ହରିଆଣାରେ ଜାଠ ବିକ୍ଷୋଭ ସମାବେଶ ଆଜି

ଚଣ୍ଡୀଗଡ଼: ହରିଆଣାରେ ଜାଠ ସମ୍ପ୍ରଦାୟଙ୍କ ସଂରକ୍ଷଣକୁ କେନ୍ଦ୍ର କରି ରବିବାର ଦୁଇଟି ବିକ୍ଷୋଭ ସମାବେଶର ଆୟୋଜନ ହେବାକୁ ସ୍ଥିର ହୋଇଛି। ଏହାକୁ ସମର୍ଥନ କରି ଗୋଟିଏ ସମାବେଶ ଜାଠ କର୍ମକର୍ତ୍ତାଙ୍କ ନେତୃତ୍ୱରେ ଅନୁଷ୍ଠିତ ହେଉଥିବା ବେଳେ ଏହାକୁ ବିରୋଧ କରି ଅନ୍ୟ ସମାବେଶଟି କୁରୁକ୍ଷେତ୍ରର ବିଜେପି ସାଂସଦ ରାଜକୁମାର ସାଇନିଙ୍କ ନେତୃତ୍ୱରେ ହେବ ବୋଲି ଜଣାଯାଇଛି। ତେବେ ଏହି ପରସ୍ପର ବିରୋଧୀ ବିକ୍ଷୋଭ ବେଳେ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା କରି ସରକାର ଶୁକ୍ରବାର ଠାରୁ ତିନି ଦିନ ପାଇଁ ୧୩ଟି ଜିଲ୍ଲାରେ ମୋବାଇଲ୍‌ ଫୋନ୍‌ରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦେଇଛନ୍ତି।

ଉଲ୍ଲେଖ ଥାଉ କି, ଜାଠମାନଙ୍କ ପାଇଁ ସଂରକ୍ଷଣକୁ ବିରୋଧ କରୁଥିବା ସାଂସଦ ସାଇନି ରବିବାର ଜିନ୍ଦ ଠାରେ ଏକ ସମାବେଶରେ ଉଦ୍‌ବୋଧନ ଦେବେ। ‘ସାମନ୍ତ ମହାସମ୍ମେଳନ’ ନାମିତ ଏହି ଜନସମାବେଶରେ ସେ ଜାଠଙ୍କ ପାଇଁ ସଂରକ୍ଷଣ ବିରୋଧରେ ଜନମତ ସୃଷ୍ଟି ପାଇଁ ବକ୍ତବ୍ୟ ରଖିବାର ସମ୍ଭାବନା ରହିଛି। ତେବେ ଏହାକୁ ଦୃଷ୍ଟିରେ ରଖି ନିଖିଳ ଭାରତ ଜାଠ ଆରକ୍ଷଣ ସଂଘର୍ଷ ସମିତିର ଜାତୀୟ ସଭାପତି ଯଶପାଲ ମଲ୍ଲିକଙ୍କ ନେତୃତ୍ୱରେ ରୋହତକ ଜିଲ୍ଲାର ଜସିିଆ ଠାରେ ଆଉ ଏକ ବିଶାଳ ଜନସମାବେଶର ଆହ୍ଵାନ ଦିଆଯାଇଛି। ଏପରିକି ସାଇନିଙ୍କ ସମାବେଶକୁ ବାତିଲ କରିବା ପାଇଁ ଅନ୍ୟତମ ଜାଠ ନେତା ସନ୍ଦୀପ ଭାରତୀ ଦାବି କରିଛନ୍ତି। ଏ ପରିପ୍ରେକ୍ଷୀରେ ଗତକାଲି ସାଇନିଙ୍କ ଆରକ୍ଷଣ ବିରୋଧୀ ଆଭିମୁଖ୍ୟକୁ ବିରୋଧ କରୁଥିବା କିଛି ଜାଠ ସାଇନିଙ୍କ ଜିନ୍ଦ ସମାବେଶ ପ୍ରତିବାଦରେ ବିକ୍ଷୋଭ କରିଥିଲେ। ଫଳରେ ପୁଲିସ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା ଏବଂ ଜିନ୍ଦ-ଚଣ୍ଡିଗଡ଼ ଜାତୀୟ ରାୀଜପଥ ଅବରୋଧ ପରେ ଲାଠିମାଡ଼ ପରି ସ୍ଥିତି ଉପୁଜିଥିଲା। ସୁତରାଂ ରବିବାର ଏପରି ଦୁଇଟି ପରିସ୍ପର ବିରୋଧୀ ମହାସମାବେଶକୁ କେନ୍ଦ୍ର କରି କୌଣସି ବଡ଼ ଘରଣର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପୁଲିସ ଆଶଙ୍କା କରୁଛି। ତେଣୁ ଆନ୍ଦୋଳନକୁ ଉସୁକାଇବାରେ ଖୋରାକ ଯୋଗାଉଥିବା ମୋବାଇଲ୍‌ ଇଣ୍ଟରନେଟ ସେବାକୁ ହରିଆଣା ସରକାର ଶୁକ୍ରବାର ଠାରୁ ରବିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି।

ସମ୍ବନ୍ଧିତ ଖବର