ଜଣେ ବରିଷ୍ଠ ସାମ୍ବାଦିକ, ଯାହାଙ୍କର ଲେଖନୀ ଉପରେ ବେଶ୍‌ ଆଧିପତ୍ୟ ରହିଛି। ଏଭଳି ପ୍ରତିଭାଧାରୀ ବ୍ୟକ୍ତିତ୍ୱଙ୍କଠାରୁ ରାଜ୍ୟସଭା ସାଂସଦମାନଙ୍କୁ ଅନେକ କିଛି ଶିଖିବାକୁ ସୁଯୋଗ ମିଳିବ। ସେପଟେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ କହିଥିଲେ, ହରିବଂଶ ପ୍ରଥମେ ଏନ୍‌ଡିଏର ପ୍ରାର୍ଥୀ ଥିଲେ। କିନ୍ତୁ ଏବେ ସେ ଉପାଧ୍ୟକ୍ଷ ହେବା ପରେ ସଂପୂର୍ଣ୍ଣ ରୂପେ ଗୃହର ହୋଇଯାଇଛନ୍ତି। ସେ ଯାହା ବି କିଛି କାର୍ଯ୍ୟ କରିବେ, ଗୃହ ପାଇଁ କରିବେ। ସେ ନିଜ କାମ ଠିକ୍‌ କରନ୍ତୁ ଏବଂ ତାଙ୍କୁ ଆମ୍ଭମାନଙ୍କର ଶୁଭକାମନା ବୋଲି ଗୁଲାମ ନବୀ କହିଥିଲେ।

ସମ୍ବନ୍ଧିତ ଖବର