ଜେଜେପି ହାତ‌ରେ ହରିୟାଣାର ଭାଗ୍ୟ, ଦୁଶ୍ୟନ୍ତ ‘କିଙ୍ଗ୍‌’ ହେବେ ନା ‘କିଙ୍ଗ୍‌ ମେକର’

କଂଗ୍ରେସ ଲାଗୁ କରିପାରେ ‘କର୍ଣ୍ଣାଟକ ଫର୍ମୁଲା’

ନୂଆଦିଲ୍ଲୀ: ହରିୟାଣାରେ ଏକାକି କ୍ଷମତା ଦଖଲ କରିବା ପାଇଁ ବିଜେପିର ଆଶା ଧୁଳିସାତ୍‌ ହୋଇଯାଇଛି। ବିଜେପିର ‘ଅବ୍‌କି ବାର୍‌ – ୭୫ ପାର୍‌’ ସ୍ଲୋଗାନ୍‌ ଫେଲ୍‌ ମାରିଛି। ହରିୟାଣାରେ ୯୦ ବିଧାନସଭା ଆସନ ଥିବା ବେଳେ ମ୍ୟାଜିକ୍‌ ନମ୍ବର ୪୬ ଛୁଇଁବା ପାଇଁ କୌଣସି ଦଳ ସକ୍ଷମ ହୋଇନାହାନ୍ତି। ଅନ୍ୟପକ୍ଷେ ଜେଜେପି (ଜନନାୟକ ଜନତା ପାର୍ଟି) ୧୦ଟି ଆସନ ଦଖଲ କରି ଏବେ କିଙ୍ଗ୍‌ ମେକର ଭୂମିକାରେ ଅବତୀର୍ଣ୍ଣ ହୋଇଛି। ଜେଜେପି ମୁଖ୍ୟ ଦୁଶ୍ୟନ୍ତ ଚୌତାଲା ମୁଖ୍ୟମନ୍ତ୍ରୀ କିମ୍ବା ଉପମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ମଧ୍ୟ ରହିଛି। ହରିୟାଣାରେ ଝୁଲା ବିଧାନସଭା ଯୋଗୁଁ ଯଦି କଂଗ୍ରେସ କର୍ଣ୍ଣାଟକ ଫର୍ମୁଲା ଲାଗୁ କରି ଦୁଶ୍ୟନ୍ତଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବ ତା’ହେଲେ ରାଜ୍ୟ ରାଜନୀତି ନୂଆ ମୋଡ଼ ନେବ। ଜେଜେପିର ଚିହ୍ନ ହେଉଛି ଚାବି। ଏହି ମର୍ମରେ ଚୌତାଲା କହିଛନ୍ତି ‌ଯେ ରାଜ୍ୟରେ ଆମ ହାତରେ ହିଁ କ୍ଷମତାର ପ୍ରକୃତ ଚାବିକାଠି ରହିବ। ଲୋକମାନେ ଆମ ଉପରେ ବିଶ୍ବାସ କରିଛନ୍ତି ଏବଂ ରାଜ୍ୟରେ ପରିବର୍ତ୍ତନର ଆଭାସ ମିଳିଛି। ବିଜେପିର ୭୫ ପାର୍‌ ସ୍ଲୋଗାନ୍‌ ବିଫଳ ହୋଇଛି ଏବଂ ଆମେ ସେମାନଙ୍କୁ ‘ଯମୁନା ପାର୍’ କରିଦେବୁ ବୋଲି ଚୌତାଲା କହିଛନ୍ତି।

ଦୁଶ୍ୟନ୍ତ ଚୌତାଲା କିଏ ?
ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଦେବୀ ଲାଲ୍‌ଙ୍କର ଅଣନାତି ଏବଂ ହରିୟାଣାରେ ୪ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଆଇଏନ୍‌ଏଲଡି ଅଧ୍ୟକ୍ଷ ଓମ୍‌ ପ୍ରକାଶ ଚୌତାଲାଙ୍କ ନାତି ହେଉଛନ୍ତି ଦୁଶ୍ୟନ୍ତ ଚୌତାଲା। ଦୁଶ୍ୟନ୍ତ ଚୌତାଲାଙ୍କ ବାପା ମା’ହେଉଛନ୍ତି ଅଜୟ ଚୌତାଲା ଏବଂ ନୟନା। ଅଜୟ ଚୌତାଲା ପୂର୍ବରୁ ସାଂସଦ ନିର୍ବାଚିତ ହୋଇଥିଲେ। ଚୌତାଲା ପରିବାରରେ ଏକ ବିବାଦ ହେବାପରେ ଦୁଶ୍ୟନ୍ତ ଚୌତାଲା ଆଇଏନ୍‌ଏଲଡିରୁ ଓହରି ଆସି ୨୦୧୮ରେ ଜେଜେପି ଗଢ଼ିଥିଲେ। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ହରିୟାଣାକୁ ଶାସନ କରିଥିବା ଆଇଏନ୍‌ଏଲଡିରେ ହଠାତ୍‌ ଫାଟ ସୃଷ୍ଟି ହୋଇଥିଲା। ଅଜୟ ଏବଂ ଅଭୟ ଚୌତାଲାଙ୍କ ମଧ୍ୟରେ ବିବାଦ ହେବାରୁ ଆଇଏନ୍‌ଏଲ୍‌ଡିରେ ଫାଟ ସୃଷ୍ଟି ହୋଇଥିଲା। କିନ୍ତୁ ସେମାନଙ୍କ ବାପା ଓମ୍‌ ପ୍ରକାଶ ଚୌତାଲା ସାନପୁଅ ଅଭୟଙ୍କୁ ସମର୍ଥନ କରିଥିଲେ। ବଡ଼ ପୁଅ ଅଜୟ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ୨୦୧୩ ମସିହାରେ ୧୦ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ ହେବାପରେ ସେ ତାଙ୍କ ବାପାଙ୍କ ଉତ୍ତରାଧିକାରୁ ହେବାରୁ ବଞ୍ଚିତ ହୋଇଥିଲେ। ଏହାପରେ ଅଜୟଙ୍କ ପୁଅ ଦୁଶ୍ୟନ୍ତ ତାଙ୍କ ଦାଦା ଅଭୟଙ୍କ ଦ୍ବାରା ତୀବ୍ର ବିରୋଧର ଶିକାର ହୋଇଥିଲେ। ଦାଦା ପୁତୁରାଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଫଳରେ ଦୁଶ୍ୟନ୍ତ ଚୌତାଲା ଆଇଏନ୍‌ଏଲଡିରୁ ଓହରି ଯାଇ ନିଜସ୍ବ ଦଳ ଗଠନ କଲେ।

ସମ୍ବନ୍ଧିତ ଖବର