ୱାସିଂଟନ : ଫାଷ୍ଟଫୁଡ୍ ନ ଖାଇବା ଲାଗି ବିଶେଷଜ୍ଞମାନେ ସବୁବେଳେ ଉପଦେଶ ଦେଇଆସୁଛନ୍ତି। ବର୍ତ୍ତମାନ ଗୋଟିଏ ଅନୁଧ୍ୟାନରୁ ଏ ନେଇ ଏକ ଲୋମହର୍ଷକ ତଥ୍ୟ ସାମ୍ନାକୁ ଆସିଛି, ଯେଉଁଥିରୁ ଜଣାପଡ଼ୁଛି ଯେ ଫାଷ୍ଟଫୁଡ୍ ପ୍ରକୃତରେ ସ୍ବାସ୍ଥ୍ୟ ପାଇଁ ହାନିକାରକ। ‘ଏକ୍ସପୋଜର ସାଇନ୍ସ ଆଣ୍ଡ୍ ଏନ୍ଭାର୍ଣ୍ଣମେଣ୍ଟାଲ ଏପିଡେମିଓଲୋଜି’ ନାମକ ସାପ୍ତାହିକ ପତ୍ରିକାରେ ପ୍ରକାଶିତ ଅନୁଧ୍ୟାନ ରିପୋର୍ଟ ଅନୁସାରେ ମ୍ୟାକ୍ଡୋନାଲ୍ଡ୍ସ, ବର୍ଗର କିଙ୍ଗ, ପିଜା ହଟ୍, ଡୋମିନୋଜ୍ ଏବଂ ଟାକୋ ବେଲ୍ ପରି ଲୋକପ୍ରିୟ ଫାଷ୍ଟଫୁଡ୍ ନିର୍ମାତାମାନଙ୍କ ଖାଦ୍ୟରେ ପ୍ଲାଷ୍ଟିକ୍କୁ ନରମ କରିବା ପାଇଁ ବ୍ୟବହୃତ ଥାଲେଟ୍ ପରି କ୍ଷତିକାରକ ରାସାୟନିକ ଅଛି। ଥାଲେଟ୍ ସାଧାରଣତଃ ପ୍ଲାଷ୍ଟିକ୍ ସମଗ୍ରୀଗୁଡ଼ିକରେ ପ୍ଲାଷ୍ଟିସାଇଜର ଭାବେ ବ୍ୟବହୃତ ହୁଏ। ଏହା ପ୍ଲାଷ୍ଟିକ୍ର ନମନୀୟତା ଓ ଦୀର୍ଘସ୍ଥାୟିତା ବୃଦ୍ଧି କରେ। ଭିନାଇଲ ଫ୍ଲୋରିଂ, ପିଚ୍ଛିଳକାରକ ତୈଳ, ସାବୁନ, ହେୟାର୍ ସ୍ପ୍ରେ, ଲଣ୍ଡ୍ରି ଡିଟର୍ଜେଣ୍ଟ ଇତ୍ୟାଦିରେ ଏହା ବ୍ୟବହୃତ ହୁଏ।
ଜର୍ଜ ୱାସିଂଟନ ବିଶ୍ବବିଦ୍ୟାଳୟ, ଦକ୍ଷିଣ-ପଶ୍ଚିମ ଗବେଷଣା ପ୍ରତିଷ୍ଠାନ (ସାନ୍ ଆଣ୍ଟୋନିଓ, ଟେକ୍ସାସ୍), ବୋଷ୍ଟନ ବିଶ୍ବବିଦ୍ୟାଳୟ ଓ ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ଗବେଷକମାନେ ହାମବର୍ଗର, ଚିକେନ ନଗେଟ, ଚିକେନ ବରିଟୋ ଓ ଚିଜ୍ ପିଜାର ୬୪ଟି ନମୁନା ବିଭିନ୍ନ ଦୋକାନରୁ ସଂଗ୍ରହ କରି ପରୀକ୍ଷା କରିଥିଲେ। ସେମାନେ ଦେଖିଲେ ଯେ, ୮୦ ପ୍ରତିଶତରୁ ଅଧିକ ଖାଦ୍ୟ ପଦାର୍ଥରେ ଡିଏନ୍ବିପି ନାମକ ଥାଲେଟ୍ ଏବଂ ୭୦ ପ୍ରତିଶତ ଖାଦ୍ୟରେ ଡିଇଏଚ୍ଟି ନାମକ ଥାଲେଟ୍ ରହିଛି। ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍ଡିଏ) ଏହି ରିପୋର୍ଟକୁ ଅନୁଧ୍ୟାନ କରିବ ବୋଲି କହିଛି।